ଟିକଟ, ବିଜେଡି, ଟେନସନ : ହାଉଲେ ହାଉଲେ ଘୋଷଣା ହେଉଛି ପ୍ରାର୍ଥୀଙ୍କ ନାଁ

Key Points
- ଟିକଟ, ବିଜେଡି, ଟେନସନ
- ହାଉଲେ ହାଉଲେ ଘୋଷଣା ହେଉଛି ପ୍ରାର୍ଥୀଙ୍କ ନାଁ
- ବିରୋଧକୁ ଡର ନା ବିଦ୍ରୋହକୁ ?
ଅର୍ଗସ ବ୍ୟୁରୋ: ପୁଣି ଝୁଲିଲା ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ । ଗତକାଲି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏଥିରେ ବି ରାଜ୍ୟର ୧୪୭ ବିଧାନସଭା ଆଉ ୨୧ ଲୋକସଭା କ୍ଷେତ୍ରରେ ଘୋଷଣା ହୋଇପାରିଲା ନାହିଁ ପ୍ରାର୍ଥୀଙ୍କ ନାଁ । କୁହାଯାଉଛି କି, ବାଲେଶ୍ୱର ଲୋକସଭା ଓ ବାକି ଥିବା ୩୯ ବିଧାନସଭାରେ କାହାକୁ ପ୍ରାର୍ଥୀ କରିବ ଦଳ ? ସେ ନେଇ ଅକଳରେ ବିଜେଡି । ସବୁଠୁ ବେଶି ଅଛିଣ୍ଡା ଅଙ୍କ ଭୁବନେଶ୍ୱର ମଧ୍ୟ, ଜଗତସିଂହପୁରର ପାରାଦୀପ ଏବଂ ଏରସମା-ବାଲିକୁଦାରେ । କାହା ଟିକେଟ କାଟିବେ କାହାକୁ ରଖିବେ ସେ ନେଇ ହାଇପର ଟେନସନରେ ସୁପ୍ରିମୋ ।
ଟିକଟକୁ ନେଇ ହାଇଟେନସନ୍ରେ ନବୀନ । କାହାକୁ ପ୍ରାର୍ଥୀ କାଟିବେ କାହାକୁ ରଖିବେ ସେନେଇ ଯେତେ ଅଙ୍କ କଷିଲେ ବି ଗଣିତ ଛିଣ୍ଡୁନି କି ଭାଗଫଳ ବାହାରୁନି । ବାକିଥିବା ୩୯ ବିଧାନସଭା ଆସନକୁ ନେଇ ବିଜେଡିର ଏବେ ବେଶି ମୁଣ୍ଡବିନ୍ଧା । ୨୦ରୁ ଅଧିକ ଆସନରେ ନିଷ୍ପତ୍ତି ଟଳମଳ । ଯେମିତି ଜଗତସିଂହପୁରର ପାରାଦୀପ ଓ ବାଲିକୁଦା-ଏରସମା ସହ ଯାଜପୁରର କୋରେଇ ପୁଣି ବାଲେଶ୍ଵରର ଲୋକସଭା କ୍ଷେତ୍ର । ପାରାଦୀପରେ ବାପି ସର୍ଖେଲଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିବା ପରେ ସମୀକରଣ ବଦଳିଛି । ବିଧାୟକ ସମ୍ବିତ ରାଉତରାୟ ପୁଣି ଥରେ ଟିକେଟ ଲବିରେ ଆଗରେ ଥିବା ବେଳେ ପାରାଦୀପରୁ ଲଢ଼ିବାକୁ ଚାହୁଁଛନ୍ତି କଂଗ୍ରେସ ଛାଡ଼ିଥିବା ନେତା ବାପି ସର୍ଖେଲ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡି ପାରାଦୀପରୁ ବାପି କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇ ସମ୍ବିତଙ୍କୁ ବାଲିକୁଦା-ଏରସମା ପଠାଇପାରେ । ତେବେ ଯଦି ସମ୍ବିତ ବାଲିକୁଦା ଯାଆନ୍ତି ତାହାଲେ ଏବେର ବିଧାୟକ ରଘୁନନ୍ଦନ ଦାଶ ବିଦ୍ରୋହୀ ସାଜିବେନି ତ ? ସେମିତି ବାଲେଶ୍ୱର ଲୋକସଭା ସହ ସେଠାର ୩ ବିଧାନସଭା ଆସନରେ ବି ବିଜେଡିର ସଂଗୀନ ସ୍ଥିତି । ପୂର୍ବତନ ସାଂସଦ ରବି ଜେନାଙ୍କ ପତ୍ନୀ ସୁବାସିନୀ ଜେନା ବସ୍ତାରୁ ଟିକେଟ ପାଇବା ପରେ ସାଂସଦ ଟିକେଟ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା। ରବି ଜେନା ଏବଂ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ମଧ୍ୟରେ ଏବେ ଅହିନକୁଳ ସଂପର୍କ । ତେଣୁ ପ୍ରାର୍ଥୀଙ୍କୁ ନେଇ ଛିଣ୍ଡୁନି ଅଙ୍କ ।
📱 Get Argus News App
✨ଖାଲି ବାଲେଶ୍ଵର କାହିଁକି, ଖୋର୍ଦ୍ଧାରେ ବି ବିଜେଡିର ସମଦଶା। ଜିଲ୍ଲାର ୩ ଚର୍ଚ୍ଚିତ ଆସନ ଚିଲିକା, ବେଗୁନିଆ ଓ ଖୋର୍ଦ୍ଧାକୁ ନେଇ ଦଳ ଏବେ ବି ଦ୍ୱନ୍ଦ୍ୱରେ । ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମଇଦାନକୁ ଓହ୍ଲାଇ ନୂଆ ଏକ୍ସପେରିମେଣ୍ଟ କରିବାକୁ ଦଳ ପ୍ରୟାସ କରୁଥିବା ବେଳେ ତାଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି ରଘୁ ସାହୁ ଗୋଷ୍ଠୀ। ଅନ୍ୟପଟେ ପ୍ରଶାନ୍ତ ଜଗଦେବ ବିଜେପିରେ ମିଶିବା ପରେ ବିଜେଡି ପାଇଁ ଉଭୟ ବେଗୁନିଆ ଓ ଖୋର୍ଦ୍ଧା ସମ୍ମାନର ସିଟ୍। ଏପଟେ ଯାଜପୁର କୋରେଇରେ ବି କେଁ । ଯଦି ବବିଙ୍କୁ ଦୁଇଟି ଆସନରୁ ଟିକଟ ମିଳେ ତାହାଲେ ଏହାକୁ ବିରୋଧ କରାଯିବ । ଆଉ ଯଦି ଝିଲିକଙ୍କୁ ମିଳେ ତାହାଲେ ବି ବିରୋଧ ହେବ । ଏମିତି ସ୍ଥିତିରେ ଦଳ କାହାକୁ ଟିକଟ ଦେବ ସେନେଇ ପୂରା ଟେନସନ୍ରେ ରହିଛି ।
ମୋଟ୍ ଉପରେ ବିଜେଡିରେ ଏବେ ଟିକଟ କେଁ ଜଳଜଳ ହୋଇ ଦିଶୁଛି । କାହାକୁ କେଉଁଠୁ ଟିକଟ ମିଳିଲେ ଦଳ ଜିତିବ ସେନେଇ ଅଙ୍କ କଷା ଚାଲୁଛି ସତ ହେଲେ ଗଣିତ ଛିଣ୍ଡୁନଥିବାରୁ ଏବେ ଟେନସନ୍ରେ ବିଜେଡି ।
