ସ୍କୁଲରେ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢ଼ା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବେଜଙ୍ଗିୱାର୍ଡl ପଞ୍ଚାୟତର ଗାଁ ଅରୁଣମାଳା । ଗାଁରେ ବସବାସ କରନ୍ତି 300ରୁ ଉର୍ଦ୍ଧ ଲୋକ । ଗାଁରେ ଅଙ୍ଗନୱାଡ଼ି ସେଣ୍ଟର ଓ ବିଦ୍ୟାଳୟ ଥିଲେ ସୁଦ୍ଧା ତାରା ଭିତ୍ତିଭୂମି ବିପଦସଙ୍କୁଳ ଅବସ୍ଥାରେ ରହିଛି l ଗତ ବୁଲବୁଲ ବାତ୍ୟାରେ ଅଙ୍ଗନୱାଡ଼ି ସେଣ୍ଟର ଘରର ଛପର ଉଡେଇ ନେଇନଥିବା ବେଳେ ଆଜି ଯାଏଁ ମରାମତି ହୋଇନାହିଁ । ଫଳରେ ଗାଁର ମିଶନ ଶକ୍ତି ଗୃହରେ ଚାଲିଛି ଅଙ୍ଗନୱାଡ଼ି ସେଣ୍ଟର । କିନ୍ତୁ ସେଠାରେ ନା ଅଛି ରୋଷେଇ ଘର, ନା ଅଛି ଶୌଚାଳୟ କି ପାନୀୟ ଜଳର ବ୍ୟବସ୍ଥା । ଖାଲି ଏତିକି ନୁହେଁ, ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା 2ଟି ଶ୍ରେଣୀ ଗୃହରେ ପଢୁଛନ୍ତି ।
ହେଲେ ବିଦ୍ୟାଳୟ ଛାତରୁ ପଡୁଛି ଖଣ୍ଡ ଖଣ୍ଡ ସିମେଣ୍ଟ କଂକ୍ରିଟ । ତା ସାଙ୍ଗକୁ ବିଦ୍ୟାଳୟ ପାଚେରୀ, ଶୌଚାଳୟ, ବିଦ୍ୟୁତ ପରି ସମସ୍ୟା ରହିଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ l ଗାଁରେ ବସୁଧା ଯୋଜନା ବାଟବଣା । ନାଁକୁ ଯୋଜନା ହେଲେ ଯୋଜନା ରୂପାୟନରେ ଫେଲ । ଆଜିବି ପାଣି ପାଇଁ ଚୂଆ ପାଣି ନହେଲେ ନଳକୂପର ଆଇରନ୍ ପାଣି ସାହା l ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ବେଳେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଗାଁର ଅନ୍ୟ ପ୍ରମୁଖ ସମସ୍ୟା-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।
📱 Get Argus News App
✨ଗାଁର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଆବାସ ପାଇବାରୁ ବଞ୍ଚିତ l ଏବେବି ଚାଳ ଛପର ଜରି ପାଲ ତଳେ କାଟୁଛି ଜୀବନ l ରାଜ୍ୟରେ 24 ବର୍ଷ ଶାସନ ପରେ ବି ଗାଁରେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ନବୀନ ସରକାର । ଏବେ ରାଜ୍ଯରେ ବିଜେପି ସରକାର, ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହେବ ବୋଲି ଆଶାବାଦୀ ଅଞ୍ଚଳବାସୀ l