ଆଜି ଆସିବ ବିଜେପି ପ୍ରାର୍ଥୀ ତାଲିକା !

Key Points
- ଆଜି ଆସିବ ବିଜେପି ପ୍ରାର୍ଥୀ ତାଲିକା
- ରାତି ଅଧ ଯାଏଁ ଚାଲିଥିଲା ଦିଲ୍ଲୀ ବୈଠକ
- ଘୋଷଣା ଉପରେ ନଜର
ଅର୍ଗସ ବ୍ୟୁରୋ: ଆଜି ଘୋଷଣା ହେବ ବିଜେପି ପ୍ରାର୍ଥୀ ତାଲିକା । କାରଣ ଗତକାଲି ଅଧ ରାତିଯାଏଁ ଦିଲ୍ଲୀରେ ଓଡ଼ିଶାକୁ ନେଇ ଚାଲିଥିଲା ଗୁରୁତ୍ଵପୂର୍ଣ୍ଣ ବୈଠକ । ସେହି ବୈଠକରେ ଓଡ଼ିଶା ବାବଦରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ ଓ ଷ୍ଟ୍ରାଟେଜି ବାବଦରେ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମନମୋହନ ସାମଲ । ତେଣୁ ଆଜି ହିଁ ପ୍ରାର୍ଥୀ ଘୋଷଣା ହେବା ନେଇ ଚାଲିଛି ଚର୍ଚ୍ଚା ।
ଅଧଘଂଟେ କି ଘଂଟେ ନୁହେଁ ବରଂ ଦିଲ୍ଲୀରେ କେବଳ ଓଡ଼ିଶା ଲାଗି ବସିଥିଲା ୩ ଘଂଟାର ବୈଠକ । ଏହାପରେ କେଉଁଠୁ କିଏ ପ୍ରାର୍ଥୀ ହେବ ସେନେଇ ଗମ୍ଭୀରତାର ସହ ଚାଲିଥିଲା ଆଲୋଚନା । ପରେ କାଳେ ମୋହର ବାଜିଥିଲା ପ୍ରାର୍ଥୀଙ୍କ ନାଁ ଉପରେ । କେବଳ ଓଡ଼ିଶା ନୁହେଁ ବରଂ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ ତାଲିକା ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆଜି ଏହି ସବୁ ରାଜ୍ୟ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଜାରି କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ।
ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଚର୍ଚ୍ଚା ବି ସେତିକି ସେତିକି ହେଉଛି । ଖାସ କରି ଓଡ଼ିଶାରେ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର । ମିଳିଥିବା ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ ସିଇସି ବୈଠକ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି ।