କେତେ ବାଣ୍ଟିଛି ବିଜେଡି ? ଟାସ୍କ ଫୋର୍ସ ଗଠନ କରି ତଦନ୍ତ କରିବ ବିଜେପି

Key Points
- କେତେ ବାଣ୍ଟିଛି ବିଜେଡି ?
- ଟାସ୍କ ଫୋର୍ସ ଗଠନ କରି ତଦନ୍ତ କରିବ ବିଜେପି
- ଗୁମର ଖୋଲିବା ଭୟରେ ବିଜେଡି ନେତାଙ୍କ ମନରେ ଛନକା
ଅର୍ଗସ ବ୍ୟୁରୋ : ବିଜେଡି ସରକାର ଥିବା ବେଳେ ମନଇଚ୍ଛା ଟଙ୍କା ବାଣ୍ଟୁଥିଲା, ହେଲେ ବଜେଟ୍ରେ ଅନେକ ସମୟରେ ଅର୍ଥ ବ୍ୟୟବରାଦ ବି ହେଉନଥିଲା । ଖାସ୍ କରି ପର୍ଯ୍ୟଟନ ବିଭାଗରୁ ମଠ ଓ ମନ୍ଦିରକୁ ଟଙ୍କା ବଣ୍ଟାଯାଉଥିଲା ହେଲେ କିଛି ଜାଣୁନଥିଲେ ପର୍ଯ୍ୟଟନ ବିଭାଗର ଅଧିକାରୀ । ମାତ୍ର ତିନି ଚାରି ଜଣ ସଚିବ ନେଉଥିଲେ ସବୁ ନିଷ୍ପତ୍ତି । ହେଲେ ସେମାନେ କେମିତି ନିଷ୍ପତ୍ତି ନେଉଥିଲା ? ପ୍ରଚ୍ଛଦ ପଟରେ କିଏ ଥିଲା ? ଏ ସବୁର ଗୁମର ଖୋଲିବ ଲାଗି ବିଜେପି ଟାକ୍ସ ଫୋର୍ସ ଗଠନ କରିବ ବୋଲି ବିଧାନସଭାରେ ରୋକଠୋକ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେହେତୁ ପୂର୍ବ ସରକାରରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ତେଣୁ ଟାକ୍ସ ଫୋର୍ସ କଥା ଶୁଣି ଛାନିଆ ହେଲେଣି ବିଜେଡି ନେତା ।
ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ଚରମବାଣୀ ଶୁଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି, ମିଶନ ଶକ୍ତି କଲ୍ ସେଣ୍ଟରରୁ ବିଜେଡିକୁ ଭୋଟ୍ ଦେବା ପାଇଁ ଯେଉଁ କଲ ଯାଉଥିଲା, ତାର ତଦନ୍ତ ହେବ । ମିଶନ ଶକ୍ତି ମହିଳାଙ୍କୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ରଙ୍ଗର ଶାଢ଼ିକୁ ପିନ୍ଧିବାକୁ କୁହାଯାଉଥିଲା, ତା'ର ବି ତଦନ୍ତ ହେବ। ନିମ୍ନମାନର ଛତୁଆ ଯୋଗାଣ ନେଇ ବି ତଦନ୍ତ କରିବ ଟାସ୍କ ଫୋର୍ସ । ପୂର୍ବତନ 5T ସଚିବ ପର୍ଯ୍ୟଟନ ବିଭାଗର ଟଙ୍କା ବିନା କାଗଜପତ୍ରରେ ମନଇଚ୍ଛା ବାଣ୍ଟିଥିଲେ । ମଙ୍ଗଳା ମନ୍ଦିରର କାମ OBCC କରୁଛି । OBCC କହୁଛି ପର୍ଯ୍ୟଟନ ବିଭାଗର କାମ । କିନ୍ତୁ ପର୍ଯ୍ୟଟନ ବିଭାଗର କାଗଜପତ୍ରରେ ଏ ନେଇ କୌଣସି ଉଲ୍ଲେଖ ନାହିଁ । ଏ ସବୁର ତଦନ୍ତ ପାଇଁ ଟାସ୍କଫୋର୍ସ ବସିବ।
ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । କହିଛି, ସରକାରଙ୍କ ପାଖରେ କ୍ଷମତା ଅଛି । ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ । ଅନ୍ୟପଟେ ସରକାରଙ୍କ ଟାସ୍କଫୋର୍ସ ତଦନ୍ତ ନିଷ୍ପତିକୁ ସ୍ଵାଗତ କରୁଛି କଂଗ୍ରେସ । ମୋଟ୍ ଉପରେ ନିର୍ବାଚନ ପୂର୍ବରୁ ମାଳମାଳ ଯୋଜନା କରି ଭୋଟ୍ ହାତେଇବାକୁ ଉଦ୍ୟମ କରୁଥିଲା ବିଜେଡି । ହେଲେ ସବୁ ଆଶା ଫସଲ ଫାଟିଗଲା । ଏବେ ସରକାର ବଦଳିବା ପରେ ସବୁର ତଦନ୍ତ ହେବ, ତେବେ ସମୟ କହିବ ଦୋଷୀଙ୍କ ବିରୋଧରେ କି ଆକ୍ସନ ନେଉଛନ୍ତି ସରକାର ।
(ଭୁବନେଶ୍ଵରରୁ ଦିବ୍ୟଜ୍ୟୋତି ମହାନ୍ତିଙ୍କ ସହ ପ୍ରଦୀପ୍ତ ମହାପାତ୍ରଙ୍କ ରିପୋର୍ଟ)
📱 Get Argus News App
✨