Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ବର୍ଷ ଶାସନ କଲେ, ହେଲେ ଚାଷୀ ଏବେ ବି କାନ୍ଦୁଛି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୨୪ ବର୍ଷ ଶାସନ କଲେ, ହେଲେ ଚାଷୀ ଏବେ ବି କାନ୍ଦୁଛି

୨୪ ବର୍ଷ ଲଗାତର ଶାସନ କଲେ । ହେଲେ ଚାଷୀଙ୍କ ଦୁଃଖ ବୁଝିଲେନି । ସତେ ଯେମିତି ଓଡ଼ିଶାରେ ଚାଲିଥିଲା ଏକଛତ୍ରବାଦ ଶାସନ । ଯିଏ ଯେତେ ନେହୁରା ହେଲେ ବି ଆଖି-କାନ ବୁଜି ଦେଉଥିଲେ ସରକାର । କାହା କଥା କିଛି ଶୁଣୁନଥିଲେ । ସରକାରଙ୍କର ଯାହା ଇଚ୍ଛା ହେଉଥିଲା ତାହା କରୁଥିଲେ । ନିଜ ହକ୍‌ ପାଇଁ ଚାଷୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଲେ । ହେଲେ ରାଜରାସ୍ତାରେ ମାଡ଼ ଖାଇ ଘରକୁ ଫେରିଲେ । ଚାଷୀଙ୍କ ବଡ଼ ଦାବି ଥିଲା ଶୀତଳ ଭଣ୍ଡାର । ହେଲେ ସବୁ ଦାବିକୁ ଏପଟ କାନରେ ପୁରାଇ ସେପଟ କାନରେ ବାହାର କରିଦେଉଥିଲେ ସରକାର।

୨୪ ବର୍ଷର ବିଜେଡି ଶାସନରେ ଓଡ଼ିଶାର ଭାତ ହାଣ୍ଡିକୁ ଅବହେଳା କରିଛନ୍ତି ପୂର୍ବ ନବୀନ ସରକାର । ଚାଷୀ ମାନଙ୍କର ସବୁଠାରୁ ବଡ ଦାବି ଥିଲା ଶୀତଳ ଭଣ୍ଡାର । ବାରମ୍ବାର ଦାବି ପରେ ମଧ୍ୟ ପୂର୍ବ ସରକାର ସମୟରେ ବରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହୋଇପାରିଲାନି ଗୋଟିଏ ବି ଶୀତଳ ଭଣ୍ଡାର। ଫୁଲ କୋବି, ଟମାଟୋ ପରେ ଏବେ ବରଗଡ଼ରେ ଦେଖା ଦେଇଛି ଆଳୁର ଅଭାବୀ ବିକ୍ରି ।

ନିଜ ଶ୍ରମର ପାଉଣା ମିଳିବା ତ ଦୂରର କଥା ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ପାଇବାର ଆଶା ଛାଡ଼ି ଦେଇଛନ୍ତି ଚାଷୀ । ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ୬୦୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି । ବର୍ତମାନ ବଜାରରେ ଆଳୁର ଦର କିଲୋ ପ୍ରତି ୨୦ ଟଙ୍କା ରହିଥିବା ବେଳେ ବେପାରୀମାନେ ଆସି ଚାଷୀଙ୍କଠାରୁ ୯ ରୁ ୧୦ ଟଙ୍କାରେ କିଣି ନେଉଛନ୍ତି ଆଳୁ । ଆଳୁ ରଖିବାକୁ ଶୀତଳ ଭଣ୍ଡାର ନଥିବାରୁ ବାଧ୍ୟ ହୋଇ ବେପାରୀଙ୍କୁ କମ୍ ଦରରେ ବିକ୍ରି କରୁଥିବା କହିଛନ୍ତି ଚାଷୀ ।

ଏକର ଏକର ଜମିରେ ଆଳୁ ଚାଷ କରନ୍ତି ଚାଷୀ । ତାପରେ ବିଲରେ ଶ୍ରମିକ ଓ ଚାଷୀ ମିଶି ଆଳୁ ତୋଳନ୍ତି, ତାକୁ ବସ୍ତାରେ ପ୍ୟାକିଂ କରନ୍ତି । ନିଜ ହାତରେ ପଚି ସଢ଼ି ଯାଇଥିବା ଆଳୁ ଧରି ନିଜ ଦୁଃଖ ବଖାଣନ୍ତି । ହେଲେ ତାଙ୍କ ଦୁଃଖ କିଏ ବା ଶୁଣୁଛି । ଆଳୁ ବିହନକୁ କେଜି ପିଛା ୪୦ ଟଙ୍କାରେ ଚାଷୀ କିଣି ଚାଷ କରିଥିବା ବେଳେ ତାର ଅଧା ଦାମରେ ବିକ୍ରି ହେଉନାହିଁ ଆଳୁ ।

ଯଦି ଶୀତଳ ଭଣ୍ଡାର ଥାଆନ୍ତା ତାହେଲେ ଆଳୁକୁ ଷ୍ଟୋର କରି ରଖିହୁଅନ୍ତା । ଆଉ ଆବଶ୍ୟକ ବେଳେ ବାହାର କରି ଚାଷୀ ତାକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରନ୍ତା। କିନ୍ତୁ ଏବେ ବାହାରେ ପଡ଼ି ପଡ଼ି ଆଳୁ ନଷ୍ଟ ହେଉଛି । ଅନ୍ୟପଟେ ବିଜେଡି ଶାସନ ସମୟରେ ଯାହା ହୋଇପାରିଲା ନାହିଁ ତାହା ବିଜେପି ସରକାର କରିବ ବୋଲି ଆଶା ବାନ୍ଧିଛନ୍ତି ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD ruled for 24 years, but farmers are still crying. | Argus News