Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଆହ୍ଵାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଆହ୍ଵାନ

Key Points

ଚାଷୀ ମାନଙ୍କୁ ଆଗକୁ ଆସି ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବା ଉଚିତ୍ ।


ଭୁବନେଶ୍ବରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ୩୮ ତମ ସ୍ଥାପନା ଦିବସ ପାଳନ ହୋଇଛି । ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମ୍ମାନନୀୟା ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରେ ଜଳ ଦାନ କରି ସଭାର ଉଦ୍‌ଘାଟନ କରିଥିଲେ । ସେ କହିଲେ ଯେ ଆମ ଦେଶରେ ଜଳ ସମସ୍ଯା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ବର୍ତ୍ତମାନ ଆମର ଜଳ ଉପଯୋଗ ଦକ୍ଷତା ମାତ୍ର ଶତକଡ଼ା ୩୫-୪୦ ଭାଗ ଅଟେ । ଏହାକୁ ଶତକଡା ୬୦ ଭାଗକୁ ବୃଦ୍ଧି କରିବା ପାଇଁ ବୈଜ୍ଞାନିକ ମାନେ ନୂତନ ଜ୍ଞାନ କୌଶଳ ବିକଶିତ କରିବା ଆବଶ୍ୟକ ।

ଚାଷୀ ମାନଙ୍କୁ ଆଗକୁ ଆସି ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ଵାରା କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ସେ ଆହ୍ଵାନ ଦେଇଥିଲେ । ସମ୍ମାନିତ ଅତିଥି ଆଇସିଏଆରର ପ୍ରାକୃତିକ ସମ୍ପଦ ପ୍ରବନ୍ଧନ ବିଭାଗର ଉପ ମହାନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସବୁ ପ୍ରାକୃତିକ ସମ୍ପଦ ମଧ୍ୟରେ ଜଳ ସମ୍ପଦ ହେଉଛି ପ୍ରମୂଖ ସମ୍ପଦ । ତାର ସଂରକ୍ଷଣ, ସଦୁପୋଯୋଗ ଓ ଅପଚୟ ହ୍ରାସ ଆମ ସମସ୍ତଙ୍କର ପରମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ ଜନିତ ଅନିୟମିତ ବର୍ଷା, ଭୂଜଳ ସ୍ତର ହ୍ରାସ ଓ ମାତ୍ରାଧିକ ବର୍ଜ୍ୟ ଜଳ ଉତ୍ପନ୍ନ ବୈଜ୍ଞାନିକ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

ଅନ୍ଯତମ ସମ୍ମାନିତ ଅତିଥି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ ପ୍ରତାପ ପ୍ରତିଷ୍ଠା ଦିବସ ବ୍ୟାଖ୍ୟାନରେ ଜଳ ସମ୍ପଦର ସମ୍ମନ୍ଵିତ ଉପଯୋଗ ଉପରେ ଜୋର ଦେଇଥିଲେ । ସେ କହିଲେ ଯେ ଭବିଷ୍ୟତରେ ଜଳ ସୁରକ୍ଷା ପାଇଁ ଏବେଠୁ ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ହେବ ।

ସର୍ବ ପ୍ରଥମେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିବା ସହିତ ପ୍ରତିଷ୍ଠାନ ଦ୍ଵାରା ବିକଶିତ ଜଳ ସଞ୍ଚୟକାରୀ କୃଷି ପଦ୍ଧତି ବିଶେଷ କରି ସେନ୍ସର ଆଧାରିତ ଆଧୁନିକ ଜଳ ସଞ୍ଚୟକାରୀ କୃଷି ପ୍ରଦ୍ୟୋଗିକି ବିଷୟରେ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଏହି ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ କୃଷିରେ ପାରଦର୍ଶୀତା ଲାଭ କରିଥିବା ୧୧ ଜଣ ପ୍ରଗତିଶୀଳ ପୁରୁଷ ଓ ମହିଳା ଚାଷୀଙ୍କୁ ସମ୍ମାନିତ କରା ଯାଇଥିଲା ।

ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ମାନେ ପ୍ରତିଷ୍ଠାନରୁ ପ୍ରକାଶିତ ବିଭିନ୍ନ ଗବେଷଣା ବୁଲେଟିନ ଗୁଡିକୁ ଉନ୍ମୋଚନ କରିଥିଲେ । ପୂର୍ବାହ୍ନରେ କୃଷକ ଓ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଚାଷୀଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ଆଇସିଏଆର ଅନୁଷ୍ଠାନର ନିର୍ଦ୍ଦେଶକ, ଆଞ୍ଚଳିକ କେନ୍ଦ୍ରର ମୁଖ୍ୟ, ଓଡିଶା ସରକାର ଓ ଭାରତ ସରକାରଙ୍କ ବିଭିନ୍ନ ଅଧିକାରୀ ଏବଂ ଅନଲାଇନ ଯୋଗେ ଓଡିଶା ବାହାରୁ ବହୁ ବୈଜ୍ଞାନିକ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀଭାଇ ଓ ଭଉଣୀ ମାନଙ୍କ ପାଇଁ କୃଷି ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା । ଶେଷରେ ଡକ୍ଟର ରବୀନ୍ଦ୍ର କୁମାର ପଣ୍ଡା, ପ୍ରଧାନ ବୈଜ୍ଞାନିକ ଧନ୍ୟବାଦ ପ୍ରସ୍ତାବ ଜ୍ଞାପନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Call to increase water productivity in agriculture sector | Argus News