ହିଟ୍କୁ ବିଟ୍ କରିବାକୁ ବିଏମସିର ପ୍ରସ୍ତୁତି

Key Points
ହିଟ୍କୁ ବିଟ୍ କରିବାକୁ ବିଏମସିର ପ୍ରସ୍ତୁତି
ରାଜଧାନୀର ପ୍ରମୁଖ ଛକମାନଙ୍କରେ ସେଡ୍ ବ୍ୟବସ୍ଥା
ଟ୍ରାଫିକ ସିଗ୍ନାଲକୁ ଅପେକ୍ଷା ସମୟରେ ଯାତ୍ରୀ ହେବେନି ହନ୍ତସନ୍ତ
ଭୁବନେଶ୍ଵର ମହାନଗର ନିଗମର ସମସ୍ତ ଓ୍ଵାର୍ଡରେ ଖୋଲାଯିବ ଜଳଛତ୍ର
ତାତି ଦେଖାଉଛି ତାଉ, ବେହାଲ ସ୍ମାର୍ଟ୍ ସିଟି ବାସିନ୍ଦା। ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଦହଗଞ୍ଜ ହେଉଛି ଜନଜୀବନ। ଘରେ ରହୁଥିବା ଲୋକଙ୍କ ଠାରୁ ନେଇ ରାସ୍ତାରେ ଯାଉଥିବା ଯାତ୍ରୀ, ପଶୁପକ୍ଷୀ ସମସ୍ତଙ୍କ ଉପରେ ପ୍ରଭାବ ପକାଉଛି ହିଟ୍ ଓ୍ଵେଭ୍। ଏଭଳି ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଛି। ଖରାକୁ ଆଖିରେ ରଖି ରାଜଧାନୀର ପ୍ରମୁଖ ୧୦ଟି ଛକରେ ୧୦ଟି ଅସ୍ଥାୟୀ ସେଡର ନିର୍ମାଣ କରାଯାଇଛି । ଆଗକୁ ଏଜି ଛକ ଏବଂ କଳିଙ୍ଗ ଷ୍ଟୁଡିଓ ଛକରେ ଦୁଇଟି ସ୍ଥାୟୀ ସେଡର ନିର୍ମାଣ କରାଯିବ । ଟ୍ରାଫିକ ସିଗ୍ନାଲ ସମୟରେ ଗାଡ଼ି ଚାଳକମାନଙ୍କୁ ଦୀର୍ଘ ସମୟଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ଏହି ସେଡ୍ ବେଶ ସହାୟକ ହେବ।.
ସେପଟେ ରାଜଧାନୀର ସମସ୍ତ ଓ୍ଵାର୍ଡରେ ଜଳଛତ୍ରର ବ୍ୟବସ୍ଥା କରୁଛି ବିଏମସି। ୬୪ଟି ଓ୍ଵାର୍ଡରେ ସୋଲାର ଓ୍ଵାଟର କିଓସ୍କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୪ଟିର କାମ ଶେଷ ହୋଇସାରିଛି । ଏହି କିଓସ୍କରୁ ଆସନ୍ତାକାଲିଠାରୁ ଲୋକଙ୍କୁ ପିଇବା ପାଣି ମିଳିପାରିବ । ଓ୍ଵାଟକୋ ସହ ଏନେଇ ଆଲୋଚନା ଚାଲିଛି। ସେପଟେ ଏସଏଚଜି ମହିଳା ମାନଙ୍କୁ ଜଳଛତ୍ର ଗୁଡିକର ଦାୟିତ୍ୱ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ୍। ଆଗକୁ ଆହୁରି ଅଧିକ କଲବଲ କରିବ ଖରା। ଏହାକୁ ନେଇ ସଜାଗ ହେବା ସହ ଆଗୁଆ ସତର୍କତାମୂଳକ ପଦକ୍ଷେପ ହାତକୁ ନେଉଛି ଭୁବନେଶ୍ଵର ମହାନଗର ନିଗମ।
