' ବବି ଧମକ ଦେଲେ, ମୁଁ ଦଳ ଛାଡିଲି '

Key Points
- ବବିଙ୍କ ପାଇଁ ସାଂସଦ ପଦ ସହ ଦଳ ଛାଡିଲେ ମମତା
- ସାଂସଦଙ୍କୁ ନିଜ କଥାରେ ନଚାଇବାକୁ ଚେଷ୍ଟା କରୁଥିଲେ ବବି
- ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ?
ଅର୍ଗସ ବ୍ୟୁରୋ : ଦଳ ଛାଡିବା ପରେ ସାଙ୍ଘାତିକ ବୟାନ ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ । ସିଧା କହିଛନ୍ତି, ବବିଙ୍କ ପାଇଁ ସେ ଦଳ ଛାଡିଛନ୍ତି । କାରଣ ସାଂସଦ ପାଣ୍ଠିକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ତୁ ତୁ ମେଁ ମେଁ । ମୟୂରଭଞ୍ଜ ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ? ମମତାଙ୍କ ସାଂସଦ ପାଣ୍ଠିକୁ ବବି ନିଜ ଜିଲ୍ଲା ଯାଜପୁରରେ ଖର୍ଚ୍ଚ କରିବା ପାଇଁ ଯୋଜନା କରିଥିଲେ, ଅନୁମୋଦନ ବି ହୋଇଥିଲା । କିନ୍ତୁ ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା । ଯାହାକୁ ନେଇ ବବି କ୍ଷୁବ୍ଧ ହୋଇଥିବା କଥା ସାମ୍ନାକୁ ଆସିଥିଲା ।
ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । କାରଣ ପାୱାରରେ ଥିବା ବେଳେ ମନଇଚ୍ଛା କାମ କରୁଥିଲେ ବବି । ଦଳର ସାଂସଦ ଓ ବିଧାୟକ ନିଜ ପାଣ୍ଠି କେଉଁଠି ଖର୍ଚ୍ଚ କରିବେ ସେ ନିଷ୍ପତ୍ତି କୁଆଡେ ବବି ନେଉଥିଲେ । ମୟୂରଭଞ୍ଜ କୁଡୁମୀ ସଂପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିବା ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ଚିଠି ହିଁ ବୟାନ କରୁଛି ଯେ କେମିତି ଫନ୍ଦି ହୋଇଥିଲା । ୨୯ ସେପ୍ଟେମ୍ବର ୨୦୨୩ରେ ଯାଜପୁର ଜିଲ୍ଲା ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟର ମୟୂରଭଞ୍ଜ ଜିଲ୍ଲା ପ୍ଲାନିଂ ଆଣ୍ଡ ମନିଟରିଂ ୟୁନିଟ୍ ଉପ-ନିର୍ଦ୍ଦେଶକଙ୍କୁ ହୋଇଥିବା ଚିଠିରୁ ସବୁ ଜଳ ଜଳ ଦିଶୁଛି । ଯେଉଁଥିରେ ସାଂସଦ ମମତା ମହାନ୍ତଙ୍କ ଏକ କୋଟି ଟଙ୍କାର MP ଲ୍ୟାଡ୍ ଯାଜପୁର ଜିଲ୍ଲାର ୧୦ଟି ପ୍ରକଳ୍ପ ଲାଗି ଟ୍ରାନସଫର୍ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଆଉ ଚଳିତ ବର୍ଷ ଜାନୁଆରୀ ୯ରେ ହୋଇଥିବା ଚିଠିରେ ବି ସେମିତି କିଛି ଦେଖିବାକୁ ମିଳିଛି । ଯେଉଁଥିରେ ମମତା ଅନୁମୋଦନ ପାଇଥିବା ଯାଜପୁରର ୧୦ଟି ପ୍ରକଳ୍ପ ପାଇଁ ପାଣ୍ଠିକୁ ରଦ୍ଦ କରିଦେଇଥିଲେ । ତେବେ ଏ ସବୁ ସାମ୍ନାକୁ ଆସିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ବବି ଓ ମମତାଙ୍କ ମଧ୍ୟରେ କେମିତି ତୁ ତୁ ମେଁ ମେଁ ଚାଲିଥିଲା ।
କ୍ଷମତାରେ ଥିବା ବେଳେ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ ବବି । ଯାହାକୁ ଯାହା ପାରୁଥିଲେ ତାହା କହୁଥିଲେ । ଏମିତିକି କିଏ ରାଜ୍ୟସଭା ଯିବ? କିଏ ଟିକଟ ପାଇବ ସେକଥା ବି ସେ କହୁଥିଲେ । ମିଳିଥିବା ସୂଚନା ଅନୁସାରେ, ବବି ଓ ମମତାଙ୍କ ଭିତରେ କନ୍ଦଳ ଏତେ ତୀବ୍ର ହୋଇଯାଇଥିଲା ଯେ, ଅଗଷ୍ଟ ୪ରେ ତୁମକୁ ରାଜ୍ୟସଭାରୁ କାଢି ଅଣାଯିବ ବୋଲି କୁଆଡେ ବବି ଧମକ ଦେଇଥିଲେ ମମତାଙ୍କୁ । ଏମିତିକି କୁଡୁମୀ ସମ୍ପ୍ରଦାୟକୁ ନେଇ ବବି କୁତ୍ସାରଟନା କରିଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ତୀବ୍ର ହୋଇଥିଲା କଳି । ଯେଉଁଥି ଲାଗି ସ୍ଵାଭିମାନର ସହ ପଦ ଛାଡିବା ସହ ଦଳ ଛାଡିଛନ୍ତି ମମତା । ତେବେ ଏନେଇ ବବିଙ୍କର କିମ୍ବା ବିଜେଡିର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।