Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛେନାପୋଡ଼ ଦିବସ; ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଛେନାପୋଡ଼ ଦିବସ; ନାଚଗୀତ ଓ ପିଠାମିଠାରେ ମହକିବ ରାଜଧାନୀ

ଏପ୍ରିଲ ୧୧ ତାରିଖରେ ପାଳିତ ହେବ ଚତୁର୍ଥ ଛେନାପୋଡ଼ ଦିବସ। ଏ ଉତ୍ସବ ଏଥର ଭୁବନେଶ୍ୱରରେ ଧୁମଧାମରେ ପାଳନ କରାଯିବ । କେବଳ ଉତ୍ସବ ପାଳନ ନୁହେଁ, ଛେନାପୋଡ଼କୁ ଜିଆଇ ମାନ୍ୟତା ଏବଂ ଛେନାପୋଡ଼ କାରିଗରଙ୍କ ଲାଗି ସ୍ୱତନ୍ତ୍ର କ୍ଲଷ୍ଟର ନିର୍ମାଣ ସହ ଛେନାପୋଡ଼ର ପ୍ରସ୍ତୁତି ଓ ସଂରକ୍ଷଣ ଲାଗି ଅଧିକ ଗବେଷଣା ଓ ପ୍ରୟାସ ପାଇଁ ମଞ୍ଚ ଦାବି କରିଛି। ତେବେ ଏଥର ଉତ୍ସବ ଦିନ ୧୦ଟା ୩୦ରେ ଆରମ୍ଭ ହୋଇ ୨ଟା ଯାଏଁ ଚାଲିବ । ଭୁବନେଶ୍ୱରର ଜୟଦେବ ଭବନ ପରିସରରେ ହେବାକୁ ଥିବା ଏ ଉତ୍ସବରେ ଚଢ଼େୟା ନାଚ, ଘୁଡ଼ୁକି ଓ ସଂକୀର୍ତ୍ତନ ଭଳି ନୟାଗଡ଼ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜଣେ ଛେନାପୋଡ଼ କାରିଗରଙ୍କୁ ମଧ୍ୟ ବିକାଶ ମଞ୍ଚ ପକ୍ଷରୁ ସମ୍ମାନିତ କରାଯିବ।

ସୂଚନାଯୋଗ୍ୟ, ୨୦୨୨ ମସିହାଠାରୁ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ନୟାଗଡ଼ ବିକାଶ ମଞ୍ଚ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଥିବା ଛେନାପୋଡ଼ ଦିବସ ଚାରିବର୍ଷ ଭିତରେ ଛେନାପୋଡ଼ ଦିବସ ଏକ ଲୋକ ଉତ୍ସବରେ ପରିଣତ ହୋଇଛି । ୨୦୨୨ରେ ଏକକ ଉଦ୍ୟମରେ ହୋଇଥିବା ଏ ଦିବସ ପାଳନରେ ୨୦୨୩ ମସିହାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ସାମିଲ ହୋଇଥିଲା। ପରବର୍ଷ, ଅର୍ଥାତ ୨୦୨୪ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ବୁଦ୍ଧିଜୀବୀ, ରାଜନେତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଛେନାପୋଡ଼ ଦିବସକୁ ପାଳନ କରୁଛନ୍ତି ।

କେବଳ ଦିବସ ପାଳନ ମଧ୍ୟରେ ଏହାକୁ ସୀମିତ ନରଖି ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ସ୍ମୃତି ରକ୍ଷା, ଦଶପଲ୍ଲା ଓ ନୟାଗଡ଼ରେ ଛେନାପୋଡ଼ କ୍ଲଷ୍ଟର ନିର୍ମାଣକୁ ଗୁରୁତ୍ବ ଦିଆଯାଉ ବୋଲି ମଞ୍ଚ ଦାବି କରିଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିବାବେଳେ ଏହାକୁ ତ୍ବରାନ୍ବିତ କରାଇବାକୁ ମଞ୍ଚ ସରକାରଙ୍କ ପାଖରେ ଦାବି ରଖିଛି ।

୧୧ ତାରିଖରେ ହେବାକୁ ଥିବା ଛେନାପୋଡ଼ ଦିବସ ପାଳନରେ ସାମିଲ ହେବାକୁ ମଞ୍ଚ ନିବେଦନ କରିଥିବାବେଳେ ଓଡ଼ିଆମାନେ ଦେଶ ଭିତରେ ବା ବାହାରେ ଯେଉଁଠି ଅଛନ୍ତି ଛେନାପୋଡ଼ ଦିବସ ପାଳନ କରିବାକୁ ଅନୁରୋଧ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ବିକାଶ ମଞ୍ଚର ଆବାହକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା, ସହ ଆବାହକ ସୁବ୍ରତ କୁମାର ନାୟକ, ସଦସ୍ୟ ସତ୍ୟେନ୍ଦୁ ଶେଖର ମିଶ୍ର, ଉମାକାନ୍ତ ମହାପାତ୍ର, ଆଶୁତୋଷ ଦାସ, ସୁଧାଂଶୁ ସାହୁ ଓ ରାଜ କିଶୋର ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chenapoda Dibasa Will Celebrate in Bhubaneswar, Jaydev Bhawan | Argus News