ପାଣ୍ଡିଆନଙ୍କ ହେଲିକପ୍ଟର ଚକ୍କର, କେତେ ନଷ୍ଟ ହୋଇଛି ରାଜସ୍ଵ ? ଏବେ ତଦନ୍ତ ହେଲେ...

Key Points
- ପାଣ୍ଡିଆନଙ୍କ ହେଲିକପ୍ଟର ଚକ୍କର, କେତେ ନଷ୍ଟ ହୋଇଛି ରାଜସ୍ଵ ?
- ତଥ୍ୟ ମାଗି ମାଗି RTI କର୍ମୀ ହାଲିଆ, ମିଳୁନି ତଥ୍ୟ
- ମନ୍ତ୍ରୀ କହିଲେଣି ବେଆଇନ ହୋଇଥିଲେ ଆକ୍ସନ ନିଶ୍ଚିତ
ଅର୍ଗସ ବ୍ୟୁରୋ : ସରକାର ଗଲା, କ୍ଷମତା ବି ଗଲା । ହେଲେ ବି ବିଜେଡି ଓ ପାଣ୍ଡିଆନଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ୨୪ ନିର୍ବାଚନ ବେଳେ ଓ ତା'ପୂର୍ବରୁ ରାଜ୍ୟର ୩୧୪ ବ୍ଲକ୍ ବୁଲିବୁଲି ଭି.କେ ପାଣ୍ଡିଆନଙ୍କ ଯେଉଁ ରାଜସ୍ଵ ଲୋକସାଣୀ କରିଛନ୍ତି ତାହାର ଖର୍ଚ୍ଚ କେତେ ? ତଥ୍ୟ ମାଗି ମାଗି ଆରଟିଆଇ କର୍ମୀ ହାଲିଆ ହେଲେଣି କିନ୍ତୁ ହିସାବ ମିଳୁନି । ଆଉ ତା’ଭିତରେ ଗତକାଲି ପରିବହନମନ୍ତ୍ରୀ ବିଭୂତି ଜେନା ଏକ ବଡ଼ ବୟାନ ଦେଇ କହିଛନ୍ତି- ରାଜକୋଷ ଲୁଣ୍ଠନ ଆଦୌ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ତଦନ୍ତ କରୁଛନ୍ତି, ନିଶ୍ଚେ କାର୍ଯ୍ୟାନୁଷ୍ଠାନ ହେବ । ତେଣୁ ବାବୁଙ୍କ ହେଲିକପ୍ଚର ଖର୍ଚ୍ଚ କେତେ ତାହା ଜାଣିବାକୁ ଚାତକ ପରି ଚାହିଁ ରହିଛନ୍ତି ରାଜ୍ୟବାସୀ ।
ହେଲିକପ୍ଟରରେ ଘିରିଘିରି ହୋଇ ଘୁରୂଥିଲେ, ହେଲେ ଖର୍ଚ୍ଚ କେତେ ହେଲା ସେନେଇ ତଥ୍ୟ ଦେଇନାହାନ୍ତି ପାଣ୍ଡିଆନ ? ଫେବ୍ରୁଆରୀ ୨୦୨୦ରୁ ଡିସେମ୍ବର ୨୦୨୩ କେତେବେଳେ ଫାଇଭ୍-ଟି ସଚିବ ତ କେତେବେଳେ ଫାଇଭ-ଟି ଅଧ୍ୟକ୍ଷ ନାଁରେ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ ନାଁରେ ପାଣ୍ଡିଆନ୍ଙ୍କ ହେଲିକପଟରର ବୁଲା ଖର୍ଚ୍ଚ ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାର ଜନତା ଆଉ ତଥ୍ୟ ଖୋଜୁଛନ୍ତି ନୂଆ ବିଜେପି ସରକାର । କାରଣ ପୂର୍ବତନ ବିଜେଡି ନେତା ସୌମ୍ୟ ପଟ୍ଟନାୟକ କହିଥିଲେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତରେ ଯେତିକି ଖର୍ଚ୍ଚ ହୋଇଛି ଚନ୍ଦ୍ରୟାନ-୩ରେ ବି ସେତିକି ଖର୍ଚ୍ଚ ହୋଇନଥିଲା । ଅବଶ୍ୟ ଏହା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା ହେଲେ ତାଙ୍କ କଥା ଚର୍ଚ୍ଚାକୁ କିନ୍ତୁ ଖୋରାକ ଯୋଗାଇଥିଲା ।
ବିଜେଡି ସରକାର ଥିବା ପରେ ପାଣ୍ଡିଆନ ଧରାକୁ ସରା ମଣୁନଥିଲେ । ସେଇଥି ଲାଗି ତ ମନଇଚ୍ଛା ହେଲିକପ୍ଚରରେ ବୁଲିଥିଲେ । ବୋଧହୁଏ ପାଣ୍ଡିଆନ ଭାବୁଥିଲେ ସରକାର ଆମ ଦଳ ଅଛି ମାନେ ଆମେ ଯାହା କରିବୁ କୌଣସି ଅସୁବିଧା ହେବନାହିଁ । ହେଲେ ସରକାର ଯିବା ପରେ ଏବେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲିଛି । ଖାସ କରି ବାବୁଙ୍କ ହେଲିକପ୍ଟର ସୌକର ପର୍ଦ୍ଦାଫାଶ ହୋଇଛି ।
📱 Get Argus News App
✨ସେପଟେ, ସୂଚନା ଅଧିକାର ଆଇନ୍ ବଳରେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ଜାଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରରୁ ପରିବହନ ବିଭାଗ ପର୍ଯ୍ୟନ୍ତ ଦୀର୍ଘ ୬ ମାସ ଚକ୍କର କାଟିବା ପରେ ଟଙ୍କାଟିଏ ବି ହିସାବ ପାଇନଥିବା ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗଣମାଧ୍ୟମ ଆଗରେ ରଖିଛନ୍ତି ରୋଚକ ତଥ୍ୟ । ପ୍ରଦୀପ କହିଛନ୍ତି- ନବୀନଙ୍କ ପ୍ରତିନିଧି ଭାବେ ନିର୍ବାଚନ ପୂର୍ବରୁ ଜିଲ୍ଲାରୁ ଜିଲ୍ଲାକୁ ହେଲିକପ୍ଟରରେ ଉଡ଼ି ପାଣ୍ଡିଆନ୍ ଅଭିଯୋଗପତ୍ର ସଂଗ୍ରହ ପାଇଁ ବୁଲୁଥିବାର ତଥ୍ୟ କିଛି ଜିଲ୍ଲାପାଳଙ୍କଠୁ ମିଳିଛି । ଏମିତିକି ପାଣ୍ଡିଆନ୍ଙ୍କ ଗସ୍ତ ପାଇଁ ପୂର୍ତ୍ତବିଭାଗ ହେଲିପ୍ୟାଡ୍ ନିର୍ମାଣ କରିଥିବା ଓ ସୁରକ୍ଷା ପାଇଁ ପୋଲିସ୍ ମୁତୟନ ହୋଇଥିବା ବି କିଛି ଏସପିଙ୍କଠୁ ତଥ୍ୟ ଆସିଛି, ହେଲେ ପାଣ୍ଡିଆନ୍ଙ୍କ ଗସ୍ତ ଖର୍ଚ୍ଚ କିଏ ବହନ କରୁଥିଲା ? କେତେ ଟଙ୍କା ଖର୍ଚ୍ଚ ହେଉଥିଲା ? ସେ ହିସାବ କିନ୍ତୁ ମିଳିନି ।
ତଥ୍ୟ ମିଳିବା ଡରରେ ପୂର୍ବ ସରକାର ହେଲିକପ୍ଟର ଖର୍ଚ୍ଚର ତଥ୍ୟ ଗାଏବ କରିଦେଇଛି କି ? ଅବା ବିଜେଡି ସରକାରଙ୍କ ବଦଳରେ ଖଣି ମାଫିଆ, କଣ୍ଟ୍ରାକ୍ଟର କି ଅନ୍ୟ କେହି ସେ ଖର୍ଚ୍ଚ ତୁଲାଇଛି ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ସତ କଣ ତାହା ଏବେ ବି ଅନ୍ଧାରରେ ରହିଛି । ତେବେ ନୂଆ ସରକାର ପ୍ରତି ଦୁର୍ନୀତିର ଗୁମର ଖୋଲିବା ସହିତ ଘଟଣାର ତଦନ୍ତ କରିବ କରୁଛି, ଏବେ ଅପେକ୍ଷା କେବେ ଆସିବ ବାବୁଙ୍କ ହେଲିକପ୍ଟର ଗସ୍ତର ତଥ୍ୟ ।