ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

Key Points
ବିଶ୍ୱବିଦ୍ୟାଳୟରେ ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ
ଏହାକୁ ଛାତ୍ରୀମାନେ ନିୟନ୍ତ୍ରଣ ଆଉ ପରିଚାଳନା କରିବେ
ଯଦି କୌଣସି ମହିଳା ଦୁର୍ବ୍ୟବହାର କି ସମସ୍ୟାର ସାମ୍ନା କରନ୍ତି
ସେମାନେ ଏହା ବିରୋଧରେ ନିଜେ ଏତଲା ଦେଇ ଏହାକୁ କାର୍ଯ୍ୟକାରୀ କରିପାରିବେ
ଛାତ୍ରୀଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ପାଇଁ ଆସିଲା ନୂଆ ସ୍କିମ୍ । ଶକ୍ତି ଶ୍ରୀ ଯୋଜନା ଆଣିବେ ସରକାର । ଏହାଦ୍ବାରା ଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । କଲେଜମାନଙ୍କରେ ବିଭିନ୍ନ ପରିସ୍ଥିତି ଆଉ ଘଟଣାକୁ ଆଖି ଆଗରେ ରଖି ଛାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିଶ୍ୱ ବିଦ୍ୟାଳୟରେ ଅଧିନରେ ଥିବା ସମସ୍ତ କଲେଜରେ ଶକ୍ତି ଶ୍ରୀ ଯୋଜନା କାର୍ଯ୍ୟକାରୀ ହେବ । ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ପ୍ରଶିକ୍ଷଣ, ସଶକ୍ତିକରଣ ଗୁରୁତ୍ବାରୋପ କରାଯାଇଛି ।
ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର (Shaktisree empowerment Cell)
ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ "ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର"ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା "ଶକ୍ତିଶ୍ରୀ ସଂଯୋଜିକା" ଭାବରେ ଉକ୍ତ କେନ୍ଦ୍ରର ପରିଚାଳନା କରିବେ। ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା "ଶକ୍ତି ଅପା" ଭାବରେ ପ୍ରତି ୩ ମାସରେ ଥରେ “ଶକ୍ତି ଅପା”ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ ଏବଂ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ବାର୍ଷିକ ଏକ "୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ"ର ଆୟୋଜନ କରିବ । ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା mental health ସମ୍ବନ୍ଧରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ଡିଜିଟାଲ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନ କରାଯିବ।
ଶକ୍ତିଶ୍ରୀ ମୋବାଇଲ ଆପ୍
“ଶକ୍ତିଶ୍ରୀ ଆପ୍” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ। କ୍ୟାମ୍ପସରେ ଛାତ୍ରୀମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ।
ଛାତ୍ରୀମାନଙ୍କର ସଚେତନତା ଓ ଅବଗତି ନିମନ୍ତେ ଶକ୍ତିଶ୍ରୀ ମୋବାଇଲ ଆପ୍ରେ କଲେଜମାନଙ୍କରେ ରହୁଥିବା Internal Commitee, ଏହାର ନିୟମାବଳୀ ଏବଂ କାର୍ଯ୍ୟ ସମ୍ବନ୍ଧରେ ସମସ୍ତ ସୂଚନା ପ୍ରଦାନ କରାଯିବ। ଏଥିସହ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ତେବେ ସେ ନିଜର ପରିଚୟକୁ ଗୋପନୀୟ ରଖି ନିଜର ଅଭିଯୋଗକୁ Text, Audio ବା Video Message ମାଧ୍ୟମରେ ଉକ୍ତ ଆପ୍ରେ ପଞ୍ଜିକୃତ କରିପାରିବେ। ଅଭିଯୋଗଟି ଆପ୍ରେ ପଞ୍ଜିକୃତ ହୋଇ ସାରିବା ପରେ ଏହା ସିଧାସଳଖ ଉକ୍ତ ଛାତ୍ରୀ ପଢୁଥିବା ଶିକ୍ଷାନୁଷ୍ଠାନର Internal Commiteeର ଅଧ୍ୟକ୍ଷଙ୍କ ନିକଟରେ ପହଂଚିବ।
📱 Get Argus News App
✨ଛାତ୍ରୀମାନେ ଯଦି Stress, Anxiety ଆଦି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଶକ୍ତିଶ୍ରୀ ମୋବାଇଲ ଆପ୍ ମାଧ୍ୟମରେ ସେମାନେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ସିଧା ସଳଖ କଥା ହୋଇ ଉପଯୁକ୍ତ ପରାମର୍ଶ ନେଇପାରିବେ। ଶକ୍ତିଶ୍ରୀ ଆପରେ ଛାତ୍ରୀମାନଙ୍କ ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଟେଲି-ମାନସ (Tele-MANAS -Tele Mental Health Assistance and Networking Across States) ଯୋଜନାର ସୁବିଧା ମଧ୍ୟ ଉପଲବ୍ଧ ହେବ। ଏଥିସହ କୌଣସି emergency ପରିସ୍ଥିତିରେ ଶକ୍ତିଶ୍ରୀ ମୋବାଇଲ ଆପରେ ରହିଥିବା SOS ବଟନକୁ ବ୍ୟବହାର କରି ଛାତ୍ରୀମାନେ ତୁରନ୍ତ ସାହାଯ୍ୟ ସିଧାସଳଖ ଶକ୍ତିଶ୍ରୀ ସାଥୀ ଏବଂ ଶକ୍ତିଶ୍ରୀ ସଂଯୋଜିକାଙ୍କ ସହ କଥା ହୋଇପାରିବେ ଓ ତୁରନ୍ତ ସାହାଯ୍ୟ ପାଇପାରିବେ ।
ଶକ୍ତିଶ୍ରୀ ମୋବାଇଲ ଆପରେ ବିଭିନ୍ନ ଜିଲ୍ଲାମାନଙ୍କରେ ରହିଥିବା ଲୋକାଲ୍ କମିଟି ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ପ୍ରଦାନ କରାଯିବ। ଯଦି କୌଣସି ଛାତ୍ରୀ ହୃଦୟଙ୍ଗମ କରନ୍ତି ଯେ, ତାଙ୍କର ଅଭିଯୋଗ ସମ୍ପୃକ୍ତ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା ସମାଧାନ ହେଉନାହିଁ, ତେବେ ସେ ନିଜର ଅଭିଯୋଗ ସମ୍ବନ୍ଧରେ ଲୋକାଲ୍ କମିଟିକୁ ମଧ୍ୟ ଅବଗତ କରାଇପାରିବେ। ଏହି ସଂକ୍ରାନ୍ତୀୟ ଏକ SOP ଖୁବ ଶୀଘ୍ର ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଜାରି କରାଯିବ ।
ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ (Code of Conduct) ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍ କଣ୍ଡକ୍ଟ (Code of Conduct) ଲାଗୁ ହେବ। ଏହା ମାଧ୍ୟମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏକ ବାର୍ଷିକ ଅନଲାଇନ୍ ଟ୍ରେନିଙ୍ଗ ମଡ୍ୟୁଲକୁ ସମ୍ପୂର୍ଣ୍ଣ କରିବେ ଯାହାଦ୍ୱାରା ସମସ୍ତଙ୍କ ମଧ୍ୟରେ ମହିଳା ସୁରକ୍ଷା, ଲିଙ୍ଗଗତ ସମ୍ବେଦନଶୀଳତା ତଥା professional ethics ସମ୍ବନ୍ଧରେ ସଚେତନତା ବୃଦ୍ଧି ହୋଇପାରିବ।
SAFE କ୍ୟାମ୍ପେନ୍
ଲିଙ୍ଗଗତ ସମାନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ SAFE (Shaktishree Actions for Female Empowerment) କ୍ୟାମ୍ପେନ୍ର ଆୟୋଜନ କରାଯିବ। ଏହି କ୍ୟାମ୍ପେନ୍ ମାଧ୍ୟମରେ ବାର୍ଷିକ ଦୁଇ ଥର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର, ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ବନ୍ଧୀୟ ସଚେତନତା କର୍ମଶାଳା ଆଦିର ଆୟୋଜନ କରାଯିବ, ଯାହାକି ଛାତ୍ରୀମାନଙ୍କର ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ଶୈକ୍ଷିକ ପରିବେଶ ପ୍ରଦାନ କରିବ।
କ୍ୟାମ୍ପସ ସୁରକ୍ଷା ରିପୋର୍ଟ
କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରତିଟି କଲେଜ ନିଜର ଏକ ବାର୍ଷିକ ରିପୋର୍ଟ ପ୍ରତିବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଧା ପ୍ରଦାନ କରିବେ। କ୍ୟାମ୍ପସ ସୁରକ୍ଷାକୁ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରାଯାଇଥିବା କାର୍ଯ୍ୟ, ପଞ୍ଜିକୃତ ହୋଇଥିବା ଅଭିଯୋଗ ଓ ଏହାର ସମାଧାନ, ଆପତକାଳୀନ ସ୍ଥିତିର ମୁକାବିଲା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ରହିଥିବା ଭିତ୍ତିଭୂମି ଆଦି ସମ୍ବନ୍ଧରେ ସବିସ୍ତୃତ ବିବରଣୀକୁ ଉକ୍ତ ରିପୋର୍ଟରେ ସ୍ଥାନିତ କରାଯିବ।
ସିସିଟିଭି (CCTV) କ୍ୟାମେରା
ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଯିବ, ଯାହାଦ୍ୱାରା କଲେଜ କ୍ୟାମ୍ପସକୁ ୨୪ ଘଣ୍ଟା monitoring କରାଯାଇପାରିବ। ଏଥିସହ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ରହିବାର ବ୍ୟବସ୍ଥା କରାଯିବ। କଲେଜରେ ରହିଥିବା Internal Comitteeର ସଦସ୍ୟ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ପରାମର୍ଶ ଅନୁଯାୟୀ ସିସିଟିଭି କ୍ୟାମେରା ଲଗାଇବାର ସ୍ଥାନ ନିରୂପଣ କରାଯିବ।
ଅନଲାଇନ କୋର୍ସ
କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡନ (ନିବାରଣ, ନିଷେଧ ଓ ପ୍ରତିକାର ) ଅଧିନିୟମ, ୨୦୧୩ (POSH Act, 2013) ଏବଂ ଏହି ସମ୍ବନ୍ଧରେ UGC ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ଅନଲାଇନ କୋର୍ସ ପ୍ରଦାନ କରାଯିବ।
ଶକ୍ତି ସ୍ୱରୂପିଣୀ
ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ ଦିବସୀୟ କର୍ମଶାଳା "ଶକ୍ତି ସ୍ୱରୂପିଣୀ"ର ଆୟୋଜନ କରାଯିବ। ଉକ୍ତ କର୍ମଶାଳାରେ ମହିଳାମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ । ମହିଳାଙ୍କ ସୁରକ୍ଷାକୁ ନେଇ ରହିଥବା ବିଭିନ୍ନ ଦିଗ ସମ୍ବନ୍ଧରେ ସଚେତନ କରାଇବା, ଡିଜିଟାଲ ସୁରକ୍ଷା ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଠାରୁ ନେଇ ଶକ୍ତିଶ୍ରୀ ମୋବାଇଲ ଆପ୍ର ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହାକି ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସୁଚାରୁ ରୂପେ ପରିଚାଳିତ ହୋଇପାରିବ।
ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ " ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ଆଶା କରାଯାଇଛି