ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା... ଓମଫେଡ ଚାଷୀଙ୍କୁ ମିଳିବ ଲକ୍ଷେ ଟଙ୍କା !

Key Points
ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ।
ଓମଫେଡ୍ ବାଲ୍ଟି ଦହି, ଏ-2 ମିଲ୍କ, ଏ-2 ଘିଅର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ।
ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତି ଲିଟର ପିଛା 3 ଟଙ୍କା ଅଧିକ ଦେଇ ଦୁଗ୍ଧ କିଣିବେ ସରକାର । ଏହାଦ୍ୱାରା 2 ଲକ୍ଷ 50 ହଜାର ଦୁଗ୍ଧ ଚାଷୀ ଲାଭ ପାଇବେ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ । ଏଥିସହ ଓମ୍ପଫେଡ ଚାଷୀଙ୍କ ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ବିମା ରାଶି ଘୋଷଣା କରିଛନ୍ତି ସରକାର। ଓମ୍ପଫେଡ ଚାଷୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ମିଳିବ।
ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-2 ମିଲ୍କ, ଏ-2 ଘିଅର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ, କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ଏଥିସହିତ, ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ ଗୋଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣିକଲ୍ୟାଣ ସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ ।
ସୂଚନାଯୋଗ୍ୟ, ପୋଷଣୀୟ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରାଣୀପାଳକଙ୍କ ଅବଦାନ, ସୁଷମ ଖାଦ୍ୟ ମଧ୍ୟରେ ଦୁଗ୍ଧର ଉପକାରିତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟରେ ୨୦୦୧ ମସିହାଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୧ ତାରିଖରେ ବିଶ୍ଵ ଦୁଗ୍ଧ ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ରହିଛି “ଲେଟସ୍ ସେଲିବ୍ରେଟ୍ ଦ ପାୱାର ଅଫ୍ ଡେରୀ ବା ଆସନ୍ତୁ, ଦୁଗ୍ଧ ଶକ୍ତି ପାଳନ କରିବା ।” ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ବହୁଗୁଣିତ କରିବା ସହ ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରତିବଦ୍ଧ ଅଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ। ଏହା କେବଳ ଏକ ଆୟର ଉତ୍ସ ନୁହେଁ, ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ। ସେଥିପାଇଁ ଆମର ଏହି ଲୋକଙ୍କ ସରକାର ରାଜ୍ୟରେ ଗୋପାଳନର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’।
ସେ କହିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି।
ପ୍ରାଣିକଲ୍ୟାଣ ପ୍ରତି ଆମ ସରକାର ସର୍ବଦା ସମ୍ବେଦନଶୀଳ। ସହାନୁଭୂତି, ସଂବେଦନଶୀଳତା ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୭ ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି। ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଅତ୍ୟନ୍ତ ଆନନ୍ଦର ବିଷୟ, ରାଜ୍ୟର ଖାଉଟିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଜି ଓମଫେଡ଼ ପକ୍ଷରୁ ତିନୋଟି ନୂଆ ଉତ୍ପାଦର ବଜାରପ୍ରବେଶ କରାଯାଉଛି। ସେଗୁଡିକ ହେଲା-ବାଲ୍ଟି ଦହି, ଆମ ଓଡିଶାର ବିଞ୍ଝାରପୁରୀ ଗାଈ କ୍ଷୀରରୁ ପ୍ରସ୍ତୁତ ଦେଶୀ ଗାଈ ଘିଅ ଓ ସେହି ଗାଈ ପ୍ରଜାତିର A2 କ୍ଷୀର। ଆଜିଠାରୁ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ। ଏହାଦ୍ଵାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ।