ଅଂଶୁମାନଙ୍କ ଘରେ ୟଙ୍ଗ ବ୍ରିଗେଡ୍ଙ୍କ ଶକ୍ତି ପ୍ରଦର୍ଶନ, ନବୀନଙ୍କ ଉପରେ ପକାଇଲେ ଚାପ !

ବିଜେଡିର ୱାକଫ୍ ଘମାସାନ୍ । ସିନିୟରଙ୍କ ପରେ ଜୁନିୟରଙ୍କ ମେଳି । ଅଂଶୁମାନଙ୍କ ଘରେ ଶକ୍ତି ପ୍ରଦର୍ଶନ କରି ସ୍ପଷ୍ଟି କରଣ ପାଇଁ ନବୀନଙ୍କ ଉପରେ ଚାପ ପକାଇଲେ । ଦେବାଶିଷଙ୍କ ସମର୍ଥନରେ ବାହାରିଲେ ଯୁବ ଗୋଷ୍ଠୀ । ନବୀନଙ୍କ ନିରବତାକୁ ନେଇ ପ୍ରଶ୍ନ, ଦଳରେ କମୁଛି କି କର୍ତୃତ୍ୱ । କ୍ଷମତାରୁ ଯିବା ପରେ ବିଜେଡି ଭାଙ୍ଗିଯିବ, ସତ ହେବ କି ରାଜନୀତି ସମୀକ୍ଷକଙ୍କ ମତ? ।
ପ୍ରୋ-ପାଣ୍ଡିଆନ ନେତାଙ୍କ ଏକ୍ସ ପୋଷ୍ଟକୁ ନେଇ ବର୍ଷିଲେ ଉଭୟ ଯୁବ ଓ ବରିଷ୍ଠ । ସୁଲତା, ମାନସ, ନିରଞ୍ଜନ ଓ ଶୁଭାଶିଷଙ୍କ ଆଟାକ୍ ପରେ ଦେବାଶିଷଙ୍କ ସମର୍ଥନରେ ବାହାରିଲେ ଯୁବ ଗୋଷ୍ଠୀ । ଏପଟେ ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ନବୀନ ନିବାସରେ ବସିଲା ବୈଠକ । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରି ଶେଷ କରିବା ପାଇଁ କହିଲେ ନବୀନ । ପ୍ରଶ୍ନ, ଗୃହ ଯୁଦ୍ଧ ସ୍ଥିତିରେ ପୁଞ୍ଜିଭୂତ ଅସନ୍ତୋଷକୁ ପ୍ରଶମିତ କରିବ ତ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ?
ଗତ ୪ ତାରିଖରେ ଶଙ୍ଖ ଭବନରେ ବସିଥିଲା ବରିଷ୍ଠ ନେତା ମାନଙ୍କ ବୈଠକ । ଆଉ ଆଜି ଅଂଶୁମାନ ମହାନ୍ତିଙ୍କ ବାସଭବନରେ ବସିଥିଲା ଯୁବ ଗୋଷ୍ଠୀଙ୍କ ବୈଠକ । ଦୁଇଟି ବୈଠକ, ଦୁଇ ଗୋଷ୍ଠୀଙ୍କ ଶକ୍ତି ପ୍ରଦର୍ଶନ । କାରଣ କିନ୍ତୁ ଏକ । ୱାକଫ୍ ବିଲ୍ ବେଳେ ଦଳର ଭିନ୍ନ ଭିନ୍ନ ଭୋଟିଂ ପଛର ଖଳନାୟକକୁ ସାମ୍ନାକୁ ଆଣିବା । କାହା ନିର୍ଦ୍ଦେଶରେ, କଣ ପାଇଁ ଦଳୀୟ ନିଷ୍ପତ୍ତି ବଦଳିଲା ସେନେଇ ତୁରନ୍ତ ଦ୍ଵନ୍ଦ୍ୱ ଦୂର ପାଇଁ ନବୀନଙ୍କ ଉପରେ ସିନିୟରଙ୍କ ପରେ ଜୁନିୟର ଗୋଷ୍ଠୀ ସୃଷ୍ଟି କରିଛନ୍ତି ଚାପ ।
ଖାଲି ସତିକି ନୁହେଁ ଦେବାଶିଷଙ୍କ ଘରୁ ଆରମ୍ଭ ହୋଇଥିବା ଜୁନିୟର ଗୋଷ୍ଠୀଙ୍କ ମେଳି ପ୍ରୋ-ପାଣ୍ଡିଆନ ନେତାଙ୍କ ବିରୋଧରେ ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା । ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆଙ୍କ ପ୍ରୋ-ପାଣ୍ଡିଆନ ପୋଷ୍ଟ ସହ ଦେବାଶିଷଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ମଧ୍ୟ ଯୁବ ଗୋଷ୍ଠୀଙ୍କ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି । ଯାହାକୁ ନେଇ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କୁ ଦାବିପତ୍ର ଦେବା ସହ ନବୀନଙ୍କୁ ଭେଟିବା ପାଇଁ ମାଗିଛନ୍ତି ସମୟ ।
ପାଣ୍ଡିଆନ ସପକ୍ଷରେ ଦଳର ୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବର୍ଷିଛନ୍ତି ବରିଷ୍ଠ ନେତା ପଦ୍ମନାଭ ବେହେରା । ପ୍ରତିକ୍ରିୟା ରଖି କହିଛନ୍ତି ଯାହା ସବୁ ହେଉଛି ତାହା ଦଳ ପାଇଁ କ୍ଷତିକାରକ । ଶୀଘ୍ର ସଭାପତି ଏହା ଉପରେ ଯବନିକା ପକାଇବା ଉଚିତ। ଅଧିକ ବିଳମ୍ବ କରିବା ଠିକ୍ ନୁହେଁ।
ସେପଟେ ୱାକଫ୍ ଘମାସାନ ପ୍ରସଙ୍ଗ ଉପରୁ ନଜର ହଟାଇବାକୁ ନବୀନ ନିବାସରେ ବସିଲା ବୈଠକ । ବୈଠକ ଡାକି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ୱିତ କରି ଶେଷ କରିବା ପାଇଁ କହିଛନ୍ତି ନବୀନ । ଅନ୍ୟପଟେ ୱାକଫ୍ ଘମାସାନର ଖୁବଶୀଘ୍ର ସମାଧାନ ହେବ ବୋଲି ନବୀନ ନିବାସରୁ ବାହାରିବା ପରେ କହିଛନ୍ତି କିଛି ଛାମୁଆ ନେତା ।