ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁବନେଶ୍ବର ବାସଭବନରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଭିଡ଼

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁବନେଶ୍ବର ବାସଭବନରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଭିଡ଼ । ଭିଡ଼ ହିଁ ବଖାଣୁଛି କେତେ ଲୋକପ୍ରିୟ ଥିଲେ ଡାକ୍ତର ପ୍ରଧାନ । କେବଳ ନିଜ ଜିଲ୍ଲା କି ରାଜ୍ୟ ନୁହଁ ଦେଶର ବିଭିନ୍ନ ସ୍ଥାନରେ ତାଙ୍କୁ ଝୁରୁଛନ୍ତି ଲୋକେ । କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ବିଭିନ୍ନ ରାଜ୍ୟର ନେତା, ମନ୍ତ୍ରୀଙ୍କ ସୁଅ ଛୁଟୁଛି ତାଙ୍କ ବାସଭବନକୁ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଜି କିଷାନ୍ ରେଡ୍ଡି ଏବଂ ସାଂସଦ ଅରୁଣ ସିଂ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।
ତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ତାଙ୍କ ଶ୍ରଦ୍ଧା ସୁମନ ଜଣାଇଛନ୍ତି । ଏକ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଭୁବନେଶ୍ବରସ୍ଥିତ ବାସଭବନରେ ପହଞ୍ଚି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ ବି ପହଞ୍ଚି ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଭୋପାଳ ସାଂସଦ ଆଲୋକ ଶର୍ମା ବି ଭୁବନେଶ୍ବରସ୍ଥିତ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ରାଜ୍ୟର ବହୁ ସାଂସଦ, ବିଧାୟକ, ନେତା, ମନ୍ତ୍ରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
କେବଳ ଭୁବନେଶ୍ବର ନୁହଁ ଅନୁଗୁଳରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନେକ । ଅନୁଗୁଳ ସଭାଘର ପରିସରରେ ଆୟୋଜିତ ହୋଇଥିଲା ଜିଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ ଭିନ୍ନଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା , ସମାଜସେବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।