Chhada khai / ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼, ଚଢ଼ା ଦର ସତ୍ତ୍ୱେ ଗ୍ରାହକଙ୍କ ଉତ୍ସାହ

Key Points
ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼
ଭୁବନେଶ୍ୱର ଓ କଟକର ଆମିଷ ବଜାରରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍
ଆଜି ହେଉଛି ଛାଡ଼ଖାଇ... ଦୀର୍ଘ ଏକ ମାସ ଧରି ହବିଷ୍ୟାନ୍ନ ସେବନ ଓ ନିରାମିଷ ଆହାର ଗ୍ରହଣ କରିବା ପରେ ଆମିଷ ଖାଇବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଏଥିପାଇଁ ସକାଳୁ ସକାଳୁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଖାସି ମାଂସଠାରୁ ଆରମ୍ଭ କରି ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଓ କୁକୁଡ଼ା ମାଂସ କିଣିବାକୁ ବଜାରରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
ଛାଡ଼ଖାଇକୁ ନେଇ ବଜାରରେ ଚଳିତ ବର୍ଷ ବେଶ୍ ଉତ୍ସାହ ରହିଥିବା ବେଳେ ଦର ମଧ୍ୟ କିଛିଟା ଚଢ଼ା ରହିଛି । ତଥାପି ଦାମ୍କୁ ଖାତିର ନକରି ଗ୍ରାହକମାନେ ନିଜ ପସନ୍ଦର ଆମିଷ ସାମଗ୍ରୀ କିଣୁଛନ୍ତି । ଭଲ ବିକ୍ରି ହେଉଥିବାରୁ ବ୍ୟବସାୟୀମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି ।
ବଜାରରେ ଖାସି ମାଂସ କିଲୋ ପ୍ରତି ୮୫୦ ଟଙ୍କା, ବ୍ରୟଲର କୁକୁଡ଼ା ୨୪୦ ଟଙ୍କା ଏବଂ ଦେଶୀ କୁକୁଡ଼ା ୬୫୦ ଟଙ୍କା ରହିଛି । କଲର ବାର୍ଡର ଦାମ୍ ଗୋଟା ପ୍ରତି ୪୦୦ରୁ ୫୫୦ ଟଙ୍କା ଥିବା ବେଳେ ସାଧାରଣ ଅଣ୍ଡା ୮ ଟଙ୍କା ଓ ଦେଶୀ ଅଣ୍ଡା ୨୦ ଟଙ୍କାରେ ବିକ୍ରି ହେଉଛି ।
ସେହିପରି ରୋହି ଓ ଭାକୁର କିଲୋ ପ୍ରତି ୨୨୦ ଟଙ୍କା, ଇଲିସି ୧୪୦୦ ଟଙ୍କା, ଚିଙ୍ଗୁଡ଼ି ୯୫୦ ଟଙ୍କା ଏବଂ ପାମ୍ପଲେଟ ୧୨୦୦ ଟଙ୍କା ରହିଛି । ଅନ୍ୟ ମାଛ ମଧ୍ୟରେ ଛୋଟ ଚିଙ୍ଗୁଡ଼ି ୨୬୦, ଜଳଙ୍ଗ ୧୬୦, ମିରକାଳୀ ୨୨୦, ପୋହଳା ୨୫୦, ଚୁନା ମାଛ ୨୫୦, ମହୁରାଳୀ ୪୦୦, ଖଙ୍ଗା ୫୦୦ ଏବଂ ଭେକ୍ତି ୬୦୦ ଟଙ୍କାରେ ବିକ୍ରି ହେଉଛି ।
ମୋଟାମୋଟି ଭାବେ ଛାଡ଼ଖାଇକୁ ନେଇ ଆମିଷ ବଜାର ଚଳଚଞ୍ଚଳ ହୋଇଉଠିଛି । ଚଢ଼ା ଦର ସତ୍ତ୍ୱେ ଗ୍ରାହକଙ୍କ ଭିଡ଼ ଏବଂ ବ୍ୟବସାୟୀଙ୍କ ଭଲ ବ୍ୟବସାୟ ଏହି ପର୍ବର ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି ।
📱 Get Argus News App
✨Related Topics
Explore more stories