ଘନ ଘନ ଚଢ଼ାଉରେ ଜବତ ହୋଇଛି ହଜାର ହଜାର ଟନ୍ କୋଇଲା

Key Points
ସୁନ୍ଦରଗଡ଼ରେ ଖଣି ମାଫିଆ ଉପରେ ବିଜେପି ସରକାରଙ୍କ ସିକଞ୍ଜା
ଘନ ଘନ ଚଢ଼ାଉରେ ଜବତ ହୋଇଛି ହଜାର ହଜାର ଟନ୍ କୋଇଲା
ଅଭିଯୋଗ ଗିରଫଦାରୀ ଭୟରେ ସୁଇଜରଲ୍ୟାଣ୍ଡକୁ ଖସି ପଳାଇଛି ମାଫିଆ ବଣ୍ଟି ଓରଫ ଘନଶ୍ୟାମ ଡାଲମିଆ
ଦିନେ ସାଇକେଲରେ କୋଇଲା ଚୋରି କରୁଥିବା ବଣ୍ଟି ଏବେ 5 ହଜାର କୋଟି ସମ୍ପତ୍ତିର ମାଲିକ
ବିଜେଡି ଶାସନରେ ଥିଲା ସୁରକ୍ଷିତ, ଏବେ ଶକ୍ତ ହେବ କି ଫନ୍ଦା ?
ସୁନ୍ଦରଗଡ଼ରେ ବେଆଇନ ଖଣି ଉପରେ ଚଢ଼ାଉ ଫଳରେ ଏବେ ମାଫିଆଙ୍କ ଭିତରେ ଛନକା । ଗତ 4 ତାରିଖରୁ ଖଣି, ରାଜସ୍ବ ଓ ପୋଲିସ ବିଭାଗର ମାରାଥନ ରେଡରେ ଜବତ ହୋଇଛି ୧୦ ହଜାର ଟନ୍ରୁ ଅଧିକ ପରିମାଣର କୋଇଲା । ହେମଗିରି କନିକାସ୍ଥିତ ଆରୟନ କୋଲ୍ ୱାସେରି ସମେତ ଆଇରନ ଫ୍ୟାକ୍ଟ୍ରି ବସୁନ୍ଧରା ମେଟାଲିକ୍ସ ଉପରେ ଚଢ଼ାଉ କରିଥିଲା ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ଟିମ୍ । ଅଭିଯୋଗ ହୋଇିଛି ଗିରଫଦାରୀ ଭୟରେ ସ୍ବିଜରଲ୍ୟାଣ୍ଡକୁ ଖସି ପଳାଇଛି ବସୁନ୍ଧରା ମେଟାଲିକ୍ସର ମାଲିକ ଘନଶ୍ୟାମ ଡାଲମିଆ ଓରଫ୍ ବଣ୍ଟି । ସ୍ବିଜରଲ୍ୟାଣ୍ଡରେ ପ୍ରତ୍ୟର୍ପଣ ବ୍ୟବସ୍ଥା ନ ଥିବାରୁ ସେଠାରେ ଆଶ୍ରୟ ନେବାକୁ ଚାହୁଁଥିଲା ବ୍ୟବସାୟୀ ମେହୁଲ୍ ଚୋକସୀ। ତାର ବାଟ ଆପଣାଇଛି କି ବଣ୍ଟି ।
ସୁନ୍ଦରଗଡ଼ର କୁଖ୍ୟାତ ଖଣି ମାଫିଆ ଘନଶ୍ୟାମ ଡାଲମିଆ ଓରଫ ବଣ୍ଟି । ସୁନ୍ଦରଗଡ଼ ହେମଗିରି ବ୍ଲକ ଗୋପାଳପୁର ଗାଁର ଏକ ସାଧାରଣ ପରିବାରରେ ହୋଇଥିଲା ଜନ୍ମ । ପ୍ରଥମେ ହଲର ମେସିନ, ପରେ କିରାସିନି ବ୍ୟବସାୟ ତା ପରେ ଇଟା ବ୍ୟବସାୟରୁ ବଦଳିଥିଲା ବଣ୍ଟିର ଭାଗ୍ୟ। ପ୍ରଥମେ ଗୋପାଳପୁର ନିକଟ ଜଙ୍ଗଲରେ ମାଟି ଖୋଳି ନିଜ ଇଟା ଭାଟି ପାଇଁ କୋଇଲା ଚୋରି କରିଥୁଲା ବଣ୍ଟି। ପରେ ଚୋରା କୋଇଲା ଚାଲାଣ ପାଲଟିଲା ମୁଖ୍ୟ ବ୍ୟବସାୟ । ବିଜେଡି ଶାସନର ୨୫ ବର୍ଷ ଭିତରେ ବଢ଼ି ଚାଲିଲା ବଣ୍ଟିର କଳା କାରବାର । ଦିନେ ସାଇକେଲରେ କୋଇଲା ଚାଲାଣ କରୁଥିବା ବଣ୍ଟି ଡାଲମିଆ ଏବେ ୩ଟି ସ୍ପଞ୍ଜ ଆଇରନ କାରଖାନା ଏଵଂ ପ୍ରାୟ ୧୫ ଶହ ଟ୍ରକର ମାଲିକ । ଏହାଛଡ଼ା ଛତିଶଗଡର ରାୟଗଡରେ ମଲ୍, ହୋଟେଲ ଓ ସିନେମା ହଲ। ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ଶହ ଶହ ଏକର ଜମି । ମୋଟାମୋଟି ୫ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ।
ଅଭିଯୋଗ ବିଜେଡି ଶାସନରେ ତାର ଯେଉଁ ପଲିଟିକାଲ୍ ବସଙ୍କ ଛତ୍ରଛାୟାରେ ରହି କୋଟିପତି ପାଲଟିଲା ସେମାନଙ୍କୁ ଦେଇଛି କୋଟି କୋଟି ଟଙ୍କାର ଭାଗ। ଏବେ ପ୍ରଶ୍ନ ବିଜେପି ସରକାରରେ ଖଣି ମାଫିଆ ବଣ୍ଟିର ଅଣ୍ଟା ଭାଙ୍ଗିଥିବାବେଳେ ତାକୁ ପ୍ରଚ୍ଛନ୍ନ ସହଯୋଗ କରିଥିବା ବିଜେଡି ନେତାଙ୍କର ହେବ କି ପର୍ଦ୍ଦାଫାସ୍ ।