କ୍ୟାମ୍ପସ ସୁରକ୍ଷାକୁ ପ୍ରସଙ୍ଗ କରି ଅଗଷ୍ଟ ୧ରୁ ୧୪ ଦିନ ଧରି ଅଭିଯାନ କରିବ ବିଜେଡି

Key Points
ଛାତ୍ର ସଂସଦ ନିର୍ବାଚନକୁ ନେଇ ଛକାପଞ୍ଝା
କ୍ୟାମ୍ପସ ସୁରକ୍ଷାକୁ ପ୍ରସଙ୍ଗ କରି ଅଗଷ୍ଟ ୧ରୁ ୧୪ ଦିନ ଧରି ଅଭିଯାନ କରିବ ବିଜେଡି
ଦଳର ଅଭିଯୋଗ ବିଜେପିର ଛାତ୍ର ସଂଗଠନ ହାତରୁ ଖସିଗଲାଣି କଲେଜ
ବିଜେପିର ପାଲଟା ପ୍ରଶ୍ନ ୬ ବର୍ଷ ହେବ କ୍ୟାମ୍ପସରେ ନିର୍ବାଚନ ବନ୍ଦ କରିଛି କିଏ ?
ଛାତ୍ରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ କ୍ୟାମ୍ପସ ରାଜନୀତିକୁ କଂଗ୍ରେସ ବି କୁଦିଲା
ଏଥର କ୍ୟାମ୍ପସରେ ହେବ କି ଛାତ୍ର ସଂସଦ ନିର୍ବାଚନ?
ନା ପୂର୍ବ ବର୍ଷ ପରି ଏଥର ବି ଟଳିବ ନିର୍ବାଚନ?
ଛାତ୍ର ସଂସଦ ନିର୍ବାଚନକୁ ନେଇ ଜୋର ଧରିଲା ରାଜନୀତି । ଚଳିତ ବର୍ଷ କଲେଜ ନିର୍ବାଚନ ହେବ କି ନାହିଁ । ତାକୁ ନେଇ ଚାଲିଛି ରାଜନୈତିକ ବୟାନବାଜି । ଆଉ ଏ ସବୁ ଭିତରେ କ୍ୟାମ୍ପସ ପଲିଟିକ୍ସରେ ନିଜକୁ ଆକ୍ଟିଭ କଲାଣି ବିଜେଡି ଯୁବ ଓ ଛାତ୍ର ୱିଙ୍ଗ । ଛାତ୍ରୀଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି ଅଗଷ୍ଟ ୧ରୁ ଅଗଷ୍ଟ ୧୪ ଯାଏଁ ରାଜ୍ୟ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ । ବିଜେଡି କହିଛି, କଲେଜ ନିର୍ବାଚନକୁ ଡରିଗଲାଣି ବିଜେପି ଓ ତାଙ୍କ ଛାତ୍ର ସଂଗଠନ । ସେପଟେ କଂଗ୍ରେସ ମଧ୍ୟ ବିଜେଡି ସହ ସ୍ଵର ମିଶାଇଛି ।
ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ କଡା କାଉଣ୍ଟର କରିଛି ବିଜେପି । ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ବିଜେଡ଼ି ବନ୍ଦ କରିଥିଲା । ଆମ ହାତରୁ କେମିତି ଖସିଗଲା କଲେଜ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ମଧ୍ୟ ପ୍ରବଳ ତାତି ଦେଖିବାକୁ ମିଳିଛି । ଏବିଭିପି କହିଛି, ପୂର୍ବ ବିଜେଡି ସରକାର ନିର୍ବାଚନ ବନ୍ଦ କରିଥିବାରୁ କଲେଜ ସ୍ତରରେ ଛାତ୍ର ନେତୃତ୍ଵ ସୃଷ୍ଟି ହୋଇପାରୁନଥିଲେ । ଅନ୍ୟ ଛାତ୍ର ସଂଗଠନ ନିର୍ବାଚନ ସପକ୍ଷରେ ଦାବି କରି ସରକାର କାହିଁକି ଡରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
2017 ରେ ଶେଷ ଥର ପାଇଁ ହୋଇଥିଲା ଛାତ୍ର ସଂସଦ ନିର୍ବାଚନ, ୨୦୧୮ରେ ବାତ୍ୟା ତିତଲି, ୨୦୧୯ରେ କ୍ୟାମ୍ପସ ଅଶାନ୍ତି, ୨୦୨୦ରେ କୋଭିଡ ଆଳ ଦେଖାଇ ଛାତ୍ର ସଂସଦ ନିର୍ବାଚନ ଟାଳିଥିଲେ ସରକାର... ତା ପରଠୁ ବାହାନା ନ ଥିଲେ ବି ବିନା କାରଣରେ କଲେଜରେ ହେଉନି ନିର୍ବାଚନ.. ଏବେ ବିଜେପି ସରକାର ଆସିବା ପରେ ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ତେଣୁ ଆଗକୁ ନିର୍ବାଚନ ବିଜ୍ଞପ୍ତି କେବେ ବାହାରୁଛି ତାହା ଉପରେ ରହିଛି ନଜର ।