ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି; ନୀରିହ ଗୋମାତା ଉପରେ କରୁଛନ୍ତି ଗୁଳିମାଡ

ଜଗତସିଂହପୁର: ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି । ନୀରିହ ଗାଈ ଉପରକୁ କରୁଛନ୍ତି ଗୁଳି ଚାଳନା । ଫଳରେ ଅନେକ ଗାଈ ଏବେ କ୍ଷତବିକ୍ଷତ ହୋଇପଡିଛନ୍ତି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୂରଣ ଓଡ଼ାପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା । ଗ୍ରାମର ଚାରୁଲତା ବେହେରାଙ୍କ ଚାରୋଟି ଗାଈକୁ ଏୟାର ଗନ୍ ସାହାଯ୍ୟରେ ସୀସା ଗୁଳି ମାରି ସେହି ପଞ୍ଚାୟତର ବିଜେଡ଼ି ନେତା ତଥା ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ପ୍ରତିନିଧି ଗୌତମ ପାଳିତ୍ ଗିରଫ ହୋଇଛନ୍ତି ।
ସ୍ବର୍ଗତ ବ୍ରଜରାଜ ବେହେରାଙ୍କ ପତ୍ନୀ ଚାରୁଲତା ବେହେରା ଗୋ ପାଳନ କରି ନିଜ ପରିବାର ପୋଷଣ କରନ୍ତି । ଗତକାଲି ତାଙ୍କ ଗାଈ ଖୋଲା ବିଲରେ ଚରୁଥିବାବେଳେ ପାଣି ପିଇବା ପାଇଁ ବିଜେଡ଼ି ନେତା ଗୌତମ ପାଳିତଙ୍କ ପୋଖରୀକୁ ଚାଲି ଯାଇଥିଲେ । ସେହି ସମୟରେ ବିଜେଡ଼ି ନେତା ଜଣଙ୍କ ଏୟାର ଗନ ସାହାଯ୍ୟରେ ଗାଈ ଉପରକୁ ସୀସା ଗୁଳି ଚାଳନା କରିଥିଲେ । ଏହି ସୀସା ଗୁଳି ଗାଇଙ୍କ ଶରୀରରେ ବାଜି ଶରୀର ସାରା କ୍ଷତ ସୃଷ୍ଟି କରିଥିଲା । କ୍ଷତାକ୍ତ ଗାଈ ମାନଙ୍କୁ ଡାକ୍ତର ଦ୍ୱାରା ଚିକିତ୍ସିତ କରାଇବା ସହ ଘଟଣାକୁ ନେଇ ଚାରୁଲତା ବେହେରା ସ୍ଥାନୀୟ ରଘୁନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଯାହାକୁ ଭିତ୍ତି କରି ଥାନା ଅଧିକାରୀ ଘଟଣା ତଦନ୍ତ କରିବା ସହ ବିଜେଡ଼ି ନେତାଙ୍କ ଵିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ନେତା ଜଣଙ୍କ ଗ୍ରାମବାସୀଙ୍କ ଗାଈ ଗୋରୁଙ୍କୁ ଗୁଳି ମାରି କ୍ଷତ ବିକ୍ଷତ କରିଦେବାର ଅଭିଯୋଗ ମଧ୍ୟ ରହିଛି ।
📱 Get Argus News App
✨