ବଜେଟ-୨୦୨୫: ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମାଗଣାରେ ବସ୍ରେ ଆସିବେ ଶ୍ରଦ୍ଧାଳୁ

ବଜେଟ୍ରେ ନୂଆ କରି ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ଶ୍ରୀଜଗନ୍ନାଥ ଯୋଜନାରେ ଶ୍ରଦ୍ଧାଳୁ ସଦର ମହକୁମାରୁ ମାଗଣାରେ ଶ୍ରଦ୍ଧାଳୁ ବସ୍ରେ ଆସିବେ। ମାଗଣାରେ ବସ୍ରେ ଆସି ଦର୍ଶନ କରିବେ, ଅବଢ଼ା ବି ଖାଇବେ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି। ଏଥିରେ ୧୬ରୁ ଅଧିକ ନୂଆ ଯୋଜନା ସାମିଲ କରାଯାଇଛି।
ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି, ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି, ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି, ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି, ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି, ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି, ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି, ସ୍ବଚ୍ଛ ଓଡ଼ିଶା ଯୋଜନାରେ ୨୬୧ କୋଟି, ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି ବ୍ୟୟବରାଦ କରାଯାଇଛି। ସେହିଭଳି ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ୧୨୬୬ କୋଟି, ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି। ସେହିଭଳି ଅନ୍ୟ ନୂଆ ଯୋଜନା ମଧ୍ୟରେ ଆଦ୍ବିକା ଏବଂ ଆମ କୁନିପିଲା ରହିଛି । ମାଳତୀ ଦେବୀ ପ୍ରାକ୍ ପ୍ରାଥମିକ ୟୁନିଫର୍ମ ଯୋଜନା ଲାଗି ୮୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର।