ବିଜେପି ଯୋଜନା, ବିଜେଡିର ଟେନସନ୍

Key Points
- ବିଜେପି ଯୋଜନା, ବିଜେଡିର ଟେନସନ୍
- ଅବାନ୍ତର ପ୍ରଶ୍ନର ଉତ୍ତର ଦେଲେ ଉପ-ମୁଖ୍ୟମନ୍ତ୍ରୀ
- ସୁଭଦ୍ରା ଯୋଜନାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ
ଅର୍ଗସ ବ୍ୟୁରୋ : ସୁଭଦ୍ରା ଯୋଜନାକୁ ନେଇ ଶାସକ-ବିରୋଧୀ ତୁ ତୁ ମେଁ ମେଁ । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କଥା ଦେଇଥିଲେ କି, ସରକାର କଲେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା । ଠିକ୍ ସେମିତି ନିର୍ବାଚନରେ ଦଳ କ୍ଷମତାକୁ ଆସିବା ପରେ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କଲେ ରାଜ୍ୟ ସରକାର । ହେଲେ ବିଜେଡି କେଁ କାଢିବା ସହିତ ଅବାନ୍ତର ଯୁକ୍ତି ବାଢିଛି । ଯାହାର ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ନିର୍ବାଚନ ପୂର୍ବରୁ ଯାହା କଥା ଦେଇଥିଲେ, ସରକାର ଆସିବାର ପ୍ରଥମ କ୍ୟାବିନେଟରେ ତାହା କଲେ । ଅର୍ଥାତ୍ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରି କରିବା ନେଇ ଘୋଷଣା କଲେ । ଏବେ ଅଢେଇ ମାସେ ପରେ ଆସିଛି ଗାଇଡ ଲାଇନ ଓ ଆବେଦନ ପାଇଁ ଫର୍ମାଟ ଫର୍ମ । ଫର୍ମରେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ମହିଳା । ତେବେ ସବୁ ମହିଳାଙ୍କୁ ଯୋଜନାରେ ସାମିଲ ନକରିବା ନେଇ ବିଜେଡି ପ୍ରଶ୍ନର ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଛନ୍ତି ରାଜ୍ୟରେ ଦୁଇ କୋଟି ୨୫ ଲକ୍ଷ ମହିଳା ଅଛନ୍ତି। ୨୧ ରୁ ୬୦ ବୟସର ମହିଳାଙ୍କ ସଂଖ୍ୟା ପ୍ରାୟ ୧ କୋଟିରୁ ଅଧିକ । ସ୍ଵଚ୍ଛଳ ବର୍ଗର ମହିଳାଙ୍କୁ ବାଦ ଦେଲେ, ସରକାର ୧ କୋଟି ୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବେ ।
୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରୁ ଏହି ଫର୍ମ ମଧ୍ୟ ନେଇପାରିବେ । ସୁଭଦ୍ରା ଯୋଜନା ପାଇଁ କିଏ ଯୋଗ୍ୟ ଆଉ କେଉଁ ମାନେ ଯୋଗ୍ୟ ଅଯୋଗ୍ୟ ତାର ସବିଶେଷ ତଥ୍ୟ ଗାଇଡଲାଇନରେ ଜାରି କରାଯାଇଛି । ରାଜ୍ୟ ତମାମ ସୁଭଦ୍ରାକୁ ସ୍ଵାଗତ କରିଛନ୍ତି ମହିଳା । ତେବେ ନିର୍ବାଚନ ପୂର୍ବରୁ ଗୋଟିଏ ବର୍ଷ ଭିତରେ ୧୪୦ ଯୋଜନା ଆଣିଥିଲା ବିଜେଡି ସରକାର। ଏମିତିକି ବିନା ବଜେଟରେ ବି ଯୋଜନା ପ୍ରସ୍ତୁତ ହୋଇଥିଲା। ୧୦୦୦ ଟଙ୍କାରେ ଯୋଜନା ବନିଥିଲା । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରରେ ଏହାର ପୋଲ ଖୋଲିଛି । ଏ ପୁରା ୧୪୦ ଯୋଜନାର ତାଲିକା ବି କରାଯାଇଛି । କଥା ହେଲା, ବହୁ ଚର୍ଚ୍ଚିତ ଆମ ଓଡିଶା ନବୀନ ଓଡିଶାରେ କୌଣସି ବ୍ୟୟ ବରାଦ ନ କରି ଆରମ୍ଭ କରାଯାଇଥିଲା ବୋଲି କହୁଛି ମୁଖ୍ୟମନ୍ତ୍ରୀଙ୍କ ଉତ୍ତର । ତେଣୁ ଗୋଟିଏ କଥା ସ୍ପଷ୍ଟ, ବିନା ବଜେଟ୍ରେ ଅନେକ ଯୋଜନା କରିଥିଲା ବିଜେଡି । ଯେମିତିକି ଶକ୍ତି ସଦନ, ଶକ୍ତି ନିବାସ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ହବ, , ନାରୀ ଅଦାଲତ ଭଳି ଯୋଜନା କେବଳ ଘୋଷଣାରେ ସୀମିତ ରହିଥିଲା । ୨୦୧୯ ନିର୍ବାଚନ ପୂର୍ବରୁ ଆମ ଗାଁ ଆମ ବିକାଶ, କାଳିଆ, ବିଜୁ ଯୁବ ବାହିନୀ ଭଳି ଅନେକ ଯୋଜନା ଆଣିଥିଲେ ନବୀନ ସରକାର, ହେଲେ ନିର୍ବାଚନ ପରେ ବିଜୁ ଯୁବ ବାହିନୀ ଓ ଆମ ଗାଁ ଆମ ବିକାଶ ବନ୍ଦ ହୋଇଯାଇଥିବା ବେଳେ କାଳିଆ ଟଙ୍କା କୁ ୧୦ ହଜାର ଟଙ୍କା ରୁ ୪ ହଜାର ଟଙ୍କାକୁ କମାଇ ଦେଇଥିଲେ।
📱 Get Argus News App
✨ମୋଟ୍ ଉପରେ, ସରକାର ବଦଳିବା ପରେ ବିଜେଡିର ପୋଲ ଖୋଲିଦେଇଛି ନୂଆ ସରକାର । ତେଣୁ ନୂଆ ସରକାର ଆଣୁଥିବା ସ୍କିମକୁ ନେଇ ପ୍ରଶ୍ନ କରୁଛି ବିରୋଧୀ ବିଜେଡି । ହେଲେ ତାହାର କଡା ଉତ୍ତର ରଖୁଛନ୍ତି ଶାସକ ଦଳର ନେତା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ।