ବର୍ଷକ ଭିତରେ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ମେଡିକାଲ

Key Points
କୋରାପୁଟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି
ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୬୫୦ ବେଡ୍ ହସ୍ପିଟାଲର କଲେ ଉଦଘାଟନ
CM ମୋହନ ମାଝୀ କଲେ ବଡ଼ ଘୋଷଣା
ବର୍ଷକ ଭିତରେ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ମେଡିକାଲ
ନବରଙ୍ଗପୁରରେ ଚଳିତ ଆର୍ଥିକ ବର୍ଷରେ ହେବ ମେଡିକାଲ କଲେଜ
ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବିକାଶ କ୍ଷେତ୍ରରେ ଆଜି ପ୍ରତିଷ୍ଠା ହୋଇଛି ଐତିହାସିକ ମାଇଲଖୁଣ୍ଟ। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନୂଆ ହସ୍ପିଟାଲ ବିଲଡିଂର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 7 ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ରହିଛି 650 ଶଯ୍ୟା ସୁବିଧା। ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ବାସ୍ଥ୍ୟସେବା ପାଇଁ ଦୁଇଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଶେଷ ସୁଦ୍ଧା କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ୟାନସର ମେଡିକାଲ। ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ 2 କୋଟି ଟଙ୍କା। ଏଥିସହ ଚଳିତ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ଖୋଲିବ ନୂତନ ମେଡିକାଲ କଲେଜ ।
ଆଜିର କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ପିଏମ୍ ଜନ ଆରୋଗ୍ୟ ଯୋଜନା ଓ ବୟୋ ବନ୍ଦନା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ହେଲ୍ଥ କାର୍ଡ ବାଣ୍ଟିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ 'ବିକଶିତ ଓଡିଶା, ବିକଶିତ ଭାରତ' ଗଠନ ଉଦ୍ଦେଶ୍ୟରେ ପିଏମ୍-ଜନମନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଧରତୀ ଆଵା ଜନଜାତୀୟ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟର ୨୭ଟି ଜିଲ୍ଲାର ୭ ହଜାର ୬ ଶହ ୬୭ଟି ଗାଁକୁ ଏହି ଅଭିଯାନରେ ସାମିଲ କରାଯାଇଛି । ଏଥିରୁ କେବଳ କୋରାପୁଟ ଜିଲ୍ଲାର ରହିଛି ୫୭୨ଟି ଗାଁ। ଆଦିବାସୀଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଜୀବିକା ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ତାରତମ୍ୟକୁ ଦୂରକରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।