ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସହ ପ୍ରଦର୍ଶନ କରାଯିବ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର.

Key Points
ଆରମ୍ଭ ହେବାକୁ ଯାଉଛି ଫିଲ୍ମ ଫେଷ୍ଟିଭାଲ
ଭୁବନେଶ୍ୱରରେ ୪ ଦିନ ଧରି ହେବ ଚଳଚ୍ଚିତ୍ର ସ୍କ୍ରିନିଂ
ଓଡ଼ିଆ ସହ ପ୍ରଦର୍ଶନ କରାଯିବ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର
ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଦ୍ୱିତୀୟ ସଂସ୍କରଣ। ଚାରିଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ। ଜୁନ୍ ୬ ତାରିଖ ସନ୍ଧ୍ୟା ୭ଟାରେ ’ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ବଲିଉଡ୍ ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନିର୍ଦ୍ଦେଶକ, ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀମାନେ ଯୋଗ ଦେବେ। ଓଡ଼ିଆ ସାହିତ୍ୟ ଓ ଉପନ୍ୟାସ ଉପରେ ଆଧାରିତ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ୯ଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ମନୋନୟନ କରାଯାଇଛି।
ଉଦଘାଟନୀ କାର୍ଯ୍ୟକ୍ରମ ଦିନ ’ମାଟିର ମଣିଷ’, ’କା’ ଏବଂ ’ଭକ୍ତ ସାଲବେଗ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ୭ ତାରିଖରେ ପାନୋରମା ପାଇଁ ମନୋନୀତ ଏବଂ ଜାତୀୟ ତଥା ରାଜ୍ୟରେ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ’କାଲିର ଅତୀତ’ ସ୍କ୍ରିନିଂ ହେବ। ସେହିପରି ୮ ତାରିଖରେ ’କ୍ରାନ୍ତିଧାରା’ ଏବଂ ୯ ତାରିଖରେ ’ଯାଯାବର’, ’ନିର୍ବାଚନ’, ’କନକଲତା’ ଏବଂ ’ଅଦିନ ମେଘ’ ଫିଲ୍ମ ପ୍ରଦର୍ଶନ କରାଯିବ। ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ଚଳିତବର୍ଷ ଓଡ଼ିଆ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପାଞ୍ଚ ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ବିଶିଷ୍ଟ ସଙ୍ଗୀତକାର ତାନସେନ ସିଂ, ବରିଷ୍ଠ ଅଭିନେତା ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଓ ଜୟା ସ୍ୱାମୀ, ବେଶ ପୋଷାକ ପାଇଁ ନିର୍ମଳ ଦାଶ ଏବଂ କଳା ନିର୍ଦ୍ଦେଶକ ବାଞ୍ଛାନିଧି ପଟ୍ଟନାୟକଙ୍କୁ ସମ୍ମାନୀତ କରାଯିବ ।
ଗତବର୍ଷ ପରି ଏ ବର୍ଷ ମଧ୍ୟ ଦ୍ୱିତୀୟ ଥର ଭୁବନେଶ୍ୱର ଫିଲ୍ମ ଫେଷ୍ଟିବାଲ ଆୟୋଜିତ ହେବାକୁ ଯାଉଛି । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ଆୟୋଜକ ଟିମ ।