ବ୍ଲାକ ରୋଜ୍ କେଳେଙ୍କାରୀର ହେବ ତଦନ୍ତ ; ଡିଜିଙ୍କୁ ଚିଠି ଲେଖିଲା ଗୃହ ବିଭାଗ

ଅର୍ଗସ ବ୍ୟୁରୋ: ଖୋଲିବ ବ୍ଲାକରୋଜ୍ କେଳେଙ୍କାରୀ ପଛର ଗୁମର । ବ୍ଲାକ ରୋଜ୍ କେଳେଙ୍କାରୀର ତଦନ୍ତ ନେଇ ଡିଜିଙ୍କୁ ଗୃହ ବିଭାଗର ଚିଠି । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗକୁ ଆଧାର କରି ଡିଜିଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗ । ତେବେ ଲାଇସେନ୍ସ ନଥିବା ଯାହାଜରେ ବିଦେଶକୁ ୨୪ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଚାଲାଣ ପଛର ମାଷ୍ଟର ମାଇଣ୍ଡ କିଏ, ସେ ସତ ଏବେ ସାମ୍ନାକୁ ଆସିବ । ଗତ ଜୁନ୍ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ବ୍ଲାକ୍ ରୋଜ୍ ବୁଡ଼ି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର ପାଇଁ ନିବେଦନ କରିଥିଲେ ପ୍ରଦୀପ ।
ସୂଚନାଯୋଗ୍ୟ, ୦୯.୦୯.୨୦୦୯ରେ ପାରାଦ୍ବୀପ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ଲାକ୍ରୋଜ ଜାହାଜ ବୁଡ଼ି ଯାଇଥିଲା। ଏନେଇ ବନ୍ଦର କର୍ତ୍ତୃପକ୍ଷ ପାରାଦ୍ବୀପ ମେରାଇନ୍ ଥାନାରେ ଏକ FIR ଦାୟର କରିଥିଲା I ପରେ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। ସେପଟେ ମାମଲାର ସିବିଆଇ ତଦନ୍ତ ଦାବିରେ ଓଡ଼ିଶା ହାଇକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ସିବିଆଇ ମାମାଲର ତଦନ୍ତ ଲାଗି ପ୍ରସ୍ତୁତ ଥିବା ହାଇକୋର୍ଟଙ୍କୁ ଜଣାଇଥିଲା । ତେବେ ବିଭିନ୍ନ କାରଣ ପାଇଁ ହାଇକୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ ।
ଏହାପରେ ଓଡ଼ିଶା ସରକାରଙ୍କୁ ଦୁଇଥର ଚିଠି ଲେଖି (୩୦.୦୯.୨୦୧୯ ଓ ୦୯.୧୨.୨୦୧୯) କ୍ରାଇମ୍ ବ୍ରାଞ୍ଚ ଦ୍ଵାରା ହୋଇଥିବା ସମସ୍ତ ତଦନ୍ତର ଦସ୍ତାବିଜ ମାଗିବା ସହ ଘଟଣାର ପୂର୍ଣାଙ୍ଗ ତଦନ୍ତ ଅନୁମତି ମାଗିଥିଲା ସିବିଆଇ। କିନ୍ତୁ ରାଜ୍ୟ ସରକାର କୌଣସି ଦସ୍ତାବିଜ ସିବିଆଇକୁ ଦେଇନଥିଲେ।
📱 Get Argus News App
✨ପରେ ସୂଚନା ଅଧିକାର ଆଇନ୍ ବଳରେ ଜଣାପଡ଼ିଲା ଯେ, ବ୍ଲାକ୍ରୋଜ ଏକ ଚୋରା ଜାହାଜ। ଏହାର କୌଣସି ଲାଇସେନ୍ସ ନାହିଁ। ଏଥିରେ ୨୪ ହଜାର ମେଟ୍ରିକ୍ ଟନ୍ ଲୁହା ପଥର ଚୋରାରେ ବିଦେଶକୁ ପଠାଯାଉଥିଲା। ରେଟ୍ରର ମାଇନ୍ସ ଓ ଏ.ବି. ମିନେରାଲ ଏହି ଚୋରା ଲୁହା ପଥର ବିଦେଶକୁ ପଠାଉଥିବା ଜଣାପଡ଼ିଥିଲା। ଏବେ ପ୍ରଶ୍ନ ଉଠୁଛି ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ କାହିଁକି ଦେବାକୁ ଚାହୁଁନଥିଲେ ବିଜେଡି ସରକାର ?