Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର

Odisha

ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର

Rashmita Mishra
Browse all articles by Rashmita Mishra
·1 year ago·2 min read
ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର

ଅର୍ଗସ ବ୍ୟୁରୋ: ଦାନା ଦାନବ ସିନା ସାଜିଲାନି ହେଲେ ରଚିଛି ଏମିତି ତାଣ୍ଡବଲୀଳା । ବାତ୍ୟା ଦାନା ଯୋଗୁଁ କେନ୍ଦ୍ରାପଡ଼ା ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଇଏ ହେଉଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ଅଞ୍ଚଳର ଦୃଶ୍ୟ । ସମୁଦ୍ର ଜୁଆର ମାଡ଼ି ଆସିଛି । ଫଳରେ ମାଛଧରା ଡଙ୍ଗାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ପବନ ଓ ଭୀଷଣ ବର୍ଷା ଯୋଗୁଁ ବଡ଼ବଡ଼ ଗଛ ଓ ଇଲେକ୍ଟ୍ରି ପୋଲ୍ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ଚାଳଘର ନଷ୍ଟ ହୋଇଛି । କଟକ ଚାନ୍ଦବାଲି ରାସ୍ତାର ଅନେକ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି । କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲାବେଳକୁ ପବନର ବେଗ ୧୦୦ କିଲୋମିଟର ଥିବା ବେଳେ ଗଷ୍ଟିଙ୍ଗ ସ୍ପିଡ୍ ଥିଲା ୧୨୦ କିଲୋମିଟର । ହାବେଳିଖଟି ସମେତ ତାଳଚୁଆ, ଡାଙ୍ଗମାଳ, ଗୁପ୍ତି, ସାତଭାୟା, ପେଣ୍ଠ, ଜମ୍ବୋ ପ୍ରଭୃତି ଇଲାକା ଏହି ବାତ୍ୟା ଯୋଗୁଁ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି । ଭିତରକନିକାକୁ ବି ଉଜାଡ଼ି ଦେଇଛି ଦାନା । ଅନେକ ସମୁଦ୍ରକୂଳିଆ ଗାଁରେ ଜୁଆର ପାଣି ଠିଆ ହୋଇଛି । ଅନେକ ସ୍ଥାନରେ ସମୁଦ୍ର ପାଣି ବନ୍ୟାର ଭ୍ରମ ସୃଷ୍ଟି କରୁଛି । ଅନେକ କଚ୍ଚାଘର ମଧ୍ୟ ଦାନା ଯୋଗୁଁ ଭାଙ୍ଗିରୁଜି ଯାଇଛି ।  ୨୪ ବର୍ଷ କାଳ ରାଜ୍ୟରେ ସ୍ଥିର ସରକାର ଥାଇ ବି ମୁଣ୍ଡ ଉପରେ ଖଣ୍ଡେ ପକ୍କାଘର ନ ଥିବାରୁ ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରି ଭଙ୍ଗା ଘର ଭିତରେ ହିଁ ନିଜର ଭାଗ୍ୟ ଅଣ୍ଡାଳୁଛନ୍ତି ବାତ୍ୟା ବିପନ୍ନ । 

ଧାମରା, ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଧାମନଗର । ସବୁଠି ଦାବି ଦେଇଛି ଦାନା । ଏଠି ବି ଗଛ ଆଉ ବିଦ୍ୟୁତ ଖୁଣ୍ଟ ଭୂପତିତ । ସ୍ଥାନେ ସ୍ଥାନେ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବହରାହ ବି ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଧାମରା ବନ୍ଦର ପାଖରେ ଓଲଟି ପଡ଼ିଛି ଅନେକ ମାଛଧରା ଡଙ୍ଗା । ସମୁଦ୍ର ଜୁଆର ପ୍ରଭାବରେ ଅନେକ ଗାଁରେ ପାଣି ପଶିଛି । ପୂରା ଭଦ୍ରକ ଜିଲ୍ଲାରେ ବଡ଼ବଡ଼ ଗଛ ଉପୁଡ଼ି ଘର ଉପରେ ପଡ଼ି ଘର ନଷ୍ଟ କରିଥିବାର ବି ଦେଖିବାକୁ ମିଳିଛି । ଏନଡିଆରଏଫ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ରାସ୍ତା ଉପରୁ ଗଛ କାଟି ସଫା କରିବାରେ ଲାଗି ପଡ଼ିଛନ୍ତି । ଧାମରାରେ ଦୁଇ ପଶ୍ଚିମବଙ୍ଗ ଟ୍ରଲର ମଧ୍ୟ ବାତ୍ୟା ଯୋଗୁଁ ଫସିଥିଲେ । 

ଏପଟେ ବାଲେଶ୍ବର ଜିଲ୍ଲାର ଅନେକ ଇଲାକାରେ ବି ସମାନ ଅବସ୍ଥା । ବାହାନଗା, ସୋର ଓ ରେମୁଣା ବ୍ଲକର ଅନେକ ଗାଁରେ ଦାନା ଉତ୍ପାତ । ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ  ଦାନାର ତାଣ୍ଡବ ଆଗରେ ମଥାନତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଗଛକାଟି ରାସ୍ତା ସଫା କରିବାରେ ଲାଗିଛି ପ୍ରଶାସନ । ରାସ୍ତା କ୍ଲିଅର କରାଯିବା ପରେ ଗାଁ ଭିତରେ ପଡ଼ିଥିବା ଗଛଗୁଡ଼ିକ କଟାଯିବ । ଗୋଟିଏ ଦୁଇ ସ୍ଥାନରେ କାନ୍ଥ ମଧ୍ୟ ପଡ଼ି ଲୋକେ ଆହତ ହୋଇଛନ୍ତି । ସବୁ ଭିତରେ ଦାନା ଉପରେ କିନ୍ତୁ ଜୋରରେ ପାହାର ପକାଇଛି ଦାନା । ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ଚାଷଜମି । ଧାରକରଜ କରି ଚାଷୀମାନେ ଏବର୍ଷ ଯେଉଁ ଭଲ ଅମଳ ପାଇଁ ଲକ୍ଷ୍ୟ ରଖିଥିଲେ, ତାକୁ ସ୍ବପ୍ନରେ ହିଁ ରଖିଦେଇଯାଇଛି ଅକ୍ଟୋବରର ଏ ବାତ୍ୟା । ତେଣୁ ଏବେ ଅଧିକାଂଶ ସ୍ଥାନର ଚାଷୀ ସରକାରଙ୍କ ହାତଟେକାକୁ ଅପେକ୍ଷା କରି ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କେତେକ ଇଲାକାରେ ମଧ୍ୟ ଦାନାର ପ୍ରଭାବ ଅନୁଭୂତ ହୋଇଛି । ମୋଟାମୋଟି ଦେଖିବାକୁ ଗଲେ ବିଶେଷ ପ୍ରଭାବ ବିସ୍ତାର ନ କରି ପାରି ଦବିଯାଇଥିଲେ ବି କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଅନେକ ଇଲାକାରେ ଦମ୍ ଦେଖାଇବାରେ ସମର୍ଥ ହୋଇଛି ଦାନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Sponsored
Broken power poles, uprooted trees, blown rice | Argus News