Cuttack Kali Puja / କାଳି ପୂଜା ଭସାଣୀରେ ବିଶୃଙ୍ଖଳା, ଜନତା-ପୋଲିସ ହାତାହାତି !

Key Points
କାଳୀପୂଜା ଭସାଣକୁ ନେଇ କଟକରେ ପୁଣି ଉତ୍ତେଜନା । ରାସ୍ତା ଉପରେ ଅଟକିଲା ମେଢ଼ । କମିଟିର ଦୁଇ ବରିଷ୍ଠ ସଦସ୍ୟଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ।
ତେବେ କାଳୀପୂଜା ଭସାଣୀ ପାଇଁ କଟକକୁ ସାଇଲେନ୍ସ ଜୋନ୍ କରାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ସାଇଲେନ୍ସ ଜୋନ୍ ଘୋଷଣା କରାଯାଇଥିଲା । ଏନେଇ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଥିଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ। ଏହା ସହିତ ଭସାଣୀ ସମୟରେ ସହରରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଥିଲେ ।
ସମ୍ବେଦନଶୀଳ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରୁଫ୍ ଟଫ୍ ପୋଲିସ ବ୍ୟବସ୍ଥା ସହ ଡ୍ରୋନ୍ ଓ ସିସିଟିଭି ନଜରରେ ପୁରା ସହର ରଖାଯାଇଥିଲା । କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ ବୋଲି ବାରବାଟୀ ଷ୍ଟାଡିୟମରେ କମିସନରେଟ ପୋଲିସ ପକ୍ଷରୁ ଆୟୋଜିତ ପୋଲିସ ବ୍ରିଫିଂରେ କହିଥିଲେ ପୋଲିସ କମିଶନର। କିନ୍ତୁ ଏତେ ସବୁ ସତ୍ତ୍ୱେ ବି କାଳିପୂଜା ଭସାଣୀରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ପୋଲିସ କିଛି ବୟସ୍କ ବ୍ୟକ୍ତିଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ହୋଇଛି । ଯାହାଫଳରେ ଭସାଣୀ ଅଧାରୁ ବନ୍ଦ ରହିଥିଲା । ରାସ୍ତା ମଝିରେ ମେଢ଼ ଅଟକିଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଜାମ୍ ହୋଇଥିଲା ।
ଅନ୍ୟପଟେ କଟକ ଦୁର୍ଗାପୂଜା ଭସାଣି ସମୟରେ ହୋଇଥିବା ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ୨୨ ଜଣଙ୍କୁ ଏଡିଜେ-୨ ଅଦାଲତ ଜାମିନରେ ଖଲାସ କରିଛନ୍ତି। ସୂଚନାଯୋଗ୍ୟ, କଟକରେ ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରିସ୍ଥିତି ସମ୍ଭାଳିବାକୁ ଯାଇ କଟକ ଡିସିପିଙ୍କ ସମେତ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲେ।
ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳକୁ ବିରୋଧ କରି ସହରରେ ମୋଟରସାଇକେଲ କରୁଥିବା ଶୋଭାଯାତ୍ରା ଶୋଭାଯାତ୍ରାକାରୀ ପୁନଶ୍ଚ ପୋଲିସ ସହ ମୁହାଁମୁହିଁ ମଧ୍ୟ ହୋଇଥିଲେ। ପୋଡ଼ାଜଳା, ଭଙ୍ଗାରୁଜା ହୋଇ ସହର ଅଶାନ୍ତ ହୋଇଥିଲା । ସାମାଜିକ ଗଣମାଧ୍ୟମ ମାଧ୍ୟମରେ ନାନା ପ୍ରକାର ବିଶୃଙ୍ଖଳା, ଅଶାନ୍ତି ସୃଷ୍ଟି କରିବା ଭଳି ବାର୍ତ୍ତା ପ୍ରଚାରିତ ହୋଇଥିଲା। କମିଶନରେଟ ପୋଲିସ ଏହି ଘଟଣାରେ ଏକାଧିକ ମାମଲା ରୁଜୁ କରିବା ସହ ତଦନ୍ତ କରିଥିଲା।
ପୋଲିସ ସହରରେ ଲାଗିଥିବା ସିସିଟିଭି, ଡ୍ରୋନ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରି ସମ୍ପୃକ୍ତ ୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସେମାନଙ୍କୁ ଦଶହରା ଭସାଣି ଯାତ୍ରାରେ ଗିରଫ କରାଯାଇଥିବା ବେଳେ ଶୁକ୍ରବାର ମା' କାଳୀଙ୍କ ଭଷାଣୀରେ ତାଙ୍କୁ ଜାମିନ ମିଳିଛି। ସେମାନଙ୍କୁ ନେବା ପାଇଁ କଟକ ସଦର ବିଧାୟକ, ବିଜେପି ଜିଲ୍ଲା ସଭାପତି ଓ ବହୁ ଛାମୁଆ ନେତା ଜେଲ ଫାଟକ ଆଗରେ ଭିଡ଼ କରିଥିଲେ । ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଟକ ଡିସିପି ସିସିଓ, ଦୁଇଜଣ ଏସିପି ଓ ବହୁ ପୋଲିସ ଅଫିସର ଉପସ୍ଥିତ ଥିଲେ । କଟକ ଭାଇଚାରା ଓ ସରକାରଙ୍କୁ ବଦନାମ କରିବା ପାଇଁ କଲିକତାରୁ ଷଡ଼ଯନ୍ତ୍ର ହେଉଛି । ଏହି ଘଟଣାରେ କିଏ ସମ୍ପୃକ୍ତ ତାଙ୍କୁ ପୋଲିସ ଧରିବା ନିହାତି ଆବଶ୍ୟକ ବୋଲି ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ବାଳ କହିଛନ୍ତି ।