ସମସ୍ତ CBSE ସ୍କୁଲରେ ଲଗାଯିବ ସୁଗାର ବୋର୍ଡ: ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା

Key Points
ସମସ୍ତ CBSE ସ୍କୁଲରେ ଲଗାଯିବ ସୁଗାର ବୋର୍ଡ
କେତେ ପରିମାଣର ମିଠା, ଚିନି, ତେଲ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀଙ୍କୁ କରାଯିବ ସଚେତନ
ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀରେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସବୁ CBSE ସ୍କୁଲରେ ଲଗାଯିବ ସୁଗାର ବୋର୍ଡ । କେତେ ପରିମାଣର ମିଠା, ଚିନି, ତେଲ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ ସେନେଇ ସଚେତନ କରାଯିବ । ସମ୍ବଲପୁରରେ ‘କାର୍ଡିଓଲଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏବେ ଦେଶରେ ମେଦବହୁଳତା ଏକ ବଡ଼ ସମସ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶରେ ବଢୁଥିବା ଓବେସିଟି ନେଇ ବାରମ୍ବାର ଚିନ୍ତା ପ୍ରକଟ କରୁଛନ୍ତି।ଶରୀରରେ ବଢୁଥିବା ମେଦବହୁଳତା ଉପରେ ସମସ୍ତେ ଧ୍ୟାନ ଦେବା ଜରୁରୀ। ଏ ଦିଗରେ ପିଲାଙ୍କୁ ସ୍କୁଲ ସମୟରୁ ସଚେତନ କରାଯିବାକୁ ଶିକ୍ଷା ବିଭାଗ ଗୁରୁତ୍ବ ଦେଉଛି। ପ୍ରତି ସିବିଏସଇ ସ୍କୁଲରେ ସୁଗାର ବୋର୍ଡ ଲଗାଯିବାକୁ ନିଷ୍ପତ୍ତି ହୋଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ୍ । ସେମାନେ କହିଛନ୍ତି, ଏହାଦ୍ବାରା ପିଲାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ନିଶ୍ଚିତ ସୁଧାର ଆସିବ । ଅଧିକ ଚିନି ଓ ତେଲ ଖାଇବା ଦ୍ବାରା ମେଦ ବହୁଳତା ଶାରୀରିକ ଅସୁସ୍ଥତା ଦେଖାଦେଉଛି । ଚିନି,ତେଲର ବ୍ୟବହାରକୁ କଣ୍ଟ୍ରୋଲ କରିବା ଦ୍ବାରା ପିଲାଙ୍କୁ ଏକ ସୁସ୍ଥ ବାତାବରଣ ପ୍ରଦାନ କରାଯାଇ ପାରିବ।
ଏକ ଶୈକ୍ଷିକ ବାତାବରଣ ଭିତରେ ଶିକ୍ଷାର ଯେତିକି ଆବଶ୍ୟକତା ରହିଛି ତା ସହିତ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା ୱମଧ୍ୟ ଜରୁରୀ ହୋଇପଡିଛି । ଏପରି ସମୟରେ ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଶାରିରୀକ ଓ ମାନସିକ ଅଭିବୃଦ୍ଧି କ୍ଷେତ୍ରରେ ବେଶ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।