ଆଜି ନେଇଥାନ୍ତେ ଅବସର, ହେଲେ ଭିଜିଲାନ୍ସ ଭିଡ଼ିଲା ଜେଲ୍

Key Points
କାହାଠାରୁ କେତେ ନେଇଛନ୍ତି ତାକୁ ନେଇ ଚାଲିଛି ତଦନ୍ତ
ଆଜି ଅବସର ନେଇଥାନ୍ତେ ଆଜି ଜେଲ୍ ଗଲେ
ଝରକା ପଟେ ଫୋପାଡିଥିଲେ ବିଡାବିଡା ଟଙ୍କା
ଅବସର ଦିନ ଗିରଫ ହୋଇ ଜେଲ ଗଲେ କୁବେର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କୁବେର ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କ ନିକଟରୁ ମୂଳ ଆୟ ଠାରୁ ୪୮୩ ପ୍ରତିଶତ ଅଧିକ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ। ନଗଦ ୨ କୋଟି ୫୬ ଲକ୍ଷ ଟଙ୍କା, ୨ ତୁ ବହୁ ମହଲା ବିଲଡିଂ, ୨ ଟି ଫ୍ଲାଟ, ୭ ଟି ମୂଲ୍ୟବାନ ପ୍ଲଟ ଠାବ କରାଯାଇଛି। ଏହା ସହ ୧ କୋଟି ୫ ଲକ୍ଷ ଟଙ୍କା ଜମାରାଶି, ୨ କୋଟି ୭ ଲକ୍ଷ ଟଙ୍କାର ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶ, ୧ କେଜି ୪୦୦ ଗ୍ରାମ ସୁନା, ୧୫ ଟି ବିଦେଶୀ ମହଙ୍ଗା ହାତଘଣ୍ଟା ଜବତ କରିଛି ଭିଜିଲାନ୍ସ। ସେ କାହା କାହା ଠାରୁ ବେଆଇନ ଭାବେ ଟଙ୍କା ନେଉଥିଲେ, ଏତେ ସମ୍ପତ୍ତିର ମାଲିକ କିପରି ହେଲେ ସେ ନେଇ ଭିଜିଲାନ୍ସ ନିକଟରେ ବଳିଷ୍ଠ ପ୍ରମାଣ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭିଜିଲାନ୍ସ କଟକ ଡିଭିଜନ ଏସପି କେ ଭେଣୁଗୋପାଳ ଆଚାର୍ଯ୍ୟ।
ଶୁକ୍ରବାର ବୈକୁଣ୍ଠନାଥଙ୍କ ଅନୁଗୋଳ, ଭୁବନେଶ୍ୱର ଓ ପିପିଲି ସମେତ ଏକକାଳୀନ ୭ ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଓ ଅନୁଗୋଳ ଜିଲା ଲୋକେଇପଶି ଗ୍ରାମସ୍ଥିତ ପୈତୃକଘର, ଶିକ୍ଷକପଡାସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଥିଲା। ଭିଜିଲାନ୍ସ ଟିମ୍କୁ ଦେଖି ବୈକୁଣ୍ଠ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍ର ଝରକା ବାଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ (କୋଟିଏରୁ ଊଦ୍ଧର୍ବ) ଫିଙ୍ଗିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
📱 Get Argus News App
✨ବୈକୁଣ୍ଠ ୧୯୯୧ ସେପ୍ଟେମ୍ବର ୩୦ରେ ପଞ୍ଚାୟତିରାଜ ବିଭାଗରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟରରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ ପଦବୀକୁ ପଦୋନ୍ନତି ପାଇଥିଲେ। ୨୦୨୩ ଜାନୁଆରୀରେ ବୈକୁଣ୍ଠ ଅତିରିକ୍ତ ମୁଖ୍ୟଯନ୍ତ୍ରୀକୁ ପଦୋନ୍ନତି ହୋଇଥିଲେ। ଆଜି ଅର୍ଥାତ୍ ୩୧ ମେ ରେ ସେ ଅବସର ନେଇଥାନ୍ତେ।