ହେଲିକପ୍ଟରରେ କୁଆଡ଼େ କୁଆଡ଼େ ବୁଲିଛନ୍ତି ପାଣ୍ଡିଆନ ? ସବୁର ଖୋଲିବ ଗୁମର

Key Points
- ହେଲିକପ୍ଟରରେ କୁଆଡ଼େ କୁଆଡ଼େ ବୁଲିଛନ୍ତି ପାଣ୍ଡିଆନ ?
- ମନ୍ତ୍ରୀ କହିଲେ, ସବୁର ହେବ ତଦନ୍ତ
ଅର୍ଗସ ବ୍ୟୁରୋ : ପାଣ୍ଡିଆନଙ୍କୁ ଆଉ ତ୍ରାହି ନାହିଁ । କାରଣ ବିଜେଡି ସରକାରରେ ଥିବା ବେଳେ ମନଇଚ୍ଛା ହେଲିକପ୍ଟରରେ ବୁଲିଥିଲେ ବାବୁ । ଖାଲି ବୁଲିଥିଲେ ତାହା ନୁହେଁ ବରଂ ସରକାରଙ୍କ କୋଟି କୋଟି ରାଜସ୍ଵ ପାଣିରେ ପକାଇଥିଲେ । ଯାହାକୁ ନେଇ ସେତେବେଳେ ବିରୋଧୀ ପ୍ରବଳ ବର୍ଷିଥିଲେ । ଖାଲି ବର୍ଷିଥିଲେ ତାହା ନୁହେଁ ବରଂ କାହା ଅନୁମତିରେ ପାଣ୍ଡିଆନ ରାଜ୍ୟ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ହେଲେ ବିରୋଧୀଙ୍କ କଥାକୁ କର୍ଣ୍ଣପାତ କରିନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଥିଲା କି ୩୦୦ କୋଟିରୁ ଉର୍ଦ୍ଧ୍ଵ କେବଳ ହେଲିକପ୍ଚର ବୁଲାରେ ଖର୍ଚ୍ଚ ହୋଇଥିଲା । ହେଲେ ଏବେ ନୂଆ ସରକାର ଆସିବା ପରେ ସେ ସବୁର ତଦନ୍ତ ହେବା ସହିତ ଯଦି କିଛି ତ୍ରୁଟି ବିଚ୍ୟୁତି ଥାଏ ଆକ୍ସନ ହେବ ବୋଲି କହିଲେଣି ପରିବହନ ମନ୍ତ୍ରୀ । ଯାହାକୁ ନେଇ ବିଜେଡିରେ ସୃଷ୍ଟି ହେଲାଣି କମ୍ପନ ।
ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ଗସ୍ତକୁ ନେଇ ପରିବହନ ମନ୍ତ୍ରୀ ରଖିଲେ ବଡ଼ ବୟାନ । ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ । ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ହୋଇନାହିଁ କି ହେବ ନାହିଁ । ତେବେ ପାଣ୍ଡିଆନଙ୍କ ବିରୋଧରେ କି ଆକ୍ସନ ହେବ ତାହାକୁ ନେଇ ଏବେ ଅପେକ୍ଷା ।
ରାଜ୍ୟର କେଉଁ ନେତାମାନେ ହେଲିକପ୍ଟର ବ୍ୟବହାର କରିପାରିବେ ସେନେଇ ନିୟମ ରହିଛି । ହେଲେ ସବୁ ନିୟମର ଧଜିଆ ଉଡାଇ ଦେଇଥିଲେ ପାଣ୍ଡିଆନ । ସେଇଥି ଲାଗି ତ ମନଇଚ୍ଛା ବ୍ୟବହାର କରୁଥିଲେ ହେଲିକପ୍ଟର । ସେପଟେ ମନ୍ତ୍ରୀ ତଦନ୍ତ ନେଇ କହିଛନ୍ତି, ଏହା ଏକ ପ୍ରକ୍ରିୟା, ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ବିଦ୍ଧି ଅଛି । ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ । ଏ ଘଟଣାର ଆଉ ପୁନରାବୃତ୍ତି ନହେଉ । ଆମ ସରକାର ଏ ନେଇ ପ୍ରତିଶ୍ରୁତି ବଦ୍ଧ । ଯିଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ତେବେ କି ପାଣ୍ଡିଆନଙ୍କ ଉପରେ କି ଆକ୍ସନ ନିଆଯାଉଛି ତାହା ଉପରେ ନଜର ।