ଫେକ୍ ଆକାଉଣ୍ଟ କରି ପ୍ରେମିକାର ଫଟୋ ଭାଇରାଲ୍ କଲା ପ୍ରେମିକ

ବନ୍ଧୁତାରୁ ପ୍ରେମ...ବିଛେଦରୁ ପ୍ରତିଶୋଧ । ରିଭେଞ୍ଜ ପନୋଗ୍ରାଫି ଘଟଣାର ପର୍ଦାଫାଶ କଲା ସାଇବର ଥାନା ପୋଲିସ । ସମ୍ପର୍କ ଭାଙ୍ଗିଯିବାରୁ ଫେକ୍ ଆକାଉଣ୍ଟ କରି ପ୍ରେମିକାର ଫଟୋ ଭାଇରଲ କରିଥିଲା ଭଦ୍ରକ ଜିଲ୍ଲା ଧୂଷୁରୀର ସୁମିତ୍ ଦାସ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୋଷ୍ଟ କରି ବଦନାମ କରୁଥିଲା।
ବିଭିନ୍ନ ପ୍ରକାର ଧମକ ଦେବା ସହ ମାଗୁଥିଲା ଟଙ୍କା । ପୀଡ଼ିତାଙ୍କ ଅଭିଯୋଗ ପରେ ଧୋକାବାଜ ପ୍ରେମିକଙ୍କୁ ବାନ୍ଧିଛି ସାଇବର ଥାନା ପୋଲିସ। ସୁମିତ ପାଖରୁ ଅପରାଧରେ ବ୍ୟବହୃତ ମୋବାଇଲ ଜବତ କରି ଯୁବତୀଙ୍କ ଫୋଟ ଭିଡ଼ିଓ ଭାଇରାଲ କରିଥିବା ସମସ୍ତ ସୋସିଆଲ ମିଡ଼ିଆ ସାଇଟକୁ ବ୍ଲକ କରିଛି ପୋଲିସ ।
ସୋସିଆଲ ମିଡ଼ିଆରେ ଫେକ୍ ଆକାଉଣ୍ଟ କରି ଫଟୋ ଓ ଭିଡିଓ ଭାଇରାଲ ମାମଲା ସାଇବର ଥାନା ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପ୍ରତିଦିନ ସାଇବର ଥାନାରେ ଏଭଳି ଅନେକ ମାମଲା ପଞ୍ଜିକୃତ ହେବାରେ ଲାଗିଛି । ଏନେଇ ଜନସାଧାରଣ ସଚେତନ ହେବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି।
ନିଜର ଗୋପନୀୟ ଫଟୋ, ଭିଡ଼ିଓ କାହାକୁ ଦିଅନ୍ତୁ ନାହିଁ । ଯଦି କେହି ଫୋଟ ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରାଲ କରୁଛି ତେବେ ସଙ୍ଗେ ସଙ୍ଗେ ସାଇବର ଥାନାରେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ଡିସିପି । ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କମିସନରେଟ ପୋଲିସର ସାଇବର ଥାନାକୁ ଧନ୍ୟବାଦ ଜଣାଇଛନ୍ତି ପୀଡିତା ।