ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଷୋଡଶ ଅର୍ଥ କମିଶନଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

Key Points
ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଷୋଡଶ ଅର୍ଥ କମିଶନଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ମାଗିଲା 12 ଲକ୍ଷ 59 ହଜାର 148 କୋଟି
କେନ୍ଦ୍ର ଟିକସ ଆୟରୁ ରାଜ୍ୟ ଭାଗ 41% ରୁ 50% କୁ ବୃଦ୍ଧି ପାଇଁ ଦିଆଗାଲ ପ୍ରସ୍ତାବ
SDRF ଅନୁଦାନର 100% କେନ୍ଦ୍ର ସରକାର ବହନ କରିବାକୁ ଦାବି ରଖିଲା ଓଡ଼ିଶା
ଏହି ୫ବର୍ଷରେ ମୂଳଦୁଆ ପଡ଼ିଲେ ସହଜ ହେବ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ
ପିଏମ୍ କହିଛନ୍ତି ଦେଶର ଆଗାମୀ ୨୫ ବର୍ଷ ଗ୍ରୋଥ୍ ଇଞ୍ଜିନର ପ୍ରଥମ ବଗି ହେବ ଆମ ରାଜ୍ୟ
କେନ୍ଦ୍ରରେ ତୃତୀୟ ପାଳିର ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ନେଇ ଯେଉଁ ବିବୃତ୍ତି ରଖିଥିଲେ ସେହି ରାସ୍ତାରେ ଆଗକୁ ବଢିବା ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛି ଓଡ଼ିଶା। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ବ ପୂର୍ଣ୍ଣ ହେବ ଆଗାମୀ ୫ ବର୍ଷ । ତାକୁ ନଜରରେ ରଖି ଷୋଡ଼ଶ ଅର୍ଥ କମିଶନଙ୍କ ଆଗରେ ଓଡ଼ିଶା ପାଇଁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ୪ ଦିନିଆ ଓଡିଶା ଗସ୍ତରେ ଥିବା ଷୋଡ଼ଶ ଅର୍ଥ କମିଶନର 15 ଜଣିଆ ଟିମ୍ ସହ ଆଜି ଥିଲା ରାଜ୍ୟ ସରକାରଙ୍କ ବୈଠକ। 2026-31 ପାଞ୍ଚ ବର୍ଷ ପାଇଁ କେନ୍ଦ୍ର ଆଗରେ 12 ଲକ୍ଷ 59 ହଜାର 148 କୋଟି ଟଙ୍କାର ଦାବି ରଖିଛି ଓଡ଼ିଶା। ଏହାବାଦ ରାଜସ୍ବ ନିଅଣ୍ଟ ଭରଣା ପାଇଁ 9 ଲକ୍ଷ 88 ହଜାର 422 କୋଟି ଟଙ୍କା, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ 1, ଲକ୍ଷ 10 ହଜାର 434 କୋଟି ଟଙ୍କା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡିଗୁଡ଼ିକର ଅନୁଦାନ ବାବଦରେ 1 ଲକ୍ଷ 36 ହଜାର କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 31 ହଜାର 4 କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 29 ହଜାର 252 କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ
ଏବେ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସ ଆୟର 41% ଦିଆଯାଉଛି। ଏହାକୁ 50%କୁ ବୃଦ୍ଧି କରିବା ଲାଗି ଦାବି ରଖିଛି ଓଡ଼ିଶା । କେନ୍ଦ୍ର ଟିକସ ଆୟରୁ ଓଡ଼ିଶାର ଅଂଶ 4.528% ଥିବା ବେଳେ ଏହାକୁ 4.964 % କୁ ବୃଦ୍ଧି କରିବାକୁ ଦାବି କରାଯାଇଛି। ସେହିପରି 2026-31 ପର୍ଯ୍ୟନ୍ତ 5 ବର୍ଷ ପାଇଁ କେନ୍ଦ୍ର ଦ୍ଵାରା ଆକଳନ କରାଯାଇଥିବା ମୋଟ ରାଜସ୍ବ ପ୍ରାପ୍ତିର 2% ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ଅନୁଦାନ ଦେବାକୁ ରଖାଯାଇଛି ପ୍ରସ୍ତାବ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ଦିଆଯାଉଥିବା ବାର୍ଷିକ ଅନୁଦାନ କେନ୍ଦ୍ର 100% ବହନ କରିବାକୁ ଦାବି କରିଛି ଓଡ଼ିଶା। ଏହାଛଡା ସ୍ବାସ୍ଥ୍ୟ, ଜଳ ଯୋଗାଣ ଓ ପରିମଳ, ବାର୍ଦ୍ଧକ୍ୟ ସୁରକ୍ଷା ବାବଦରେ ଅନୁଦାନ ପାଇଁ କମିଶନଙ୍କୁ ଦିଆଯାଇଛି ପ୍ରସ୍ତାବ।
ଟିକସ ବୃଦ୍ଧି ପାଇଁ ରାଜ୍ୟର କିଛି ଆଧାରକୁ ମାନଦଣ୍ଡ ରୂପେ ନେବାକୁ ରାଜ୍ୟ ସରକାର ଦାବି କରିଛନ୍ତି । ଜନସଂଖ୍ୟା, ସମ୍ବେଦନଶୀଳ ଏସସି ଏସଟି ଓ ବରିଷ୍ଠ ନାଗରିକ, ଶୃଙ୍ଖଳିତ ଆର୍ଥିକ ପରିଚାଳନା, ଡେମୋଗ୍ରାଫି, ଇନକମ ଡିଷ୍ଟାନ୍ସକୁ ଆଧାର ରୂପେ ନେବାକୁ ରାଜ୍ୟ ଦାବି କରିଥିବା ସୂଚନା ଦେଇଛନ୍ତି କମିଶନ ଅଧ୍ୟକ୍ଷ । ସ୍ପେସିଆଲ କାଟେଗୋରି ଏବଂ ସ୍ପେଶାଲ ଷ୍ଟାଟସ ଦେବା ଅର୍ଥ କମିଶନଙ୍କ ଅଧିନସ୍ଥ ବ୍ୟାପାର ନୁହେଁ ବୋଲି କହବା ସହ କୌଣସି ରାଜ୍ୟ ଏ ସୁବିଧା ପାଉନଥିବା କହିଛନ୍ତି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ।
ଅନ୍ୟପଟେ ଅର୍ଥ କମିଶନ ଟିମ୍ ସହ ବିଜେଡ଼ି, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକର ନିର୍ବାଚିତ ପ୍ରତିନିଧି, ଟ୍ରେଡ଼ ୟୁନିୟନ ସଦସ୍ୟମାନେ ଭେଟି ଆଲୋଚନା କରିବା ସହ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ହାତରେ ଆଉ ୧୧ ବର୍ଷ ସମୟ ରହିଛି। ଏହି ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶାକୁ ନିଜସ୍ବ ସଂଶାଧନ ପ୍ରସ୍ତୁତ କରିବାକୁ ପଡ଼ିବ। ଯାହା କେନ୍ଦ୍ରର ସହଯୋଗରେ ସମ୍ଭବ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଥିଲେ ଦେଶର ଆଗାମୀ ୨୫ ବର୍ଷର ଗ୍ରୋଥ୍ ଇଞ୍ଜିନର ପ୍ରଥମ ବଗି ହେବ ଓଡ଼ିଶା। ଏଥିସହ ଓଡ଼ିଶା ମୋଦିଙ୍କ ଫୋକସ ରାଜ୍ୟ ରହିଆସିଛି। ସେଦୃଷ୍ଟିରୁ ଆଗାମୀ ୧୧ ବର୍ଷ ଓଡ଼ିଶାର ଲକ୍ଷ୍ୟ ହାସଲରେ କେନ୍ଦ୍ର ଭରପୁର ସହଯୋଗ କରିବା ଆଶା କରାଯାଉଛି। ସେହି ଆଧାରରେ ଷୋଡ଼ଶ ଅର୍ଥ କମିଶନଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର ।