ଏକା ଲଢିବ, ଦମ ଦେଖାଇବ ବିଜେପି !

Key Points
- ଏକା ଲଢିବ ବିଜେପି
- ରାଜ୍ୟରେ ଦେଖାଇବ ଦମ୍
- ମେଂଟକୁ ନେଇ କିନ୍ତୁ ଥମୁନି ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ରାଜ୍ୟରେ ଏକାକୀ ଲଢିବ ବିଜେପି । କିଛି ଏମିତି ଚର୍ଚ୍ଚା ଏବେ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ହେଉଛି । କାରଣ ଗତକାଲି ରାଜ୍ୟ ସଭାପତି ମନମୋହନ ସାମଲ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ କେନ୍ଦ୍ର ନେତୃତ୍ଵଙ୍କୁ ଦେଇଛନ୍ତି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ ଜଣାପଡୁଛି କି ଦିଲ୍ଲୀରେ ଓଡ଼ିଶାକୁ ନେଇ ଚାଲିଛି ଗୁରୁତ୍ଵପୂର୍ଣ୍ଣ ବୈଠକ । ଅବଶ୍ୟ ମେଣ୍ଟ ନେଇ ଦ୍ୱନ୍ଦ୍ୱ ଦୂର ହୋଇନି, ହେଲେ ଦଳର ନିର୍ବାଚନୀ କାର୍ଯ୍ୟକ୍ରମ ଦେଖିଲେ ଲାଗୁଛି ଏକାକୀ ଲଢିବା ପାଇଁ ଫୁଲ କନ୍ଫିଡେଣ୍ଟରେ ରାଜ୍ୟ ବିଜେପି ଟିମ୍ ଅଛି ।
କିଛିଦିନ ନିରବ ରହିଲା, ପୁଣି ଏବେ ବଳ ଗୋଟାଉଛି ବିଜେପି । କାରଣ ସାରା ଦେଶରେ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ବିଭିନ୍ନ ଦଳ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ବି ହେଉଛନ୍ତି । ତେଣୁ ଏଥିରୁ ବିଜେପି ବାଦ୍ ପଡିବ ବା କେମିତି ? କାରଣ ତଥ୍ୟ କହୁଛି ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ କ୍ରମାଗତ ବଢିଛି ବିଜେପିର ଭୋଟ୍ ପ୍ରତିଶତ । ୨୦୦୯ରେ ବିଜେପି-ବିଜେଡି ଅଲଗା ଅଲଗା ଲଢି ବିଧାନସଭାରେ ବିଜେଡି ୩୮.୮୬ ଭୋଟ୍ ପାଇଥିବା ବେଳେ ବିଜେପି ମାତ୍ର ୧୫.୨୫ ପ୍ରତିଶତ ଭୋଟ୍ ସହ ହାସଲ କରିଥିଲା ମାତ୍ର ୬ଟି ବିଧାୟକ ଆସନ। କିନ୍ତୁ ୨୦୧୪ରେ ୧୮ ପ୍ରତିଶତ ଭୋଟ୍ ପାଇ ୧୦ ବିଧାନସଭା ଆସନ ହାତେଇଥିଲା ଦଳ । ଆଉ ୨୦୧୯ରେ ୩୨.୪୯ ପ୍ରତିଶତ ଭୋଟ୍ ପାଇ ୨୩ ବିଧାୟକ ହାତେଇଥିଲା । ତା'ସହିତ ମୁଖ୍ୟ ବିରୋଧୀ ଦଳ ହୋଇଥିଲା ବିଜେପି । ସେହିପରି ଲୋକସଭା ନିର୍ବାଚନରେ ବି ଅପ୍ରତ୍ୟାଶିତ ଭାବେ ବଢିଛି ଦଳର ଭୋଟ୍। ୨୦୧୪ରେ ୨୧.୮୮ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ଭୋଟ ବଢି ୩୮.୮ ପ୍ରତିଶତରେ ପହଞ୍ଚିଛି। ବିଭିନ୍ନ ସର୍ଭେ କହୁଛି ଏହି ୫ ବର୍ଷରେ ଓଡିଶାରେ ବଢିଛି ମୋଦିଙ୍କ ଲୋକପ୍ରିୟତା ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟରେ କ୍ରମାଗତ ଭାବରେ ବିଜେପିର ବଳ ବଢୁଥିବା ବେଳେ ମୋଦିଙ୍କ ଲୋକ ପ୍ରିୟତା ବି ବଢୁଛି । ହେଲେ ଏହାରି ଭିତରେ ରାଜ୍ୟରେ ବିଜେଡି-ବିଜେପି ମେଂଟ ହେବା ନେଇ ଚର୍ଚ୍ଚା ବି ହେଉଛି । କିନ୍ତୁ ଏ ଚର୍ଚ୍ଚାରେ ଏବେ ଧୀରେ ଧୀରେ ପୂର୍ଣ୍ଣଚ୍ଛେଦ ପଡିବାରେ ଲାଗିଛି ।
