Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vigilance Awareness Week / ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଦୁର୍ନୀତି କଲେ କ୍ଷମା ନାହିଁ‍

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·4 min read
ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, ଦୁର୍ନୀତି କଲେ କ୍ଷମା ନାହିଁ‍

Key Points

ନୂଆ ସରକାର ଆସିବା ପରଠାରୁ ଦୁର୍ନୀତି ଅଭିଯୋଗରେ ୩୦ ଜଣ ସରକାରୀ କର୍ମଚାରୀ ବହିଷ୍କୃତ ।
୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି ।

ଓଡ଼ିଶାରେ ପାଳନ ହୋଇଛି ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ । ଲୋକସେବା ଭବନ କନଭେନସନ ହଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ, ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ସରକାରୀ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣଯାଇଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଦୁର୍ନୀତି ଆମ ବ୍ୟବସ୍ଥାରେ ପ୍ରବେଶ କରେ, ସେତେବେଳେ ସାଧାରଣ ଲୋକଙ୍କର ବିଶ୍ୱାସ ଭାଙ୍ଗି ଯାଇଥାଏ। ଦୁର୍ନୀତି ଆମ ଶାସନର ମୂଳଦୁଆକୁ ଦୁର୍ବଳ କରିଥାଏ । ତେଣୁ, ଦୁର୍ନୀତି ବିରୋଧରେ ଲଢିବା କେବଳ ଏକ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କର ଏକ ନୈତିକ ଦାୟିତ୍ୱ ।

ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱ ଓ ଦୃଢ ଇଛା ଶକ୍ତି ବଳରେ, ଦୁର୍ନୀତି ରୋକିବା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜିର ଉପଯୋଗ କରାଯାଇଛି । ହ୍ୟୁମାନ ଇଣ୍ଟରଫରେନ୍ସକୁ ଦୂର କରି ଜନଧନ, ଆଧାର ଏବଂ ମୋବାଇଲର ଏକତ୍ରିକରଣରେ JAM ବ୍ୟବସ୍ଥା ହିତାଧିକାରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥାରେ ବାଟମାରଣାର ପ୍ରଶ୍ନ ହିଁ ନାହିଁ।

ସେ ପୁଣି କହିଥିଲେ ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେଣୁ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଏହା ଫଳରେ ବିଭିନ୍ନ ଯୋଜନାର ସୁଫଳ ନ୍ୟାୟ ପୂର୍ଣ୍ଣ ଓ ସ୍ୱଚ୍ଛତାର ସହିତ ଉପଯୁକ୍ତ ଲାଭାର୍ଥୀଙ୍କ ପାଖରେ ପହଞ୍ଚାଯାଇ ପାରୁଛି। ଦୁର୍ନୀତିକୁ ରୋକିବା ପାଇଁ ଏକ ସ୍ୱଚ୍ଛ, ପାରଦର୍ଶୀ, ଗତିଶୀଳ ଏବଂ ଅତ୍ୟନ୍ତ ସଚ୍ଚୋଟ ବ୍ୟବସ୍ଥା ଓ ଅଧିକାରୀ ଏକାନ୍ତ ଆବଶ୍ୟକ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଗଠନ ହେବା ପରେ ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲି ।

ପୂର୍ବ ବ୍ୟବସ୍ଥାକୁ ପରିବର୍ତ୍ତନ କରି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଛୋଟରୁ ବଡ ସମସ୍ତ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶର ଅଗ୍ରଣୀ ଦୁର୍ନୀତି ବିରୋଧୀ ସଂସ୍ଥା ଭାବେ ସୁନାମ ଅର୍ଜନ କରିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପର୍ଯ୍ୟନ୍ତ କାହାରିକୁ ଛଡାଯାଇନାହିଁ । ଏସବୁ ସମ୍ଭବ ହୋଇଛି ଭିଜିଲାନ୍‌ସ ଅଧିକାରୀ ମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟକରିବାର ଅଧିକାର ପ୍ରଦାନ ଫଳରେ । ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଦଣ୍ଡ ବିଧାନ ହାର ମଧ୍ୟ ୫୦ ପ୍ରତିଶତରୁ ଅଧିକ ରହିଛି। ଦୁର୍ନୀତି ନିବାରଣ ବିଭାଗ ଆଜିର ଦିନରେ କାହାକୁ କ୍ଷମା କରିବ ନାହିଁ ଏବଂ କାହାକୁ ଛାଡିବ ନାହିଁ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଶୂନ୍ୟ ସହନଶୀଳ ନୀତିର ଅଂଶ ଭାବରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୩୦ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ଓ ୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରଯାଇଛି। ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମ ସମସ୍ତଙ୍କୁ କାମ କରିବାକୁ ପଡିବ । ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ । ଏଥିପାଇଁ ଆମେ ସମସ୍ତେ ଦୁର୍ନୀତି ବିରୋଧରେ ଲଢେଇ କରିବା ଆବଶ୍ୟକ । ବିଭିନ୍ନ ସରକାରୀ ବିଭାଗରେ Preventive Vigilance ବା ପ୍ରତିରୋଧକ ସତର୍କତା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସେ କହିଥିଲେ । ଏହାଦ୍ୱାରା ଦୁର୍ନୀତି ହେଉଥିବା ସ୍ଥାନ ଓ ଦୁର୍ନୀତି ଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ ଶାସନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରାଯାଇ ପାରିବ ।

ଗତ ୧୬ ମାସ ମଧ୍ୟରେ ଦୁର୍ନୀତି ନିବାରଣ ବିଭାଗକୁ ଅଧିକ ଦକ୍ଷ, ଲୋକାଭିମୁଖୀ ଓ ସୁଦୃଢ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭାଗକୁ ଅଧିକ ଦକ୍ଷ କରିବା ପାଇଁ ଯାହା ଯାହା ଆବଶ୍ୟକ ସବୁ ଯୋଗାଇ ଦିଆଯିବ । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଲୋଭ ଓ ଦୁର୍ନୀତିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଥିଲେ । ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ ଭାବେ କଟକ ଡିଭିଜନ, ଶ୍ରେଷ୍ଠ ୟୁନିଟ୍ ଭାବେ ସୁବର୍ଣ୍ଣପୁର ୟୁନିଟ୍, ଶ୍ରେଷ୍ଠ ତଦନ୍ତକାରୀ ପୁରୁଷ ଅଧିକାରୀ ଭାବେ ମନୋରଞ୍ଜନ ପାଇକରାୟ, ଶ୍ରେଷ୍ଠ ତଦନ୍ତକାରୀ ମହିଳା ଅଧିକାରୀ ଭାବେ ପ୍ରଣୀତା ରାୟ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ବ୍ରହ୍ମପୁରର ସୁରେନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କର ମୂଳ ଲକ୍ଷ୍ୟ ରହିଛି, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା । ଏଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି । ସେ କହିଥିଲେ ଆମ ସମସ୍ତଙ୍କର ପ୍ରତିବଦ୍ଧତା ଭାବ ବଳରେ ଆମ ରାଜ୍ୟ ଆଜି ବିପର୍ଯ୍ୟୟ ପରିଚାଳନା ଓ ବାମପନ୍ଥୀ ଉଗ୍ରବାଦ ଦମନ କ୍ଷେତ୍ରରେ ସଫଳତା ଅର୍ଜନ କରିଛି । ଦୁର୍ନୀତି ନିବାରଣ କ୍ଷେତ୍ରରେ ମଧ୍ୟ ଆମର ଏହି ପ୍ରତିବଦ୍ଧତା ଭାବ ଆବଶ୍ୟକ । ଆଜି ଶପଥ ଗ୍ରହଣ କରିଥିବା ପ୍ରତ୍ୟେକଟି ଶବ୍ଦକୁ ଯଦି ଆମେ ଆମ ଜୀବନରେ ଉପଯୋଗ କରିବା ତେବେ ଆମର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ।

ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପାଳନ କରାଯାଉଛି । ଏଥିପାଇଁ ସବୁ ବିଭାଗର ସହଯୋଗରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆୟୋଜନ କରାଯାଉଛି । ସେ କହିଥିଲେ ଚଳିତ ବର୍ଷ ସଚେତନତା ସପ୍ତାହର ବିଷୟବସ୍ତୁ ହେଉଛି ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ୱ । ଏହି ଲକ୍ଷ୍ୟନେଇ ଆମ ସମସ୍ତଙ୍କୁ କାମ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦୁର୍ନୀତି ବିରୋଧରେ ନିରବଛିନ୍ନ ଅଭିଯାନ ଜାରି ରଖିଛି ବୋଲି କହି ଗତ ଜୁନ୍ ୧୨ ତାରିଖରୁ ଚଳିତ ବର୍ଷ ୨୭ ଅକ୍ଟୋବର ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଦୁର୍ନୀତି ବିରୋଧରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।

ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅସୀତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅବସରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vigilance Awareness Week | Chief Minister Mohan Majhi's stern warning, no forgiveness for corruption | Argus News