ଭୁବନେଶ୍ବରରେ ପହଞ୍ଚିଲା ୱାୟନାଡ଼ ଭୁସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତରଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ବରରେ ପହଞ୍ଚିଲା ୱାୟନାଡ଼ ଭୁସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସଡ଼କ ପଥରେ ଆସି ପହଞ୍ଚିବା ପରେ ରାଜଧାନୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜନ୍ମସ୍ଥାନ ଚୌଦ୍ୱାରକୁ ନିଆଯାଇ ବିଷ୍ଣୁପ୍ରସାଦଙ୍କର ଶେଷ କୃତ୍ୟ କରାଯିବ । ସେପଟେ କେରଳରେ ମେଡିକାଲରେ ଚିକିତ୍ସାଧୀନ ଥିବା ବିଷ୍ଣୁପ୍ରସାଦଙ୍କ ପତ୍ନୀ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସେ ମଧ୍ୟ ଓଡ଼ିଶା ଆସୁଛନ୍ତି ।
ସେପଟେ ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି । ଶୁକ୍ରବାର ଦିନ ଅନେକ ଜୀବନ୍ତ ଲୋକଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି। ଏଭଳି ପରିସ୍ଥିତିରେ ଆକାଶମାର୍ଗରୁ ସ୍ଥିତି ପରିକ୍ଖିବା ସହ ସ୍ୱତନ୍ତ୍ର ଟେକ୍ନୋଲୋଜି ସାହାଯ୍ୟରେ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି।
ଭୂସ୍ଖଳନ ପରେ ରାଡାରା ଡ୍ରୋନ୍ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି। କେବଳ ସେତିକି ନୁହେଁ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି। ୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ 3 ଶିଶୁ। କେରଳ ସରକାରଙ୍କ ତଥ୍ୟ କହୁଛି ଏ ପର୍ଯ୍ୟନ୍ତ 215 ମୃତ ଦେହ ଉଦ୍ଧାର କରାଯାଇଛି। ଯେଉଁଥିରୁ 87 ମହିଳା, 98 ପୁରୁଷ ଓ 30 ଶିଶୁ ରହିଛନ୍ତି। 206 ଜଣଙ୍କୁ ମେଡିକାଲରୁ ଡ଼ିସଚାର୍ଜ କାରି ରିଲିଫ କେନ୍ଦ୍ରରେ ରଖାଯାଇଛି। ବିଭିନ୍ନ ସ୍ଥାନରେ 93 ରିଲିଫ କ୍ୟାମ୍ପରେ 10,042 ଲୋକଙ୍କୁ ରଖାଯାଇଛି। ସେପଟେ ମୋଟ 40 ଟି ଟିମ ଚଳାଇଛନ୍ତି ସର୍ଚ୍ଚ ଅପରେସନ। ଯେଉଁଥିରୁ 460 ସେନା ବାହିନୀର, 120 ଜଣ NDRF ର, 56 ଜଙ୍ଗଲ ବିଭାଗ କର୍ମଚାରୀ, 64 ପୋଲିସ ସ୍ପେଶାଲ ଫୋର୍ସ ଓ 44 ଜଣ ତାମିଲ ଫିୟାର ଫୋର୍ସର କର୍ମଚାରୀ ଅଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ ଭାରତ ଖବର...