ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?

Key Points
- ମନ୍ମଥ, ଅନନ୍ତଙ୍କ ପାଇଁ ରୋଡ୍ ସୋ' କଲେ ନବୀନ
- ଗାଡିରେ କିନ୍ତୁ କାହାକୁ ନେଲେନି
- କେବଳ ପାଣ୍ଡିଆନଙ୍କୁ ଧରି ରୋଡ୍ ସୋ' କଲେ
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍ ମାଗିବେ ? ସେନେଇ ଲୋକଙ୍କ ମନରେ ଥିଲା ପ୍ରବଳ ଉତ୍କଣ୍ଠା । ହେଲେ ସବୁ ଉତ୍କଣ୍ଠାରେ ପାଣି ପକାଇଦେଲେ ନବୀନ । କାରଣ ପ୍ରଚାର ଗାଡିରେ କେବଳ ନିଜେ ବସିଲେ...ନାଁ ସାଙ୍ଗରେ ସାଂସଦ ପ୍ରାର୍ଥୀ ଥିଲେ ନା ବିଧାୟକ ପ୍ରାର୍ଥୀ ଥିଲେ ? କେବଳ ନିଜେ ନିଜେ...ପାଣ୍ଡିଆନଙ୍କ ସହ ହାତ ହଲାଇ...ଆପଣମାନେ ଖୁସି ତ ? ପଚାରି ୨ ଘଂଟାର ରୋଡ ସୋ' କଲେ । ଏ ରୋଡ୍ ସୋ' ପରେ ସେହି ପୁରୁଣା ଚର୍ଚ୍ଚା ଆରମ୍ଭ ହେଲା, ନବୀନ କେବଳ ପାଣ୍ଡିଆନଙ୍କ ସହ କଥା ହୁଅନ୍ତି । ଅନ୍ୟ ନେତାଙ୍କୁ ପାଖରେ ପୁରାନ୍ତି ନାହିଁ । ତାମିଲ ବାବୁ ନବୀନଙ୍କୁ ଏମିତି କି ମନ୍ତ୍ର ଫୁଙ୍କିଛନ୍ତି କେଜାଣି ଓଡ଼ିଆ ନେତାଙ୍କୁ ପାଖ ମଡ଼ାଇ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ଏବେ ଚାଲିଛି ତାମିଲ ଶାସନ । ବିଜେଡି ଏବେ ତାଙ୍କ କଥାରେ ପରିଚାଳିତ । ପୂର୍ବରୁ ଏମିତି କିଛି କଥା ଚର୍ଚ୍ଚା ହେଉଥିଲା । ହେଲେ ସେ ଚର୍ଚ୍ଚାର ଅବସାନ କାଲି ଖୋଦ ନବୀନ ବାବୁ କରିଛନ୍ତି । ଏବେ ରାଜ୍ୟରେ ସରଗରମ ରାଜ୍ୟରାଜନୀତି । ଘଡ଼ିକେ ଘୋଡା ଛୁଟୁଛି । ଏହାରି ଭିତରେ ନେତାଏ ରୋଡ୍ ସୋ' ବି କରୁଛନ୍ତି । ବିଗତ ଦିନରେ ପ୍ରଧାନମନ୍ତ୍ରୀ ମୋଦି ବି ଭୁବନେଶ୍ଵରରେ ରୋଡ ସୋ' କରିଥିଲେ । ଆଉ ଖୋଦ ପିଏମଙ୍କ ସହ ଭୁବନେଶ୍ଵର ସାଂସଦ ପ୍ରାର୍ଥୀନୀ ଅପରାଜିତା ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଥିଲେ । ହେଲେ ନବୀନଙ୍କ ରାଲିରେ ସେମିତି କିଛି ଦେଖିବାକୁ ମିଳିନଥିଲା ।
ପ୍ରତ୍ୟକ୍ଷ ଭାବରେ ନିର୍ବାଚନ ଲଢୁନାହାନ୍ତି । ହେଲେ କ୍ଷମତା ଛାଡିବାକୁ ସେ ନାରାଜ ଅଛନ୍ତି । ସେଇଥି ଲାଗି ତ ନବୀନଙ୍କ ପାଖେ ପାଖେ ରହି ମନ୍ଦ ବୁଦ୍ଧି ଦେଇ ଓଡ଼ିଆ ନେତାଙ୍କୁ ଦୂରେଇ ରଖି ନିଜର ୫-ଟି ତାମିଲ ଅଫିସରଙ୍କୁ ଧରି ଏଇଠୁ ସମ୍ପତ୍ତି ନେଇ ତାମିଲନାଡୁରେ ଏକାଠି କରୁଛନ୍ତି । ତେଣୁ କାଳେ କୌଣସି ଓଡ଼ିଆ ନେତା ନବୀନଙ୍କ ପାଖ ଲୋକ ହେଲେ ତାଙ୍କ ପ୍ରତି ବିପତ୍ତି ମାଡ଼ି ଆସିବ । ତେଣୁ ନବୀନଙ୍କ ସହ କୌଣସି ଓଡ଼ିଆ ନେତାଙ୍କୁ ସେ ଭେଟେଇ ଦେଉନଥିଲେ । କିନ୍ତୁ ନିର୍ବାଚନ ରାଲିରେ ବି ବିନା ପ୍ରାର୍ଥୀଙ୍କ ସହ ନବୀନ ଯେମିତି ରୋଡ୍ ସୋ' କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ନବୀନ କେବଳ ବିଜେଡିର ଷ୍ଟାମ୍ପ, ପ୍ରକୃତରେ ଶାସନ ଏବେ ତାମିଲ ବାବୁଙ୍କ ହାତେର ।
