ଅଚ୍ୟୁତଙ୍କ ବିରୋଧରେ ବିଧାନସଭାରେ ବିଜେପିର କଡ଼ା ଆଭିମୁଖ୍ୟ

Key Points
ଅଚ୍ୟୁତଙ୍କ ବିରୋଧରେ ବିଧାନସଭାରେ ବିଜେପିର କଡ଼ା ଆଭିମୁଖ୍ୟ
ବିଧାୟକ ବାବୁ ସିଂ କହିଲେ, ସମାଜକୁ ଲୁଣ୍ଠନ କରି ରାଜ୍ୟ ଓ ଦେଶକୁ ଲଜ୍ଜିତ କରିଛନ୍ତି ଅଚ୍ୟୁତ
କହିଲେ, 'ଆଦିବାସୀ ଜମି ମାଡ଼ି ବସିଥିବା, ଡକାୟତଙ୍କୁ ସାଂସଦ କଲା ବିଜେଡ଼ି'
ଜୋର ଧରିଲା ଅଚ୍ୟୁତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
କାଠଗଡାରେ କିଟ୍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ
କିଟ୍ ପାଇଁ ବଢ଼ିଲା ଅଡ଼ୁଆ । ବିଧାନସଭାରେ ଉଠିଲା କିଟ୍ କେଳେଙ୍କାରୀ ପ୍ରସଙ୍ଗ । କିଟ୍ ଘଟଣାକୁ ନେଇ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବର୍ଷିଲେ ସବୁ ଦଳ ନେତା । କିଟ୍ କଳା କାରନାମାର ପୋଲ ଖୋଲିଲେ ବିଜେପି ବିଧାୟକ ବାବୁ ସିଂ । କହିଲେ, ଆଇଟିଆଇ କରିବାକୁ ଲୋନ୍ ନେଇ ଅଚ୍ୟୁତ କେମିତି ତିଆରି କଲେ ଲଙ୍କା ସାମ୍ରାଜ୍ୟ । ଅଚ୍ୟୁତ ସମାଜକୁ ଲୁଣ୍ଠନ କରି ରାଜ୍ୟ ଓ ଦେଶକୁ ଲଜ୍ଜିତ କରିଛନ୍ତି । ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡି ବସିଥିଲେ, ସେତେବେଳେ ବିଜେଡି ତାଙ୍କୁ ସାଂସଦ କରିଥିଲା । ଏପରିକି SC ST ଲୋକଙ୍କୁ କିଟ୍ ରେ ଚାକିରୀ ଦେଉଥିଲେ । ଆଉ ପରେ SC ST ଲୋକଙ୍କୁ ଧମକାଇ କମ୍ ଦାମରେ ସେମାନଙ୍କ ଜମି ଅଚ୍ୟୁତ ନେଉଥିଲେ ବୋଲି ଅଭିଯୋଗ କରିଛନ୍ତି ବାବୁ ସିଂ । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗିରଫଦାରୀ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କରିଛନ୍ତି ଦାବି । ଆଉ ବିଜେଡ଼ି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅନ୍ୟପଟେ ମୁଲତବୀ ପ୍ରସ୍ତାବର ଉତ୍ତର ଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଦେଇଛନ୍ତି ସୂଚନା । କହିଛନ୍ତି, କିଟ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ଗିରଫ କରାଯାଇଛି । କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ 8 ଜଣଙ୍କୁ ସମନ କରାଯାଇଛି ।
କିଟ୍ କର୍ତ୍ତୃପକ୍ଷଙ୍କ ଭୁଲ ନିଷ୍ପତି ଯୋଗୁଁ ନିନ୍ଦା ମୁଣ୍ଡାଇଲା ରାଜ୍ୟ ଓ ଦେଶ । ନେପାଳ ଛାତ୍ରଛାତ୍ରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି ଦୀର୍ଘ ବର୍ଷର ନେପାଳ ଓ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ ବଦନାମ କଲା କିଟ୍ । ସାରା ବିଶ୍ବରେ ମଳିନ ହେଲା ଭାରତର ଛବି । ତେବେ କିଟ୍ ଘଟଣାରେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବା ଲାଗି ଉଚ୍ଚ ସ୍ତରୀୟ କମିଟି ଗଠନ କରି ସରକାର ତଦନ୍ତ କରୁଛନ୍ତି । ଏବେ ପ୍ରଶ୍ନ...ସରକାର କିଟ୍ ଉପରେ କଣ ନେବେ କାର୍ଯ୍ୟନୁଷ୍ଠାନ ? ଏଭଳି କୁସ୍ଚିତ ଘଟଣା କଣ ଅଚ୍ୟୁତଙ୍କ ବିନା ଆଦେଶରେ ଘଟିଗଲା ? କେବଳ କର୍ମଚାରୀଙ୍କୁ ବଳି ପକାଇ ନିଜେ ଖସିଯିବେ ନା ଗିରଫ ହେବେ ଅଚ୍ୟୁତ ସାମନ୍ତ ?