ପୁଣି ଫେରିଲା ଚିଟଫଣ୍ଡ ତାତି : ପ୍ରଦୀପ କହିଲେ, ସରକାରକୁ ଆସିଲେ କ୍ଷତିଗ୍ରସ୍ତ ପାଇବେ ଟଙ୍କା

Key Points
- ଚିଟଫଣ୍ଡ ଟଙ୍କାରେ ବିଜେଡିର ବଡ଼ ଭାଗ ଅଛି
- ଫିତା କାଟି ଚିତା କାଟିଲେ ମୁଖ୍ୟମନ୍ତ୍ରୀ
- ବିଜେପି ସରକାର ଆସିଲେ ମିଳିବ ଚିଟଫଣ୍ଡ ଟଙ୍କା
ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ଘୋଷଣା । ସରକାର ବସିବା ଦିନ ହିଁ ଅର୍ଡିନାନ୍ସ ପାର ହେବ, ସବୁ କ୍ଷତିଗ୍ରସ୍ତଙ୍କୁ ଗୋଟିଗୋଟି କରି ଟଙ୍କା ଫେରାଯିବ । ଏମିତିକି ନବୀନ ସରକାର ଜାଣିଶୁଣି ଚିଟଫଣ୍ଡ କମ୍ପାନୀର ଫିତା କାଟି ଲୋକଙ୍କୁ ହଇରାଣ କରିଛନ୍ତି । ଯାହାର ଜବାବ ତାଙ୍କୁ ନିଶ୍ଚୟ ମିଳିବ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।
ବିଜେପି ସରକାର ଆସିଲେ, ଯେଉଁ ନେତାମାନେ ଦୁର୍ନୀତି କରିଛନ୍ତି ଶାସକ ଦଳର, ସେମାନେ ନିଶ୍ଚୟ ଜେଲରେ ପଶିବେ । କିଛି ଏମିତି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଦୀପ । କେବଳ ଏତିକି ନୁହେଁ ବରଂ ବିଜେଡି କେବେ ବି କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ଚାହେଁ ନାହିଁ । କେବଳ ଭୋଟ ପାଇଁ କର୍ପସ ଫଣ୍ଡର ନାଟକ ରଚିଥିଲେ । ହେଲେ ତାହା କାର୍ଯ୍ୟକାରିତା ହିଁ ହେଲାନାହିଁ । କାରଣ ଚିଟଫଣ୍ଡ ଟଙ୍କାରେ ନିର୍ବାଚନ ଲଢୁଛି ବିଜେଡି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିତା କାଟି ଚିଟଫଣ୍ଡ କମ୍ପାନୀଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ଦଳର ଅନେକ ବରିଷ୍ଠ ନେତା ଚିଟଫଣ୍ଡ କମ୍ପାନୀ ସହ ସାମିଲ ହୋଇ ଲୋକଙ୍କୁ ଲୁଟିଛନ୍ତି । ଚିଟଫଣ୍ଡ ଟଙ୍କାରେ ବିଜେଡି ନେତା ମନ୍ତ୍ରୀ ମାଲେମାଲ, ଲୋକେ ପୂରା ବେହାଲ ହେଲେଣି କିନ୍ତୁ ସରକାରଙ୍କର ଚିନ୍ତା ନାହିଁ । ତେବେ ପୂର୍ବରୁ ବି ଟଙ୍କା ଫେରାଇବାକୁ ନେଇ କମିଶନ ବସାଇଥିଲେ ରାଜ୍ୟ ସରକାର । ହେଲେ ଏଯାଏଁ କେତେ ମାତ୍ରାରେ ଲୋକ ଟଙ୍କା ପାଇଛନ୍ତି ତାହା ଉଣା ଅଧିକେ ସମସ୍ତଙ୍କୁ ଜଣା ।