Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ଅସାମ୍ବିଧାନିକ କାମ କଲା ବିଜେଡି

Odisha

ପୁଣି ଅସାମ୍ବିଧାନିକ କାମ କଲା ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ପୁଣି ଅସାମ୍ବିଧାନିକ କାମ କଲା ବିଜେଡି

Key Points

  • ପୁଣି ଅସାମ୍ବିଧାନିକ କାମ କଲା ବିଜେଡି
  • ୨୪ ବର୍ଷ ଶାସନ ପରେ ହେଲାଣି କି ମତିଭ୍ରମ ?
  • ପଦବୀ ଦେଲା ହେଲେ ସମ୍ମାନ ନାହିଁ 

ଅର୍ଗସ ବ୍ୟୁରୋ: ସରକାରରେ ଥିଲା ବେଳେ ତ ଯାହା ଅସାମ୍ବିଧାନିକ କାମ କରୁଥିଲା କରୁଥିଲା ଏବେ ବିରୋଧୀ ଦଳ ଆସନରେ ବି ବସିବା ପରେ ସମାନ କାମ କରୁଛି । ଅର୍ଥାତ୍‌ ଯାହା ନିୟମରେ ନାହିଁ ତାହା କରୁଛି ବିଜେଡି । କୁହାଯାଉଛି କି, ୨୪ ବର୍ଷର ଶାସନର ପତନ ପରେ ବିଜେଡିର ମତିଭ୍ରମ ବଢ଼ିବାରେ ଲାଗିଛି । ଦଳ ଏବେ ନିଜର ନେତାମାନଙ୍କୁ ସମ୍ବିଧାନିକ ସ୍ୱୀକୃତି ନଥିବା ପଦବୀର ‘ଲଲିପପ’ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରୁଛି । ଏଇ ଯେମିତି ବିଜେଡିର ରେଢାଖୋଲର ବିଧାୟକ ତଥା ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ କେଶରୀ ଦେବଙ୍କୁ ଆଜି ବିଜେଡି ଏଭଳି ପଦବୀ ଦେଇଛି ଯାହାକି ବିଧାନସଭାରେ ଆଇନସମ୍ମତ କିମ୍ବା ସ୍ୱୀକୃତ ନୁହେଁ ବୋଲି ଜଣାପଡ଼ିଛି ।

ବିରୋଧୀ ଦଳର ନେତା ହେବ କିଏ ? ଏହାକୁ ନେଇ ଅନେକଦିନ ହେଲାଣି ମାନସମନ୍ଥନ ଚାଲିଥିଲା । ହେଲେ ଗତକାଲି ଶଙ୍ଖ ଭବନରେ ବସିଥିବା ବୈଠକରେ ସ୍ପଷ୍ଟ ହୋଇଥିଲା କି ନବୀନ ହିଁ ବିରୋଧୀ ଦଳର ନେତା ବୋଲି । ଏହାପରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଧାୟକ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ କେଶରୀ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି । ତେବେ ବିଧାନସଭାର ରୁଲସ୍ ଅଫ ପ୍ରୋସିଜିଓରରେ ବିରୋଧୀ ଦଳର ‘ଉପନେତା’ କିମ୍ବା ‘ଉପମୁଖ୍ୟ ସଚେତକ’ ଭଳି ପଦବୀ ନଥିଲେ ବି ବିଜେଡି ଏହି ଅଣସାମ୍ବିଧାନିକ ପଦବୀରେ ଦଳର ଦୁଇଜଣ ନେତାଙ୍କୁ ଥଇଥାନ କରିବାକୁ ପଛାଇ ନାହିଁ । ପୂର୍ବରୁ ‘ଫାଇଭ-ଟି’ ଓ ଅନ୍ୟାନ୍ୟ ଅଣସାମ୍ବିଧାନିକ ପଦବୀ ସୃଷ୍ଟି ସହ କାର୍ଯ୍ୟ କରିଥିବା ଭି.କେ ପାଣ୍ଡିଆନଙ୍କ ଚାପରେ ଦୁଇ ଅଣସାମ୍ବିଧାନିକ ପଦବୀରେ ଦଳୀୟ ନେତାଙ୍କ ‌ଥଇଥାନକୁ ବିଜେଡି ବିଧାୟକମାନେ ବି ସହମତି ଦେଇଥିବା କୁହାଯାଉଛି ।

ମୋଟ୍‌ ଉପରେ ବିଜେଡିରେ ଏବେ କିଛି ଠିକ୍‌ଠାକ ନାହିଁ । କାରଣ ସାଧାରଣ ନିର୍ବାଚନର ଫଳ ବାହାରିବାର ପାଖାପାଖି ୧୫ ଦିନ ବିତିଲାଣି । କିନ୍ତୁ ପରାଜୟର କାରଣ ଖୋଜିପାରୁନି ବିଜେଡି । ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା । ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା । କିନ୍ତୁ ସେମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ହେଲେ ଏ ସବୁ ଭିତରେ ଯେଉଁପରି ଭାବରେ ଗତକାଲି ବିରୋଧୀ ଦଳ ନେତା ଚୟନ ହେବା ସହିତ ଅସାମ୍ବିଧାନିକ ପଦ ବଂଟାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJD | Argus News