ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ପରଲୋକରେ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ଗତ କିଛି ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ ମହାନ୍ତି । ସେ ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ଅଭିନେତା । ୧୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି। ୬୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି ।
ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ ମହାନ୍ତି । ଦୀର୍ଘ ଦିନ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା । କିଛି ଦିନ ପୂର୍ବରୁ ତାଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଉତ୍ତମ ମହାନ୍ତିଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନାହିଁ ।
୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ। ଦଣ୍ଡା ବାଳୁଙ୍ଗା, ସରପଞ୍ଚ ବାବୁ ଫିଲ୍ମ ରେ ତାଙ୍କୁ ପରିଚୟ ଆଣି ଦେଇଥିଲା। ଚିହ୍ନା ଅଚିହ୍ନା, ନିଝୁମ ରାତିର ସାଥି, ଅକ୍ଷୟ ତୃତୀୟା, ଆରତୀ, ଦେବଯାନୀ , ଅସ୍ତରଙ୍ଗ , ଦେଖ ଖବର ରଖ ନଜର, ଜ୍ବାଇଁ ପୁଅ, ଅଭିଳାଷା, ଝିଅଟି ସୀତା ପରି, ରାମ ରହିମ, ଜାଈ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପଳାତକ, ପୂଜା ଫୁଲ, ସମୟ ବଡ ବଳବାନ, ସଂଖ୍ୟା ସିନ୍ଦୂର, ସହରୀ ବାଘ, ସତ୍ କେବେ ଲୁଚି ରହେନା, ଚକା ଆଖି ସବୁ ଦେଖୁଛି, ଫୁଲ ଚନ୍ଦନ , ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ପୁଅ ମୋର କଳା ଠାକୁର ଆଦି ଚଳଚ୍ଚିତ୍ର ରେ ଛାପ ଛାଡିଛନ୍ତି ସ୍ୱର୍ଗୀୟ ଉତ୍ତମ ମହାନ୍ତି ।
ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।
📱 Get Argus News App
✨୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।
ମୟୂରଭଞ୍ଜ ଜିଲାର ବାରିପଦାଠାରେ ଜନ୍ମ ହୋଇଥିଲେ ଉତ୍ତମ ମହାନ୍ତି। ସେ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିଲେ। ତାଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡିର ଅଭିନେତା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଓଡ଼ିଶାର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା…
— Mohan Charan Majhi (@MohanMOdisha) February 27, 2025
ଓଲିଉଡ୍ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି। ତାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଛନ୍ତି ।