Videos
|
Odisha

Home Prices / ସାଧାରଣ ଲୋକଙ୍କ ବଜେଟ୍ ବାହାରେ ରାଜଧାନୀରେ ବାସସ୍ଥାନ... ୫ ବର୍ଷରେ ୬୩ % ମହଙ୍ଗା

Rashmita Mishra
Browse all articles by Rashmita Mishra
·2 hours ago·3 min read
ସାଧାରଣ ଲୋକଙ୍କ ବଜେଟ୍ ବାହାରେ ରାଜଧାନୀରେ ବାସସ୍ଥାନ... ୫ ବର୍ଷରେ ୬୩ % ମହଙ୍ଗା
Home Prices

Key Points

ଭୁବନେଶ୍ୱରରେ ଘର ଦରର ଦୌଡ଼ । 
ଗତ ୫ ବର୍ଷରେ ୬୩ % ମହଙ୍ଗା ହେଲାଣି ସ୍ୱପ୍ନର ଘର । 
ସାଧାରଣ ଲୋକଙ୍କ ବଜେଟ୍ ବାହାରେ ରାଜଧାନୀରେ ବାସସ୍ଥାନ । 

ଭୁବନେଶ୍ୱରରେ ଘର ଖଣ୍ଡିଏ କିଣିବାକୁ ସ୍ୱପ୍ନ ଦେଖୁଛନ୍ତି କି ? ତେବେ ଏ ଖବର ଆପଣଙ୍କ ପକେଟ୍‌କୁ ବଡ଼ ଝଟକା ଦେଇପାରେ । କାରଣ ଗତ ୫ ବର୍ଷ ମଧ୍ୟରେ ରାଜଧାନୀରେ ଘର ଦର ଆକାଶଛୁଆଁ ହୋଇଛି, ବୃଦ୍ଧି ପାଇଛି ପ୍ରାୟ ୬୩ ପ୍ରତିଶତ । ଦେଶର ରିଅଲ୍ ଇଷ୍ଟେଟ୍ ମାର୍କେଟ୍‌ରେ ଏବେ ଟିୟର-୨ ସହରଗୁଡ଼ିକର ଦବଦବା ବଢ଼ୁଥିବା ବେଳେ ଏହି ୧୧ଟି ଉଦୀୟମାନ ସହର ତାଲିକାରେ ରହିଛି ଭୁବନେଶ୍ୱର । ତେବେ ପ୍ରଶ୍ନ ଉଠୁଛି, କାହିଁକି ଏତେ ଦ୍ରୁତ ଗତିରେ ବଢ଼ୁଛି ଘର ଦର ? ଆଉ ସବୁଠୁ ବଡ଼ କଥା ହେଲା, ସାଧାରଣ ଲୋକଙ୍କ ପାଇଁ ଘର କିଣିବା ଏବେ କେତେ ସହଜ ?

ଭୁବନେଶ୍ୱର ବଢ଼ୁଛି, ସୁଯୋଗ ବି ବଢ଼ୁଛି । ହେଲେ ନିଜ ଘର କିଣିବା ସାଧାରଣ ପରିବାର ପାଇଁ କେତେ ସମ୍ଭବ ? ଏହି ପ୍ରଶ୍ନ ଏବେ ଅନେକ ମଧ୍ୟବିତ୍ତ ପରିବାରର ବଜେଟ୍‌ ହିସାବକୁ ଓଲଟପାଲଟ କରିଦେଉଛି । କାରଣ ମେଟ୍ରୋ ସହର ତୁଳନାରେ ଏବେ ଟିୟର-୨ ସହରଗୁଡ଼ିକରେ ଆବାସିକ ସମ୍ପତ୍ତିର ଦର ଅଧିକ ଦ୍ରୁତ ଗତିରେ ବଢ଼ୁଛି ।

ଭୁବନେଶ୍ୱର ସମେତ ୧୧ ଉଦୀୟମାନ ସହରରେ ବଢ଼ୁଛି ଘର ଦର
୨୦୨୧ରୁ ୨୦୨୬ ମଧ୍ୟରେ ଆବାସିକ ଦର ବଢ଼ିଛି ୬୩%
ସମାନ ସମୟରେ ଟପ୍-୮ ମେଟ୍ରୋ ସହରରେ ବୃଦ୍ଧି ହାର ମାତ୍ର ୪୨%
ଭୁବନେଶ୍ୱରରେ ବର୍ଗଫୁଟ୍‌ ପିଛା ହାରାହାରି ମୂଲ୍ୟ ୩୪୦୦ରୁ ୪୮୦୦ ଟଙ୍କା

ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହର ତୁଳନାରେ ଭୁବନେଶ୍ୱରର ରିଅଲ୍‌ ଇଷ୍ଟେଟ୍‌ ବଜାର ଆକାରରେ ଛୋଟ ହୋଇଥିଲେ ବି, ଘର ଦର ବୃଦ୍ଧିର ଗତି ଏବେ ଚର୍ଚ୍ଚାରେ । CII-Knight Frank India ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷରେ ୧୧ଟି ଉଦୀୟମାନ ଟିୟର-୨ ସହରରେ ଘର ଦର ବୃଦ୍ଧି ହାର ଟପ୍-୮ ସହର ତୁଳନାରେ ପ୍ରାୟ ଦୁଇଗୁଣା ରହିଛି । ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼ ଟ୍ରାଇସିଟି, ଗୋଆ, ଇନ୍ଦୋର, ଜୟପୁର, କୋଚି, ଲକ୍ଷ୍ନୌ, ନାଗପୁର, ବିଶାଖାପାଟଣା ଓ କୋଏମ୍ବାଟୋର ଭଳି ଟିୟର-2 ସହରରେ ଆବାସିକ ସମ୍ପତ୍ତିର ଦର ବାର୍ଷିକ ହାରାହାରି ୮ ପ୍ରତିଶତ ବଢ଼ିଛି ।

ଯେତେବେଳେ କି ଟପ୍-୮ ସହରରେ ଏହି ହାର ୪ ପ୍ରତିଶତ । ବର୍ତ୍ତମାନ ଭଲ ଲୋକେସନ୍‌, ଉନ୍ନତ ଯୋଗାଯୋଗ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ନିକଟରେ ଥିବା ଅଞ୍ଚଳରେ ଘରର ଦାମ୍ ଆହୁରି ଅଧିକ । ଦିନ ଥିଲା ଯେଉଁ ଟଙ୍କାରେ ଘର କିଣିବା ସହଜ ଥିଲା, ଏବେ ସେହି ଟଙ୍କାରେ ସମାନ ସ୍ଥାନରେ ଘର ମିଳିବା ଏକପ୍ରକାର ଅସମ୍ଭବ । ରିପୋର୍ଟରେ ଦିଆଯାଇଥିବା ତୁଳନାରେ ସବୁଠାରୁ ଚମକାଇ ଦେଇଛି ସରକାରୀ ଘରର ଦର । ସବୁଠାରୁ ବେଶୀ ଚର୍ଚ୍ଚା ନିକଟରେ ଭୁବନେଶ୍ବରରେ ଲଞ୍ଚ ହୋଇଥିବା ବିଡିଏର ଏକାମ୍ର ରେସିଡେନ୍ସି ପ୍ରଜେକ୍ଟ । ନାଁ ସରକାରୀ, ଦର କିନ୍ତୁ ପ୍ରିମିୟମ୍ ।

ସୁବୁଦ୍ଧିପୁରରେ ନିର୍ମିତ ଏହି ପ୍ରକଳ୍ପରେ 2BHK ଫ୍ଲାଟର ଦର ପ୍ରାୟ 80 ଲକ୍ଷ ଟଙ୍କା । ଆଉ 2BHK ପ୍ଲସ୍ ଷ୍ଟଡି ୟୁନିଟ୍‌ର ଦର ପ୍ରାୟ 97 ଲକ୍ଷ ଟଙ୍କା । ଯେତେବେଳେ କି ଦିଲ୍ଲୀ DDAର MIG ଫ୍ଲାଟ୍ ପ୍ରାୟ ୪୦ରୁ ୭୫ ଲକ୍ଷ ଏବଂ ମୁମ୍ବାଇର ସମାନ ଶ୍ରେଣୀର ଘର ପ୍ରାୟ ୪୫ରୁ ୭୫ ଲକ୍ଷ ଟଙ୍କା ମଧ୍ୟରେ ।

ସେପଟେ ପ୍ରଶ୍ନ ଉଠୁଛି, ଭୁବନେଶ୍ୱରରେ କାହିଁକି ଏତେ ବଢ଼ୁଛି ଘର ଚାହିଦା ? ବିଶେଷଜ୍ଞଙ୍କ ମତରେ ଉନ୍ନତ ଭିତ୍ତିଭୂମି, ଭଲ କନେକ୍ଟିଭିଟି, ବଢ଼ୁଥିବା ଆଇଟି ଏବଂ ସେବା କ୍ଷେତ୍ର - ଏସବୁ ଟିୟର-୨ ସହରଗୁଡ଼ିକର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରୁଛି । ତେବେ ଭୁବନେଶ୍ୱରର କାହାଣୀ କେବଳ ଫ୍ଲାଟ୍ କିଣାବିକାରେ ସୀମିତ ନୁହେଁ । ଏଠାରେ ୱେୟାରହାଉସିଂ ଓ କମର୍ସିଆଲ୍ ଆକ୍ଟିଭିଟି ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି ।

ବଢ଼ୁଛି ରିଟେଲ୍ ଏବଂ କମର୍ସିଆଲ୍ ଚାହିଦା । ୨୦୨୫ ସୁଦ୍ଧା ୧୧.୨ ମିଲିୟନ୍ ବର୍ଗଫୁଟ୍ ୱେୟାରହାଉସିଂ ଲିଜ୍ ଆକଳନ । ୨୪ଟି ଟିୟର-୨ ସହରରେ ୩୬ ମିଲିୟନ୍ ବର୍ଗଫୁଟ୍‌ର ସପିଂ ସେଣ୍ଟର । ଘର ଦର ତ ବଢ଼ୁଛି, କିନ୍ତୁ ପ୍ରଶ୍ନ ଉଠୁଛି - ପରିବାରର ଆୟ ସେହି ଅନୁପାତରେ ବଢ଼ୁଛି କି ? ସହରର ବିକାଶ ସହ ସାଧାରଣ ଲୋକଙ୍କ ପାଇଁ ନିଜ ଘରର ସ୍ୱପ୍ନ ସୁଲଭ ରହିବା ମଧ୍ୟ ନିହାତି ଆବଶ୍ୟକ । ୨୦୪୭ ସୁଦ୍ଧା ୫.୮ ଟ୍ରିଲିୟନ୍ ଡଲାର ଛୁଇଁବ ଭାରତର ରିଅଲ୍ ଇଷ୍ଟେଟ୍ । ଏଥିରେ ଟିୟର-୨ ଓ ୩ ସହରଗୁଡ଼ିକର ଅବଦାନ ରହିବ ୨୫ରୁ ୩୦%

ଆକଳନ ଅନୁଯାୟୀ, ଆଗାମୀ ଦିନରେ ଏହି ବଜାର ଆହୁରି ବଡ଼ ହେବ । ତେଣୁ ଭୁବନେଶ୍ୱର ପାଇଁ ବର୍ତ୍ତମାନ ପ୍ରଶ୍ନ କେବଳ ଘର ଦର କେତେ ବଢ଼ିବ ? ତାହା ନୁହେଁ, ବରଂ ‘ଏହି ବଢ଼ୁଥିବା ସହରରେ ସାଧାରଣ ପରିବାର ପାଇଁ ନିଜ ଘର କେତେ ସୁଲଭ ରହିବ ?’ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: