Odisha Politics / ମୁଣ୍ଡରେ ହାତ ଦେଲେଣି ନବୀନ, କ'ଣ କରିବେ କିଛି ବୁଝି ପାରୁନାହାନ୍ତି..!

Key Points
ଛିଡୁଛି ବିଜେଡି.. ବଢୁଛି ବିଜେପି । ଭଦ୍ରକରେ ଧ୍ୱସ୍ତ ହୋଇଗଲା ବିଜେଡି ଗଡ଼ । ଶଙ୍ଖ ଶିବିର ଛାଡି ପଦ୍ମ ଧରୁଛନ୍ତି ତୃଣମୁଳ ନେତା । ଭଦ୍ରକ ଜିଲ୍ଲାର ୪ ବ୍ଲକ ଅଧ୍ୟକ୍ଷ ଧରିଲେ ପଦ୍ମ । ୫୦ରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କୁ ଧରି ପ୍ରଫୁଲ୍ଲଙ୍କ ଦୁଇ ପୁଅ ବି ଧରିଲେ ପଦ୍ମ ।
କିଛି ଦିନ ତଳେ ଶଙ୍ଖ ଦଳ ଛାଡ଼ିଥିବା ଜିଲ୍ଲାର ୪ଟି ବ୍ଲକର ଅଧ୍ୟକ୍ଷ ଆଜି ପଦ୍ମ ଧରିଛନ୍ତି । ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବରେ ୫୦ରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଜେପିରେ ମିଶିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ଜଣ ପୁଅ ଓ ଭଉଣୀ।
୪ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡ଼ିବା ପରେ ନବୀନ ନିବାସ ଡାକି ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ । ଏବେ ପ୍ରଫୁଲ୍ଲଙ୍କୁ ଛାଡ଼ି ତାଙ୍କ ପୁରା ପରିବାର ବିଜେପିରେ ମିଶିବା ଭଦ୍ରକରେ ବିଜେଡିକୁ ଦେଇଛି ବଡ଼ ଝଟକା।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ମହା ମିଶ୍ରଣ ପର୍ବ । ଏକା ସାଙ୍ଗରେ ଭଦ୍ରକ, ବନ୍ତ, ବାସୁଦେବପୁର, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି । ଗତ ସପ୍ତାହରେ ସେମାନେ ବିଜେଡି ଛାଡିଥିଲେ । ଶନିବାର ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କୁ ଧରି ବିଜେପିରେ ସାମିଲ ହୋଇଛନ୍ତି । ଭଦ୍ରକର ଟାଣୁଆ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରପୁଲ୍ଲ ସାମଲଙ୍କୁ ଦୁଇ ପୁଅ ପ୍ରୟାସ କାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିରାଟ ପଟୁଆରରେ ବାଜା ବଜାଇ, ବାଣ ଫୁଟାଇ ଏମାନେ ମହା ମିଶ୍ରଣ ପର୍ବରେ ପିନ୍ଧିଥିଲେ ଗେରୁଆ ଟୋପି ।
ଏକା ସାଙ୍ଗରେ ଏତେ ସଂଖ୍ୟାରେ ପଞ୍ଚାୟତ ପ୍ରତିନିଧିଙ୍କ ବିଜେଡି ଛାଡିବା ବିଜେଡି ଶିବିରରେ ଆଣିଛି କମ୍ପନ । ନୂଆପଡ଼ା ନିର୍ବାଚନ ବେଳେ ବି ଜିଲ୍ଲାର ଆଗଧାଡ଼ିର ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତାଳଚେର ପୌରପରିଷଦ ଅଧ୍ୟକ୍ଷଙ୍କ ସହ ୧୩ କର୍ପୋରେଟର କିଛି ଦିନ ପୂର୍ବରୁ ବିଜେଡି ଛାଡି ପଦ୍ମ ଧରିଥିଲେ । କେବଳ ନୂଆପଡ଼ା, ତାଳଚେର କି ଭଦ୍ରକ ନୁହେଁ ୧୭ ମାସ ଭିତରେ ୧୫ରୁ ଅଧିକ ବ୍ଲକ ଅଧ୍ୟକ୍ଷ, ଏନଏସି ଓ ପୌର ପରିଷଦର ଅଧ୍ୟକ୍ଷଙ୍କ ପରି ତୃଣମୁଳ ସ୍ତରର ନେତା ବିଜେଡି ଛାଡିଲେଣି ।
ଗୋଟିଏ ପରେ ଗୋଟିଏ ବ୍ଲକରେ ବିଜେଡି ତାର କର୍ତ୍ତୃତ୍ୱ ହରାଉଥିବା ବେଳେ, ରାଜ୍ୟ ସ୍ତରରେ ବି ହୁଗୁଳା ହୋଇଛି ନେତୃତ୍ୱଙ୍କ କର୍ତ୍ତୃତ୍ୱ । ଏପରି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଖାଲି ହୋଇଯିବନି ତ ବିଜେଡି କ୍ୟାମ୍ପ ?
📱 Get Argus News App
✨Related Topics
Explore more stories