ସରକାରର ହିସାବ ଦେଲେ, ନବୀନଙ୍କୁ ଟାର୍ଗେଟ୍ କଲେ

Key Points
- ମୋହନଙ୍କ ଟାର୍ଗେଟ୍ରେ ନବୀନ
- ପ୍ରତିଶ୍ରୁତି ପୂରଣର ତାଲିକା ରଖିଲେ, ୫ ବର୍ଷ ପାଇଁ ରୋଡମ୍ୟାପ ଦେଲେ
- ଅହଙ୍କାର ବଢିବାରୁ ପୂର୍ବ ସରକାରର ପତନ ହେଲା ବି କହିଲେ
ଅର୍ଗସ ବ୍ୟୁରୋ : ଶହେଦିନର ରିପୋର୍ଟ କାର୍ଡ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖାଲି ରିପୋର୍ଟ ଦେଲେ ତାହା ନୁହେଁ ବରଂ ଆଗାମୀ ୫ ବର୍ଷର ରୋଡମ୍ୟାପ ବି ଦେଲେ । କେତେ ପ୍ରତିଶ୍ରୁତି ପାଳନ କରିଛନ୍ତି, ଆଗକୁ ସରକାରର ଭିଜନ କଣ ? ତାହାର ବି ହିସାବ ଦେଲେ । ଏହାସହ ଶରଧାବାଲିରେ ଆୟୋଜନ ହୋଇଥିବା ସଭାରୁ ନବୀନଙ୍କୁ ବି ଟାର୍ଗେଟ୍ କଲେ । କହିଲେ, କେବଳ ଅହଙ୍କାର ବଢିବାରୁ ୨୪ ନିର୍ବାଚନରେ ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କଲେ ଭୋଟର ।
ରାଜ୍ୟରେ ବିଜେପି ସରକାରକୁ ଶହେ ଦିନ ପୂରିଛି । ନୂଆ ସରକାର ଆସିବା ପରେ କେମିତି ଯୋଜନା ହୋଇଛି ? କେତେ କାମ ହୋଇଛି ? କଣ କଣ କାମ ହୋଇଛି ? ସେ ସବୁର ହିସାବ ବି ଦେଲେ । ପୂର୍ବ ବିଜେଡି ସରକାରକୁ ବି ଧୋଇବାକୁ ଭୁଲଲେନି ସିଏମ୍ ମୋହନ ମାଝୀ । ଜୁନ୍ ୪ରେ ରାଜ୍ୟ ରଜାନୀତିରେ ପଟ୍ଟ ପରିବର୍ତ୍ତନ ହେଲା । ଜୁନ୍ ୧୨ରେ ଜନନା ମୈଦାନରେ ଭବ୍ୟ ଆୟୋଜନ କରି ଶପଥ ନେଇଥିଲା ବିଜେପି ସରକାର । ଏହାରି ଭିତରେ ସରକାରକୁ ୧୦୦ ଦିନ ପୂର୍ତ୍ତି ଅବସରରେ ପୁରୀ ଶରଧାବାଲିରେ ଗତକାଲି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା ।
ସଭାମଞ୍ଚରୁ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ପାଇଁ ଆମ ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ । ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛୁ, କରିବୁ ମଧ୍ୟ । ସରକାରର ପ୍ରଥମ ଦିନରେ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଲୁ, ରତ୍ନଭଣ୍ଡାର ମଧ୍ୟ ଖୋଲାଗଲା। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ସହାୟତା, ଧାନ କ୍ଵିଣ୍ଟାଲ ପିଛା ୩୧ ଶହ ଟଙ୍କା, ଡ୍ରପ୍ ଆଉଟ୍ ରୋକିବାକୁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ସହାୟତା ସହ ଚୋରାମଦ କାରବାର ଉପରେ ଲାଗିଛି ରୋକ୍ । ଇଏ ତ ଥିଲା ନିଜ ସରକାରର କଥା ।
ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ଅହଙ୍କାରୀ ଓ ଲୋକ ବିରୋଧୀ ସରକାରର ପତ୍ତନ ଘଟିଛି । ଲୋକଙ୍କ ସମସ୍ୟାରୁ ଦୂରେଇ ଗଲେ, ଲୋକ ଗ୍ରହଣ କରିବେ ନାହିଁ । ୨୪ ନିର୍ବାଚନରୁ ଏହା ପ୍ରମାଣିତ ହୋଇଛି । ପୂର୍ବ ସରକାର ଭୋଟ୍ ରାଜନୀତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ୟବହାର କରିଥିଲେ । ନୂଆ ସରକାର ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି। ୧୦୦ ଦିନରେ ୫୮ ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗିରଫ କରାଯାଇଛି । ସେପଟେ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ବନ୍ଦ ହୋଇଯିବ ବୋଲି ଅପପ୍ରଚାର କରାଯାଉଥିଲା, କିନ୍ତୁ ମିଶନ ଶକ୍ତି ଏବେ ଦୌଡ଼ୁଛି। ମହିଳାଙ୍କ ସଶକ୍ତୀକରଣ ପାଇଁ ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ଯୋଜନା ଶୁଭାରମ୍ଭ କରାଯିବା ସହିତ ୨୫ ଲକ୍ଷ ମହିଳାଙ୍କୁପ୍ରଥମ କିସ୍ତି ଟଙ୍କା ମିଳିସାରିଛି ।
📱 Get Argus News App
✨ମୋଟ୍ ଉପରେ ରାଜ୍ୟରେ ନୂଆ ସରକାର ହେବା ପରେ ଲୋକଙ୍କ ମନରେ ନୂଆ ଆଶା ରହିଛି । କେମିତି ନୂଆ ସରକାର ଭଲ କାମ କରିବ, ଦୁର୍ନୀତି କମିବ ସେନେଇ ବିଜେପି ଯେଉଁ ପ୍ଲାନ କରୁଛି ତାହାକୁ ସବୁଠି ପ୍ରଶଂସା କରାଯାଉଛି ।