ଦୁର୍ନୀତିଖୋରଙ୍କୁ ମୋହନଙ୍କ ଚେତାବନୀ , ଏ ସରକାର କେତେବେଳେ ବି ବାନ୍ଧିପାରେ

Key Points
- ଦୁର୍ନୀତିଖୋରଙ୍କୁ ମୋହନଙ୍କ ଚେତାବନୀ
- ଏ ସରକାର କେତେବେଳେ ବି ବାନ୍ଧିପାରେ
- ଦୁର୍ନୀତି କରିବା ମାତ୍ରେ କଡ଼ା ଆକ୍ସନ
ଅର୍ଗସ ବ୍ୟୁରୋ: ଦୁର୍ନୀତି କଲେ କଡା ଆକ୍ସନ । ଦୁର୍ନୀତି କ୍ୟାନସର ପରି ବେମାରୀ । କ୍ୟାନସର ହେଲେ ଯେମିତି ତାକୁ ଡାକ୍ତର କାଢି ଫୋପାଡି ଦିଅନ୍ତି ଠିକ୍ ସେମିତି ଦୁର୍ନୀତି ଖୋରଙ୍କ ଅବିରୋଧରେ କଡ଼ା ଆକ୍ସନ ନେବ ବିଜେପି ସରକାର । ଆଉ ଯେଉଁମାନେ ଦୁର୍ନୀତି କରୁଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମୋହନ ।
ରାଜ୍ୟରେ ପୂର୍ବ ସରକାର କେମିତି ଦୁର୍ନୀତି କରୁଥିଲା ତାହାର ଗୁମର ଖୋଲିଦେଇଛନ୍ତି ମୋହନ । କହିଛନ୍ତି, ଫାଇଭ-ଟିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ସେତେବେଳ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । 5T ନାଁରେ ଯେଉଁ ଅଧିକାରୀ ବ୍ୟାପକ ଟଙ୍କା ହେରଫେର କରିଛନ୍ତି, ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ । ରାଜ୍ୟରେ ବିଜେପି ସରକାର ଆସିବାର ୧୪୦ ଦିନ ହୋଇଛି, ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ଦୁର୍ନୀତି କରିଥିବା ୬ ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ପଠାଯାଇଛି । ଅନେକ ବଡ଼ ଅଧିକାରୀ ବି ଗିରଫ ହୋଇ ଜେଲରେ ଅଛନ୍ତି । ଏ ଧାରା ଆଗାମୀ ଦିନରେ ବଳବତ୍ତର ରହିବ ବୋଲି ମୋହନ ସ୍ପଷ୍ଟ କରିଛନ୍ତି ।
ଇଏ ତ ଟ୍ରେଲର ହୈ, ପିକଚର ଅଭି ବାକି ହୈ । କିଛି ଏମିତି ଢଙ୍ଗରେ ଦୁର୍ନୀତିଖୋରଙ୍କୁ ଚେତାଇ ଦେଇଛନ୍ତି ମୋହନ । ପୂର୍ବ ସରକାର ଅର୍ଥାତ୍ ବିଜେଡି ସରକାରରେ କେମିତି କୋଟି କୋଟି ଟଙ୍କା ଚଳୁ କରୁଥିଲେ ନେତା ଓ ଅଫିସର ତାହା କାହାକୁ ବି ଅଛପା ନାହିଁ । ହେଲେ ଏବେ ବିଜେପି ସରକାର ଆସିବା ପରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ଆଉ ବାବୁମାନେ ଦୁର୍ନୀତି କରି ଫଶିବା ପରେ ଗତ ୪ ମାସ ଭିତରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଣ୍ଡା ଗଣ୍ଡା କୋଟିପତି ଅଧିକାରୀ । ଯାହାଙ୍କ ଭିତରେ ଅଛନ୍ତି ଅବକାରୀ ବିଭାଗର ଯୁଗ୍ମ କମିଶନର, ବିଡିଓ, ଖଣି ଉପନିର୍ଦ୍ଦେଶକ । ସେମାନଙ୍କଠୁ ପ୍ରାୟ ୬୪ କୋଟିର ଆୟ ବହିର୍ଭୁତ ସଂପତ୍ତି ବି ଜବତ ହେଲାଣି । ଏଥିସହ ବିଭାଗ ପକ୍ଷରୁ ୮୮ ଟି ଅପରାଧିକ ମାମଲା ରୁଜୁ ହୋଇଛି ଓ ୧୨୩ ଜଣଙ୍କୁ ଜେଲ୍ ପଠାଯାଇଛି । କଥା ହେଲା ଧରାପଡ଼ିଥିବା ବାବୁଙ୍କ ଭିତରେ ଅଛନ୍ତି ୨୪ କ୍ଲାସ ୱାନ୍ ଅଫିସର, ୧୨ କ୍ଳାସ୍-ଟୁ ଓ ୫୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ।
ତେବେ ଯେଉଁ ୬ କୁବେର ଯନ୍ତ୍ରୀ ବେଶୀ ଚର୍ଚ୍ଚାରେ- ସେମାନେ ହେଲେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ, ଭଞ୍ଜନଗର ଜଳସେଚନ ଡିଭିଜନ ଅତିରିକ୍ତ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ, ବାଲେଶ୍ୱର ଜଳସେଚନ ଡିଭିଜନ ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରଭାସ ପ୍ରଧାନ, ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ବାଲେଶ୍ୱର ଡିଭିଜନ ମୁଖ୍ୟ କନଷ୍ଟ୍ରକ୍ସନ ଯନ୍ତ୍ରୀ ଏନ.ଭି. ହରିହର ରାଓ, ବୈତରଣୀ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କ ସହ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ସେମାନଙ୍କ ସମ୍ପତ୍ତିର ହିସାବନିକାଶ କଲେ ଆଖି ଟେରା ହୋଇଯିବ ।
📱 Get Argus News App
✨ମୋଟ୍ ଉପରେ, ବିଜେଡି ସରକାରରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ପିସି କାରବାରକୁ ଗତ ନିର୍ବାଚନରେ ବଡ଼ ପ୍ରସଙ୍ଗ ବନାଇଥିଲା ବିଜେପି । ଏନେଇ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଏ ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସରକାରକୁ କରିଥିଲେ ବାରମ୍ବାର ପ୍ରହାର । ଦୁର୍ନୀତିଖୋରଙ୍କୁ ଦଣ୍ଡଦେବା ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ । ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ 8 ଜଣ ଏସପି, 8 ଜଣ ଅତିରିକ୍ତ ଏସପି, 24 ଜଣ ଡିଏସପି ଓ 16 ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ 24 ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ । 135 ମୋଟର ସାଇକେଲ, 160 ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ରଶ୍ନ ଉଠୁଛି ବିଜେପି ସରକାରର ଦୁନୀତି ବିରୋଧୀ ଅଭିଯାନ କେବଳ ସରକାରୀ ବାବୁମାନଙ୍କ ମଧ୍ୟରେ ସୀମିତ ରହିବ ନା ନେତାମାନଙ୍କର ବି ଦୁର୍ନୀତିର ଚିଠା ବି ଖୋଲିବ ଭିଜିଲାନ୍ସ । ହେଲେ ମୋହନଙ୍କ ପ୍ରତିକ୍ରିୟାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ।