ନବୀନଙ୍କୁ ମୁହଁତୋଡ଼ ଜବାବ ଦେଲେ ବିଜେପି ରାଜ୍ୟ ସଭାପତି

ବିଜୁଙ୍କ ଶ୍ରାଦ୍ଧ ଦିବସରେ ମୁହାଁ ମୁହିଁ ବିଜେଡି-ବିଜେପି । ଇତିହାସ ବଦଳାଇବାକୁ ଚେଷ୍ଟା କରାଯାଉଥିବା କହି ବିଜେପିକୁ ଟାର୍ଗେଟ କଲେ ନବୀନ । ମୁହଁତୋଡ଼ ଜବାବ ଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ପରାମର୍ଶଦାତାଙ୍କ କଥାରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୟାନ ଦେଇଛନ୍ତି ନବୀନ । ବିଜେଡି ସରକାର ସମୟରେ କେବଳ ବିଜୁ ବାବୁ ମହାନ ଦର୍ଶାଇବାକୁ ଯାଇ ଅନ୍ୟ ବରପୁତ୍ର ମାନଙ୍କୁ ଗୌଣ କରି ଦିଆଯାଇଥିଲା ।
ବିଜୁ ବାବୁଙ୍କ ୨୮ ତମ ତିରୋଧାନ ଦିବସକୁ ବେଶ ଆଡମ୍ବରରେ ପାଳନ କରିଛନ୍ତି ରାଜ୍ୟ ସରକାର । ବିଧାନସଭା ପରିସରରେ ଥିବା ବିଜୁ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ପ୍ରଦାନ କରି ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ । କିନ୍ତୁ ବିଧାନସଭା ପକ୍ଷରୁ ଆୟୋଜନ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିରୋଧୀ ଦଳ ନେତା ଥିବା ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଆସିନଥିଲେ ବିଧାନସଭା ।
ସେପଟେ ବିଜୁ ବାବୁଙ୍କ ୨୮ ତମ ତିରୋଧାନ ଦିବସକୁ ବେଶ ଧୂମ ଧାମ ରେ ପାଳନ କରିଛି ବିଜେଡି । ସକାଳୁ ବିନ୍ଦୁ ସାଗରରେ ଦଳ ପକ୍ଷରୁ ତିଳ ତର୍ପଣ କରାଯାଇ ଥିବା ବେଳେ ଫରେଷ୍ଟ ପାର୍କରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବିରୋଧୀ ଦଳ ନେତା ତଥା ପୁତ୍ର ନବୀନ ପଟ୍ଟନାୟକ । ତାପରେ ଶଙ୍ଖ ଭବନରେ ଆୟୋଜନ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ନବୀନ । ଯେଉଁଠି ଅଭିଭାଷଣ ରଖିବା ବେଳେ ନବୀନ କହିଥିଲେ ବିଜୁ ବାବୁଙ୍କ ଭଳି ଜଣେ ମହାନ ଜନନାୟକଙ୍କୁ ଲୋକଙ୍କ ମନରୁ ହଟାଇବା ପାଇଁ ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି । ଏଭଳି କାର୍ଯ୍ୟରେ ସମୟର ନଷ୍ଟ ନକରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ ବୋଲି କହିଥିଲେ ନବୀନ ।
ଯାହାର ମୁହଁତୋଡ଼ ଜବାବ ରଖିଛି ବିଜେପି । ରାଜ୍ୟ ବିଜେପି ସଭାପତି କହିଛନ୍ତି ନବୀନ ଯେଉଁ କଥା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଉଚିତ ନୁହେଁ । ସେ ନିଜେ କହୁଛନ୍ତି ନା ତାଙ୍କୁ କୁହାଉଛନ୍ତି ମୁଁ ଜାଣିନି । ତାଙ୍କ ପରାମର୍ଶ ଦାତା ଭୁଲ କଥା ଶିଖାଉଛନ୍ତି । ନିଜ ବକ୍ତବ୍ୟର ପୁନଃ ବିଚାର କରନ୍ତୁ ନବୀନ ।
ବିଜେଡି ସରକାର ସମୟରେ କେବଳ ବିଜୁ ବାବୁଙ୍କୁ ମହାନ ଦର୍ଶାଇବାକୁ ଯାଇ ଅନ୍ୟ ବରପୁତ୍ର ମାନଙ୍କୁ ଗୌଣ କରି ଦିଆଯାଇଥିଲା । ଏପରିକି ରାଜ୍ୟର ଅଧିକାଂଶ ଯୋଜନା ବିଜୁଙ୍କ ନାଁରେ ତିଆରି ହେଉଥିଲା । ସବୁ ଯୋଜନା ବିଜୁ କୈନ୍ଦ୍ରିକ ଥିଲା । କିନ୍ତୁ ପାଣ୍ଡିଆନଙ୍କ ଆବିର୍ଭାବ ପରେ ସେହି ବିଜୁଙ୍କ ପୋଷ୍ଟର ହଟାଇ ଦେଇଥିଲା ଦଳ।