ବନବାସରୁ ଫେରିଲେ ସଞ୍ଜୟ, ଗଲେ ବବି ଦାସ !

Key Points
- ପୁଣି ପାୱାର କରଡରକୁ ଫେରିଲେ ସଞ୍ଜୟ
- କୋଣଠେସା ନେତାଙ୍କୁ ମନାଉଛି ବିଜେଡି
- ପାଣ୍ଡିଆନଙ୍କ ଭରସା ଜିତିବାରେ ସଫଳ ହେଲେ କି ସଞ୍ଜୟ ?
ଅର୍ଗସ ବ୍ୟୁରୋ: ପାଖାପାଖି ଦେଢ ବର୍ଷ ପରେ ପୁଣି ଥରେ ପାୱାର କରିଡରକୁ ଫେରିଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା । ୨୦୧୯ ନିର୍ବାଚନ ପୂର୍ବରୁ ବାବୁଙ୍କର ଦଳରେ ଦବଦବା ଥିଲା । ଏମିତିକି ହାରିବା ପରେ ବି ତାଙ୍କୁ ଖସି କରିବାକୁ ଦଳୀୟ ପର୍ଯବେକ୍ଷକ ଓ ପରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ପଦ ଦିଆଯାଇଥିଲା । ହେଲେ ସମୟ କ୍ରମେ ସଞ୍ଜୟଙ୍କର କାଟତି ସେତେଟା ଆଉ ରହିଲା ନାହିଁ । ଆଉ ଧୀରେ ଧୀରେ ପାୱାରଲେସ୍ ହେଲେ ସଞ୍ଜୟ । ବିଜେଡି ବିରୋଧରେ ବିଷ ଉଦଗାର କରିଥିଲେ ଏବେ ପର୍ଯ୍ୟବେକ୍ଷକ ପଦ ପାଇଲେ ।
ନିର୍ବାଚନ ହାରିବା ପରେ ତାଙ୍କୁ ରାଜ୍ୟସଭା ପଠାଯିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ମିଳିଲାନି । ଏମିତିକି ଦାସବର୍ମାଙ୍କୁ ୨୦୨୧ ଜୁନ୍ ମାସରେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଓ ପରେ ୨୦୨୨ ଜୁନ୍ ମାସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ସଞ୍ଜୟଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରାୟ ୨ବର୍ଷ ଧରି ଏକରକମ କୋଣଠେସା କରି ରଖିଥିଲା ବିଜେଡ଼ି । ଅବଶ୍ୟ ଏଥିରେ ଦଳର କିଛି ଆଗଧାଡ଼ି ନେତାଙ୍କର ସଂପୃକ୍ତି ରହିଥିଲା ।
ଦଳରୁ କୋଣଠେସା ହେବା ପରେ ବିଜେଡି ବିରୋଧରେ ବିଷ ଉଦଗାର କରିଥିଲେ ସଞ୍ଜୟ । ତାହା ପୁଣି ସର୍ବସାଧାରଣ ସ୍ଥାନରେ । ଅବଶ୍ୟ ସିଧାସଳଖ କାହାର ନାଁ ଧରିନଥିଲେ କିନ୍ତୁ ଟାର୍ଗେଟ୍ କରିଥିଲେ । ଚର୍ଚ୍ଚା ଏମିତି ବି ହେଉଥିଲା ସିଏ କାଳେ ଦଳ ଛାଡିବେ ବୋଲି । ହେଲେ ଆଜି ସବୁଥିରେ ଯବନିକା ପଡିଛି । କାରଣ ଯେଉଁ ଜିଲ୍ଲାରେ ଦଳ ମାଟି କାମୁଡ଼ିଥିଲା ଉପନିର୍ବାଚନରେ ସେଇଠି ଦାୟିତ୍ଵ ମିଳିଛି ତାଙ୍କୁ । କାଳେ ନିର୍ବାଚନରେ ଦଳ ସୁରାକ୍ ପାଇଛି ସେଇଠି ଜିତିବା କଷ୍ଟ । ହେଲେ ବି ସଞ୍ଜୟଙ୍କୁ ଭାଗ୍ୟ ପରୀକ୍ଷାର ଦେଇଛି ସୁଯୋଗ ।
ଖାଲି ସଂଜୟ କାହିଁକି ? ବରଂ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ ହୋଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ପ୍ରତାପ ଜେନା ଏବେ ଆଇନଗତ ବିବାଦ ଭିତରେ ଫସିବା ପରେ ବି ତାଙ୍କୁ ଦଳ ଦାୟିତ୍ଵ ଦେଇଥିବାରୁ ବିଜେଡି କେତେ ଆଇନକାନୁନକୁ ସମ୍ମାନ ଦେଉଛି ତାହା ଜଳଜଳ ହୋଇ ଦିଶୁଛି ।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେଉଁ ଗୋଷ୍ଠୀ ଗତ କିଛିବର୍ଷ ଧରି ଦଳୀୟ ସାଂଗଠନିକ କାର୍ଯ୍ୟ ଉପରେ ନିଜର ହାକିମାତି ଦେଖାଇବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କ ରାଜନୀତିକ ଅସ୍ତିତ୍ୱ ଓ ଲୋକପ୍ରିୟତା ଯେ ନାହିଁ ତାହା ବିଜେଡି ନେତୃତ୍ୱ ଓ ରଣନୀତିକାର ବୁଝିସାରିଛନ୍ତି । ବୋଧହୁଏ ସେଇଥି ଲାଗି ବବିଙ୍କୁ ଆଉଟ୍ କରି ସଞ୍ଜୟଙ୍କୁ ଇନ୍ କରାଯାଇଛି ।