୪୦ ଦିନରେ ୮୬ ମାଓବାଦୀ ମଲେଣି, ୨୦୨୬ ମାର୍ଚ୍ଚ ସୁଦ୍ଧା ସମୂଳେ ଧ୍ଵଂସ ପାଇବେ

ଛତିଶଗଡ଼ ବିଜାପୁରର ଦୁର୍ଗମ, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ। ଏଠି ୯ ତାରିଖରେ ହୋଇଥିବା ନକ୍ସଲ ବିରୋଧୀ ବଡ଼ ଅପରେସନରେ ୩୧ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏହି ଅପରେସନରେ ସହିଦ ୨ ଜଣ ଯବାନଙ୍କୁ ଆଜି ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଚଳିତ ବର୍ଷର ପ୍ରଥମ ୪୦ ଦିନ ଭିତରେ ନିପାତ ହେଲେଣି ୮୬ ଜଣ ମାଓବାଦୀ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ଅମିତ ଶାହ ଦେଇଥିବା ଟାର୍ଗେଟକୁ ଆଖି ଆଗରେ ରଖି ଜୋରଦାର ଅଭିଯାନ ଚଳାଇଛନ୍ତି ସୁରକ୍ଷା ବାହିନୀ।
ତେବେ ଦେଶର ଅନ୍ତରୀଣ ସୁରକ୍ଷା ପ୍ରତି ବିପଦ ନକ୍ସଲଙ୍କ ବିରୋଧରେ ବଡ଼ ଅପରେସନରେ ସହିଦ ଦୁଇ ଯବାନଙ୍କୁ ଦିଆଯାଇଛି ଶେଷ ସମ୍ମାନ । ବିଜାପୁରରେ ସହିଦ DRG ଯବାନ ନରେଶ ଧ୍ରୁବ ଓ STF ଯବାନ ବାସିତ ରାବତେଙ୍କୁ ଗାର୍ଡ ଅଫ୍ ଅନର ସହ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ବୀର ଯବାନଙ୍କ ବଳିଦାନ ଫଳରେ ବିଜାପୁରରେ ସଫଳ ହୋଇଛି ନକ୍ସଲ ବିରୋଧୀ ବଡ଼ ଅଭିଯାନ । ଯେଉଁଥିରେ ୩୧ ଜଣ ନକ୍ସଲ ନିପାତ ହୋଇଛନ୍ତି । ବହୁ ପରିମାଣର ଗୁଳି ଗୋଳା ଓ ବନ୍ଧୁକ ସହ ନୂଆ ପ୍ରକାରର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଛତିଶଗଡ଼ ପୋଲିସ ଡିଜି କହିଛନ୍ତି ବିଜାପୁରର ଅତ୍ୟନ୍ତ ଦୁର୍ଗମ ଓ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଭିତରେ ଏହି ଅଭିଯାନ ଚାଲିଥିବା ବେଳେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ ।
ମହାରାଷ୍ଟ୍ର ସୀମାକୁ ଲାଗିଥିବା ଛତିଶଗଡ଼ ବିଜାପୁର ଓ ନାରାୟଣପୁର ମଧ୍ୟବର୍ତ୍ତୀ ଜଙ୍ଗଲରେ ଠୁଳ ହୋଇଥିଲେ ବହୁ ସଂଖ୍ୟାରେ ମାଓବାଦୀ। ହିଂସା ମାଧ୍ୟମରେ ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବା ଥିଲା ଏମାନଙ୍କର ଲକ୍ଷ୍ୟ। ଗୁଇନ୍ଦା ସୂଚନା ପାଇବା ପରେ ସପ୍ତାହେ ହେଲା ଜଙ୍ଗଲ ଭିତରେ ଚାଲିଥିଲା ସର୍ଚ୍ଚ ଅପରେସନ । ଯେଉଁଥିରେ ସାମିଲ ଥିଲେ ୭୦୦ ଯବାନ । ରବିବାର ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ପଶିଥିଲେ ଯବାନ।
ନିପାତ ୩୧ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ୧୧ ଜଣ ମହିଳା । ଏମାନଙ୍କୁ ମିଶାଇ ଛତିଶଗଡ଼ରେ ଚାଲିଥିବା ନକ୍ସଲ ବିରୋଧୀ ଅପରେସନରେ ଚଳିତ ବର୍ଷର ପ୍ରଥମ ୪୦ ଦିନ ଭିତରେ ନିପାତ ହେଲେଣି ୮୬ ଜଣ ମାଓବାଦୀ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।
ମୋଦି ସରକାରଙ୍କ ୧୦ ବର୍ଷରେ ଦେଶରେ ୫୩ ପ୍ରତିଶତ କମିଛି ନକ୍ସଲ ହିଂସା । ୨୦୦୪ ରୁ ୧୪ ମଧ୍ୟରେ ଦେଶରେ ୧୬ ହଜାର ୪୬୩ ନକ୍ସଲ ହିଂସା ହୋଇଥିବା ବେଳେ, ଗତ ୧୦ ବର୍ଷରେ ଏହା ୭ ହଜାର ୭୦୦କୁ କମିଛି ।