ମୋହନ ଡାକିଲେ ନବୀନ ଗଲେନି

Key Points
- ମୋହନ ଡାକିଲେ ନବୀନ ଗଲେନି
- କାଲିଠୁ ବିଧାନସଭା, ଆଜି ସର୍ବଦଳୀୟ ବୈଠକ
- କାହିଁକି ନବୀନ ଯୋଗ ଦେଲେନି, ବଢିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ : କାଲିଠୁ ବସୁଛି ରାଜ୍ୟ ବିଧାନସଭା । ସରଗରମ ହେବ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ । ତା’ ପୂର୍ବରୁ ଆଜି ସରିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଗୁରୁତ୍ଵପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ । ସେହିପରି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ଅନେକ ବରିଷ୍ଠ ବିଧାୟକ ଉପସ୍ଥିତ ଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଡାକିବା ପରେ କାହିଁକି ନବୀନ ଆସିଲେ ନାହିଁ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଆଜି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ । ହେଲେ ନବୀନ ସର୍ବଦଳୀୟ ବୈଠକରେ ଯୋଗ ଦେଇନଥିଲେ । ସେହିଭଳି ଆଜିର ସର୍ବଦଳୀୟ ବୈଠକରେ କଂଗ୍ରେସ ଦଳରୁ କେହି ଯୋଗ ଦେଇ ନଥିଲେ । ତେବେ କାହିଁକି ଏହି ବୈଠକରେ ବିରୋଧୀ ଦଳ ନେତା କାହିଁକି ଯୋଗ ଦେଲେନି ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବା ନେଇ ମୁହଁ ଖୋଲିଛନ୍ତି ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଛନ୍ତି, ଏତେ ପୁରୁଣା ଦଳ, କିନ୍ତୁ ନେତା ବାଛି ପାରୁନାହିଁ କଂଗ୍ରେସ । ଏହାକୁ ନେଇ କାହାକୁ କ’ଣ ଦାୟୀ କରିବି । ମୁଁ ନିଜକୁ ଦାୟୀ କରିବି । ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ । ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି । ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି । ସେ କହିଥିଲେ ଯେ ତାଙ୍କୁ କିଛି ନିର୍ଦ୍ଦେଶ ଆସିନି।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ। ତେଣୁ ଆଜିର ବୈଠକ ବେଶ ଗୁରୁତ୍ଵପୂର୍ଣ୍ଣ ଥିଲା ।