ପବିତ୍ର ସମ୍ପର୍କରେ ମିଠା ଭରିବ ଚକୋଲେଟ ରାକ୍ଷୀ

Key Points
ଚଳିତ ବର୍ଷ ଟ୍ରେଣ୍ଡରେ ରହିଛି ଚକୋଲେଟ ରାକ୍ଷୀ
ବିଭିନ୍ନ ଫ୍ଲେଭରର ଚକୋଲେଟ ରାକ୍ଷୀ ବଜାରକୁ ଆସିଛି
ଏହି ଚକୋଲେଟ ରାକ୍ଷୀ ପାଇଁ ବଢ଼ୁଛି ଚାହିଦା
ଆଗକୁ ଆସୁଛି ଭାଇ ଭଉଣୀଙ୍କ ଅନାବିଳ ସ୍ନେହ ସମ୍ପର୍କର ପର୍ବ ରାକ୍ଷୀପୂର୍ଣ୍ଣିମା । ଏହାକୁ ଦୃଷ୍ଟିରେ ରଖି ଚାଲିଛି ପ୍ରସ୍ତୁତି । କେଉଁଠି ରାକ୍ଷୀ ତିଆରିରେ କାରିଗର ବ୍ୟସ୍ତ ତ କେଉଁଠି ଖୋଲିଥିବା ରାକ୍ଷୀ ଦୋକାନ ଆଗରେ ଲୋକଙ୍କ ଗହଳ । ରାକ୍ଷୀ ପୂର୍ଣ୍ଣିମା ଆସିଲେ ବଜାରକୁ ଆସିଥାଏ ଭଳିକି ଭଳି ରଙ୍ଗ ,ଆକାର ଓ ଡିଜାଇନର ରାକ୍ଷୀ । ପ୍ରତିବର୍ଷ ନୂଆ ନୂଆ ଡିଜାଇନର ରାକ୍ଷୀ ବଜାରକୁ ଆସୁଥିବା ବେଳେ ଚଳିତ ବର୍ଷ ଟ୍ରେଣ୍ଡରେ ରହିଛି ଚକୋଲେଟ ରାକ୍ଷୀ । ବିଭିନ୍ନ ଫ୍ଲେଭରର ଚକୋଲେଟ ରାକ୍ଷୀ ବଜାରକୁ ଆସିଛି । ଦିନେ ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ରାକ୍ଷୀ ଏବେ ଏହାର ସ୍ୱତନ୍ତ୍ରତା ପାଇଁ ସାଇତା ରଖାଯିବା ସହିତ କରାଯାଉଛି ବ୍ୟବହାର ।
ସେହି ଦୃଷ୍ଟିରୁ ବଢିଛି ଚକୋଲେଟ ରାକ୍ଷୀ ପାଇଁ ଚାହିଦା । ଏହି ରାକ୍ଷୀରେ ବ୍ୟବହୃତ ହୋଇଥିବା ଚକଲେଟର ସ୍ୱାଦ ମଧ୍ୟ ସ୍ୱତନ୍ତ୍ର । କାହାର ସ୍ୱାଦ ପାନର ସ୍ୱାଦ ଦେଉଥିବା ବେଳେ ଆଉ କାହାର ସ୍ୱାଦ ଷ୍ଟ୍ରବେରି ଭଳି । ଗୋଲାପ,ମ୍ୟାଙ୍ଗୋ, ଡ୍ରାଏଫ୍ରୁଟ ,ନଡ଼ିଆ, ଓ ଭାନିଲା ଭଳି ଫ୍ଲେବରର ଫୁଲ ରାକ୍ଷୀ ମିଳୁଛି । ଏହାର ଦାମ ରହିଛି ୫୦ ଟଙ୍କାରୁ ନେଇ ଦେଢ଼ଶହ ଟଙ୍କା ଯାଏଁ । ଉଭୟ ଅନଲାଇନ ଓ ଅଫ ଲାଇନରେ ମିଳୁଛି ଏହି ରାକ୍ଷୀ । ଛୋଟ ପିଲାଙ୍କୁ ଏହି ରାକ୍ଷୀ ବେଶ ଆକୃଷ୍ଟ କରିବ ବୋଲି କହିଛନ୍ତି ଏହାର ରୂପ ବିନ୍ୟାସ କରିଥିବା ପ୍ରିୟଦର୍ଶିନୀ ଦାସ । ରାକ୍ଷୀ ସାଙ୍ଗରେ ଆପଣଙ୍କୁ ଆଉ କିଣିବାକୁ ପଡିବ ନାହିଁ ଅଲଗା ମିଠା । ରାକ୍ଷୀ ସହିତ ହାତକୁ ଆସିବ ସ୍ୱାଦିଷ୍ଠ ଚକୋଲେଟ ।
📱 Get Argus News App
✨ଭଉଣୀ ହାତରୁ ରାକ୍ଷୀ ସହିତ ମିଳୁଥିବା ଚକୋଲେଟ ଭାଇ ଭଉଣୀର ପବିତ୍ର ସମ୍ପର୍କରେ ଭରିବ ମିଠା । କେବଳ ମିଠା ନୁହଁ ପରିବେଶ ପାଇଁ ବେଶ ଅନୁକୂଳ ରାକ୍ଷୀ ମଧ୍ୟ ତିଆରି କରୁଛନ୍ତି ପ୍ରିୟଦର୍ଶନୀ । ସହଜରେ ଜୈବ ବିଘଟନ ହୋଇପାରୁଥିବା ବିଭିନ୍ନ ପ୍ରକାର ମଞ୍ଜି ,ତୁଳସୀ କାଠି , କାଇଁଚ ,ବେଲ କାଠି ଓ ରୁଦ୍ରାକ୍ଷକୁ ବ୍ୟବହାର କରି ତିଆରି ହୋଇଛି ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ । ଭାରତୀୟ ପର୍ବପର୍ବାଣିର ମହତ୍ୱ ପ୍ରତିପାଦିତ କରିବା ସହିତ ଏସବୁ ରାକ୍ଷୀ ଉଚିତ ମୂଲ୍ୟ ଓ ଉଚ୍ଚ ଗୁଣମାନ ବିଶିଷ୍ଟ ବୋଲି କହିଛନ୍ତି ଗ୍ରାହକ । ପବିତ୍ର ସମ୍ପର୍କ ଓ ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରୁଥିବା ଏହି ନିଆରା ରାକ୍ଷୀ ସୃଜନଶୀଳ ଶିଳ୍ପୀଙ୍କ ପାଇଁ ରୋଜଗାରର ମଧ୍ୟ ମାଧ୍ୟମ ପାଲଟିଛି।