ଏବେବି ବିଜେଡିରେ ଚାଲିଛି ବବି-ପାଣ୍ଡିଆନ ଯୋଡିଙ୍କ ଦବ ଦବା

Key Points
- ବବି ଓ ପାଣ୍ଡିଆନଙ୍କ ହାତରେ ବିଜେଡି କଣ୍ଟ୍ରୋଲ
- ଏବେବି ବିଜେଡିରେ ଚାଲିଛି ବବି-ପାଣ୍ଡିଆନ ଯୋଡିଙ୍କ ଦବଦବା
- ନାଁକୁ ମାତ୍ର ତିଆରି ହୋଇଛି ବିଜେଡିର ସମନ୍ୱୟ କମିଟି
- ବବି ଓ ପାଣ୍ଡିଆନଙ୍କ ବିନା ନିର୍ଦ୍ଦେଶରେ ହଲୁନି ବିଜେଡି ଗଛର ପତ୍ର
- ପାଣ୍ଡିଆନ୍ ବିଜେଡିର ସର୍ବେସର୍ବା ଆଉ ବବି ଏବେବି ଦଳର ମ୍ୟାନେଜର
ଅର୍ଗସ ବ୍ୟୁରୋ: ଏବେବି ବିଜୁ ଜନତା ଦଳରେ ସଭାପତି ନବୀନ ପଟ୍ଟନାୟକ ସାଜିଛନ୍ତି ସଖୀ କଣ୍ଢେଇ । ଆଉ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଙ୍କ ହାତରେ ରିମୋର୍ଟ କଣ୍ଟ୍ରୋଲର । ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଏବଂ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଚାଲୁଛି ବିଜେଡିର ଦଳୀୟ କାର୍ଯ୍ୟକ୍ରମ । ଲୋକେ ଦେଖାଣିଆ ନାଁ କୁ ମାତ୍ର ବିଜେଡିର ସମନ୍ୱୟ କମିଟି । କିନ୍ତୁ ସବୁ କିଛି ବବି-ପାଣ୍ଡିଆନ ଙ୍କ ହାତରେ ବୋଲି ଚର୍ଚ୍ଚା । ଏବେ ବି ବିଜେଡି ଦଳର ସର୍ବେ ସର୍ବା ବବି-ପାଣ୍ଡିଆନ । ଏମାନଙ୍କ ବିନା ନିର୍ଦେଶରେ ଦଳରେ ପତ୍ର ଟେ ବି ହଲୁନି । ନିର୍ବାଚନ ପରେ ଏକପ୍ରକାର ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ ବବି । ଦଳର କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା ତାଙ୍କୁ । ଆଉ ଏବେ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ପୂର୍ବତନ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ।
ନିର୍ବାଚନର ଶୋଚନୀୟ ପରାଜୟ ପରେ ବିଜେଡି ସୁପ୍ରିମୋ ଭାଙ୍ଗିଦେଇଥିଲେ ଦଳର ସମସ୍ତ କମିଟି । କିଛି ବରିଷ୍ଠ ଓ ଯୁବ ତଥା ଅସନ୍ତୁଷ୍ଟ ଓ ଅଣଦେଖା ଗୋଷ୍ଠୀ ସହ ପୂର୍ବ କୋଟେରି ଗ୍ରୁପ କୁ ମିଶାଇ ଗଢ଼ିଥିଲେ ସମନ୍ୱୟ କମିଟି । ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ସଦସ୍ୟ ଦେବୀ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିର କାମ ଥିଲା ଦଳର ସବୁ କିଛି ବୁଝିବ। ଏ ସବୁ ଭିତରେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି କମିଟି କେବଳ ନାଁ କୁ ମାତ୍ର ଥିଲା କିନ୍ତୁ ସବୁ କିଛି ଏବେ ଚାଲିଛି ବବି-ପାଣ୍ଡିଆନଙ୍କ ନିର୍ଦେଶରେ । ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ବି ବର୍ତ୍ତମାନ ନବୀନ ନିବାସ ରୁ ନବୀନ ଙ୍କ ଦ୍ଵାରା ଦଳ କୁ ପରିଚାଳିତ କରୁଥିବା କୁହାଯାଉଛି । ସେହିପରି ନିର୍ବାଚନ ପରାଜୟ ପରେ ବବି ସଂଗଠନ ରେ ନିଷ୍କ୍ରିୟ ଥିଲେ ବବି । କିନ୍ତୁ ଏଇ କିଛି ଦିନ ହେବ ପୁଣି ଥରେ ସଂଗଠନ ରେ ସକ୍ରିୟ ହୋଇଛନ୍ତି ବବି । କମିଟିରେ ନଥାଇ ବି ବବି ବିଭିନ୍ନ ସ୍ଥାନକୁ ଯାଇ ସଭା ସମିତି କରିବା ସହ ଶଙ୍ଖ ଭବନ ରେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ତେବେ ଦଳର ନେତା କହିଛନ୍ତି ଦଳରେ ଯାହା ଚାଲିଛି ତାହା ହାଇକମାଣ୍ଡ ବୁଝିବେ ।
ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ବିଜେଡିରେ ଥିଲେ ସବୁକିଛି । ପାଣ୍ଡିଆନ୍ ଯାହା କହୁଥିଲେ ଦଳରେ ତା ଚାଲିଥିଲା । ଆଉ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ରାଜନୀତିକୁ ବାଏ ବାଏ କହିଥିଲେ ପାଣ୍ଡିଆନ୍ । ହେଲେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ବିଜେଡିରେ ବବି-ପାଣ୍ଡିଆନ୍ ଯୋଡି ଥିଲେ , ଅଛନ୍ତି ଆଗକୁ ରହିଥିବେ । ତାଙ୍କ ବିନା ବିଜେଡି ଚାଲି ପାରିବ ନାହିଁ ।
📱 Get Argus News App
✨ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ବବି-ପାଣ୍ଡିଆନ୍ ଯୋଡି ଉପରେ ଅନେକ ନେତା ହୋଇଥିଲେ ଖଡ୍ଗ ହସ୍ତ । ସିଧାସିଧା ସେମାନଙ୍କ ବିରୋଧରେ ଓଗାଳିଥିଲେ ଅସନ୍ତୋଷ । ଆଉ ଏବେ ବବି-ପାଣ୍ଡିଆନ୍ ଯୋଡି ପୁଣିଥରେ ଦଳରେ ସକ୍ରିୟ ହୋଇଥିବା ବେଳେ ତାଙ୍କୁ କେମିତି ଗ୍ରହଣ କରୁଛନ୍ତି ଦଳର ନେତା ତାହା ଦେଖିବାକୁ ବାକି ରହିଲା ।