Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବରରେ ଧୁମଧାମରେ ପାଳିତ ହେଲା ଛେନାପୋଡ଼ ଦିବସ

Ritu Das
Browse all articles by Ritu Das
·1 year ago·2 min read
ଭୁବନେଶ୍ବରରେ ଧୁମଧାମରେ ପାଳିତ ହେଲା ଛେନାପୋଡ଼ ଦିବସ

“ନୟାଗଡ଼ ଦରବ, ଓଡ଼ିଶାର ଗରବ”, ଛେନାପୋଡ଼ ସଂଗୀତର ଏହି ପଂକ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଇ ଚର୍ଚ୍ଚା ଭିତରେ ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ଆନୁକୁଲ୍ୟରେ ଛେନାପୋଡ଼ ଦିବସ ଭୁବନେଶ୍ବରର ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। ଦିବସବ୍ୟାପୀ ଆୟୋଜିତ ଏହି ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା,ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ ସଂକୀର୍ତ୍ତନ, ଧୁଡ଼ୁକି ଓ ଦଣ୍ଡ ନାଚ ପରିବେଷଣ କରାଯାଇଥିଲା। ସେହିପରି ନୟାଗଡ଼ରୁ ଆନୀତ ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ମହାପାତ୍ର ଏବଂ ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ।


ନୟାଗଡ଼ ବିକାଶ ମଞ୍ଚର ସହ ଆବାହକ ସୁବ୍ରତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥିମାନଙ୍କ ଅଭିଭାଷଣ ପରେ ଛେନାପୋଡ଼ କାଟିବା ସହ ଛେନାପୋଡ଼ ସଙ୍ଗୀତର ମୂର୍ଚ୍ଛନା ମଧ୍ୟରେ ପରସ୍ପରକୁ ଛେନାପୋଡ଼ ଖୁଆଇଥିଲେ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଛେନାପୋଡ଼ ବ୍ୟବସାୟୀଙ୍କୁ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ଦଶପଲ୍ଲାର ଅଶୋକ କୁମାର ସାହୁଙ୍କୁ ମାନପତ୍ର, ଉତ୍ତରୀୟ ଓ ମୟୂର ପୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ବିକାଶ ମଞ୍ଚର ସହ ଆବାହକ ସୁବ୍ରତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପଛର ଉଦ୍ଦେଶ୍ୟ ବାବଦରେ କହିଥିଲେ। ଅନ୍ୟପକ୍ଷରେ ଛେନାପୋଡ଼କୁ ଭୌଗଳିକ ମାନ୍ୟତା, ଛେନାପୋଡ଼ ବ୍ୟବସାୟୀଙ୍କ ପାଇଁ କ୍ଲଷ୍ଟର ନିର୍ମାଣ ଏବଂ ଏହି ତରୁଣ ମିଠାର ଆକୃତି ଓ ସ୍ୱାଦ ବାବଦରେ ଗବେଷଣା ହେଉ ବୋଲି ଦାବି ରଖିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ, ସ୍ୱର୍ଗତ ସୁଦର୍ଶନ ସାହୁ ଦଶପଲ୍ଲାରୁ ନୟାଗଡ଼ ଛେନାପୋଡ଼ ଆଣି ଏହାର ପ୍ରଚାର ପ୍ରସାର ଓ ପରିବ୍ୟାପ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ତାଙ୍କ ଜୟନ୍ତୀ ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ ପାଳନ କରୁଛେ। ଯେତେବେଳେ ଏହି ତାରିଖକୁ ସମସ୍ତେ ଗ୍ରହଣ କରିସାରିଛନ୍ତି, ଆଉ ତାରିଖକୁ ନେଇ ବିବାଦ କରିବା ଅନୁଚିତ। ଏଥିସହ ସେ କହିଥିଲେ ଏକ ଜିଲ୍ଲା ଏକ ଉତ୍ପାଦକୁ ନେଇ ଉତ୍ସବ ମନାଇବା ବିରଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଛେନାପୋଡ଼ ଦେଶ ବିଦେଶକୁ ଯାଇ ନୟାଗଡ଼ ଓ ଓଡ଼ିଶାର ଗୌରବକୁ ପ୍ରତିନିଧିତ୍ୱ କରୁଛି। ସେହିଭଳି ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ମହାପାତ୍ର ନୟାଗଡ଼ ଜିଲ୍ଲାରେ କଟିଥିବା ତାଙ୍କ ପିଲାଦିନ ଓ ଛେନାପୋଡ଼ ସହ ଜଡ଼ିତ ସ୍ମୃତିକଥା ବଖାଣିଥିଲେ। ବିଭିନ୍ନ ସମୟରେ ଯୁଗ ସହ ତାଳ ଦେଇ ଛେନାପୋଡ଼ କିପରି ଦଶପଲ୍ଲା ଓ ନୟାଗଡ଼ ଦେଇ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି ସେ ବିଷୟରେ ଆଲୋକପାତ କରିଥିଲେ। ନୟାଗଡ଼ର ଯୁବ ନେତା ଅଭିଳାଷ ପଣ୍ଡା ରାଜଧାନୀ ଭୁବନେଶ୍ୱରରେ ରହୁଥିବା ଯୁବକମାନେ କିଭଳି ଏକାଠି ହୋଇ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ସେହି ସ୍ମୃତି ବଖାଣିଥିଲେ। ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନର ଛେନାପୋଡ଼ ଦିବସ ପାଳନ ଯାଏଁ ସ୍ମୃତି ବଖାଣିବା ସହ ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡାଙ୍କର ଅଭିନବ ପରିକଳ୍ପନାରେ ପ୍ରତିବର୍ଷ ଆୟୋଜିତ କାର୍ଯ୍ୟକ୍ରମ ବାବଦରେ ନିଜର ଅନୁଭୂତି ବଖାଣିଥିଲେ। ସ୍ୱାଗତିକା ମହାରଣା ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିବାବେଳେ ରୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଅମରେଶ ଦାଶ, ଆଶିଷ କୁମାର ରଥ, ସତ୍ୟେନ୍ଦୁ ମିଶ୍ର, ଆଶୁତୋଷ ଦାସ, ରାଜକିଶୋର ଡାକୁଆ, ଉମାକାନ୍ତ ମହାପାତ୍ର, ରାଜେଶ ପରିଡ଼ା, ସୁଧାଂଶୁ କୁମାର ସାହୁ, ସୌମ୍ୟ ଏବଂ ଯତୀନ କୁମାର ପ୍ରମୁଖ ଯୋଗଦେଇଥିଲେ।

Sponsored
chenapod-day-celebrated-grandly-in-bhubaneswar | Argus News