ଦିଲ୍ଲୀ ଗସ୍ତରେ ମୋହନ : ଆସିବ ବଡ଼ ପୁଞ୍ଜି

Key Points
- ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ମୋହନ
- ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ
- ଶିଳ୍ପପତିଙ୍କୁ ଭେଟିବେ, ନିବେଶକଙ୍କ ସହ ଆଲୋଚନା କରିବେ
ଅର୍ଗସ ବ୍ୟୁରୋ: କେମିତି ରାଜ୍ୟରେ ଶିଳ୍ପ ବୃଦ୍ଧି ହେବ, କେମିତି ଯୁବପିଢି ନିଯୁକ୍ତି ପାଇବେ ସେନେଇ ବଡ଼ ପ୍ଲାନ କରିଛନ୍ତି ରାଜ୍ୟ ସରକାର । ସେଇଥି ଲାଗି ତ ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ୨ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । 'ଉତ୍କର୍ଷ ଓଡିଶା : ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ପ୍ରାକ ପ୍ରସ୍ତୁତି ଏହା ବୋଲି କୁହାଯାଉଛି ।
ଆସନ୍ତାବର୍ଷ ଅର୍ଥାତ୍ ୨୦୨୫ ଜାନୁଆରୀ ୨୮ ଏବଂ ୨୯ରେ ହେବାକୁ ଥିବା ଉତ୍କର୍ଷ ଓଡିଶା : ମେକ୍ ଇନ୍ ଓଡିଶାରେ ଯୋଗଦେବା ପାଇଁ ଶିଳ୍ପ ପତି ମାନଙ୍କୁ ଭେଟିବା ସହିତ ଆମନ୍ତ୍ରଣ କରିବେ ମୋହନ । ଆଜି ମିଟିଂ ସାରିବା ପରେ ଆସନ୍ତାକାଲି ନିବେଶକଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ବିଭିନ୍ନ ଦେଶର ଆମ୍ବାସଡର, ହାଇ କମିଶନର, କନସଲ ଜେନେରାଲ, ଟ୍ରେ଼ଡ କମିଶନରଙ୍କ ସହ ଆଲୋଚନା ହେବା ନେଇ ସୂଚନା ମିଳିଛି । ଆଉ ତାପରେ ବିଭିନ୍ନ ଶିଳ୍ପାନୁଷ୍ଠାନର ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ୱାନ ଟୁ ୱାନ ଆଲୋଚନା । ଏହାସହ ଶିଳ୍ପ ବିଭାଗ ପକ୍ଷରୁ ରୋଡ ସୋ କରାଯିବାର କାର୍ଯ୍ୟକ୍ରମ ରହିଛି ।
ମେକ୍ ଇନ୍ ଓଡ଼ିଶା ନାଁରେ କୋଟି କୋଟି ଖର୍ଚ୍ଚ କରିଥିଲା ବିଜେଡି
ବିଜେଡି ସରକାରରେ ଥିବା ବେଳେ ମେକ୍ ଇନ୍ ଓଡିଶା କନକ୍ଲେଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ମେକ୍ ଇନ୍ ଓଡ଼ିଶାରେ ରାଜ୍ୟକୁ କେତେ କମ୍ପାନୀ ଆସିଲେ ? କେତେ ନିବେଶ କଲେ ତାହା ପୁରା ରାଜ୍ୟବାସୀ ଦେଖିଲେ । ଏବେ କିନ୍ତୁ ସେକାଳ ପଖାଳ ନାହିଁ । ଅର୍ଥାତ୍ ସରକାର ବଦଳିବା ପରେ କେମିତି ରାଜ୍ୟରେ ପୁଞ୍ଜି ନିବେଶ ହେବ ତାହାକୁ ଗୁରୁତ୍ଵ ଦିଆଯାଉଛି । ଦିଲ୍ଲୀ ଗସ୍ତ ସମୟରେ ମୋହନ ଆଇଟି, ଆଇଟିଇଏସ, ଫୁଡ ପ୍ରୋସେସିଂ, କେମିକାଲ, ପେଟ୍ରୋକେମିକାଲ, ପ୍ଲାଷ୍ଟିକ, ଟେକ୍ସଟାଇଲ, ରିନିୱେଲ ଏନର୍ଜି, ଗ୍ରୀନ ହାଇଡ୍ରୋଜେନ ଓ ଆମୋନିଆ, ଇଲେକଟ୍ରୋନିକ୍ସ ଡିଜାଇନ ଏବଂ ମାନୁଫେକ୍ଚରିଂ ଭଳି ସେକ୍ଟରର ଶିଳ୍ପ ମୁଖ୍ୟଙ୍କ ସହ ଇନଭେଷ୍ଟର ମିଟ୍ କରିବେ । ମୋଟ୍ ଉପରେ, ଓଡିଶାରେ ବିଜେପି ସରକାର ଆସିବା ପରେ ସୁଦୃଢ ହୋଇଛି ଶିଳ୍ପ ଇକୋ ସିଷ୍ଟମ । ଇଜ୍ ଅଫ ଡୁଇଂ ବିଜନେଶରେ ଆଗକୁ ଯାଉଛି ଓଡିଶା । ସିଙ୍ଗିଲ ୱିଣ୍ଡୋ ସିଷ୍ଟମରେ ସୁଧାର ଆଣିବା ସହ ଆହୁରି ସରଳୀକରଣ କରାଯାଇଛି । ଓଡିଶାରେ ପୁଞ୍ଜିନିବେଶ କଲେ କଣ ଲାଭ ମିଳିବ, ସେ ନେଇ ନିବେଶକ ମାନଙ୍କୁ ଅବଗତ କରାଇବେ ରାଜ୍ୟ ସରକାର ।
📱 Get Argus News App
✨କଥା ହେଲା ପୂର୍ବ ସରକାର ଏମଓୟୁରେ ବ୍ୟସ୍ତ ଥିଲା । ଏମଓୟୁ କରୁଥିଲେ ସିନା, କିନ୍ତୁ ତାକୁ ପ୍ରଣୟନ କରୁନଥିଲେ । ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଇକୋ ସିଷ୍ଟମ ପ୍ରସ୍ତୁତ କରିବାରେ ନବୀନ ସରକାର ବିଫଳ ହୋଇଥିଲା । ବିଜେପି ସରକାର କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିସାରିଛି । ଏ ନେଇ ବିଭିନ୍ନ ଇସ୍ପାତ ଶିଳ୍ପ ସହ ଆଲୋଚନା ଚାଲିଛି । ତେବେ ପୂର୍ବରୁ ଇସ୍ପାତ ଶିଳ୍ପ ଘୋଷଣା କରି ପ୍ରାୟୋଜିତ ଭାବେ କେନ୍ଦୁଝରରୁ ଲୋକ ଆଣି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାର ଆୟୋଜନ କରିଥିଲେ ବିଜେଡି ସରକାର । ସେପଟେ, ନିପନ ଷ୍ଟିଲ ପାରାଦୀପରେ ୬୦ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ଯାଉଛି । ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛି ବିଜେପି ସରକାର । ଜଗତସିଂହପୁର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶିଳ୍ପ ବିଭାଗର ସହଯୋଗରେ ପ୍ରକଳ୍ପ କାମ ଆଗକୁ ବଢୁଛି । ସେହିପରି କେନ୍ଦ୍ରାପଡାରେ ମଧ୍ୟ ବଡ ପୁଞ୍ଜିନିବେଶ କରିବ ନିପନ ଷ୍ଟିଲ । ୧୦୦ ଦିନ ସରକାରରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଅନୁମୋଦନ ମିଳିଛି । ପ୍ରଥମ ବର୍ଷ ଟାର୍ଗେଟର ୯୦ ପ୍ରତିଶତ ପୁଞ୍ଜିନିବେଶ କେବଳ ୧୦୦ ଦିନ ଭିତରେ ହୋଇଛି । ୫ ବର୍ଷରେ ଅଢେଇ ଲକ୍ଷ ଟଙ୍କାର ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ସରକାର।